ETV Bharat / state

କୋଟିଆରେ ଶ୍ରାବଣ, ମନ ମୋହୁଛି ଭସା ବାଦଲର ଦୃଶ୍ୟ

author img

By

Published : Jul 31, 2022, 3:05 PM IST

କୋଟିଆରେ ଶ୍ରାବଣ, ମନ ମୋହୁଛି ଭସା ବାଦଲର ଦୃଶ୍ୟ
କୋଟିଆରେ ଶ୍ରାବଣ, ମନ ମୋହୁଛି ଭସା ବାଦଲର ଦୃଶ୍ୟ

ଶ୍ରାବଣର ଝିପ୍ ଝିପ୍ ବର୍ଷାରେ ବହୁଗୁଣିତ ହୋଇଛି କୋରାପୁଟ କୋଟିଆର ସୌନ୍ଦର୍ଯ୍ୟ । ସୁଉଚ୍ଚ ପାହାଡ ଓ ସବୁଜ ବନାନୀ ମଧ୍ୟରେ ମେଘରାଜି ଦେଖଣାହାରୀଙ୍କ ମନ ମୋହୁଛି । ଅଧିକ ପଢନ୍ତୁ

କୋରାପୁଟ: ପ୍ରକୃତିର ବରଦାନ କୋରାପୁଟ । ଏହି ଜିଲ୍ଲାର ସୌନ୍ଦର୍ଯ୍ୟ ବର୍ଷ ତମାମ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । କିନ୍ତୁ କୋରାପୁଟର ସ୍ବତନ୍ତ୍ର ଆକର୍ଷଣ ଶ୍ରାବଣ ଋତୁ । ବର୍ତ୍ତମାନ ଶ୍ରାବଣର ଝିପ୍‌ ଝିପ୍ ବର୍ଷାରେ ସବୁଜ ବନରାଜି ଓ ସୁଉଚ୍ଚ ପାହାଡ଼ ପର୍ବତର ମନଲୋଭା ଦୃଶ୍ୟ ତନୁମନରେ ଭରି ଦେଉଛି ଅପୂର୍ବ ପୁଲକ । ବିଶେଷକରି ବର୍ଷାର ଆଗମନରେ ଅଧିକ ଉତ୍‌ଫୁଲ୍ଲିତ ହୋଇଛି କୋରାପୁଟର କୋଟିଆ ଅଞ୍ଚଳ । ଓଡ଼ିଶା ଓ ଆନ୍ଧ୍ର ସୀମାରେ ପ୍ରହରୀ ଭାବେ ଠିଆ ହୋଇଥିବା କୋଟିଆକୁ ଶ୍ରାବଣରେ ଓହ୍ଲାଇ ଆସିଛି ମେଘରାଜି । କେତେବେଳେ ମେଘମାଳ ନବଶ୍ଚୁମ୍ବି ପାହଡ ମଥାକୁ ଚୁମ୍ବନ କରୁଛି ତ ପୁଣି କେତେବେଳେ ସିଞ୍ଚନ କରୁଛି ଅମୃତ ଧାରା । ଶ୍ରାବଣର ସ୍ପର୍ଶରେ କୋଟିଆରେ ନୈସର୍ଗିକ ସୌନ୍ଦର୍ଯ୍ୟ ଉଦଭାସିତ ହୋଇଛି । ଶୀତୁଆ ସକାଳର ମେଘ ଓ ଝିପ୍ ଝିପ୍ ବର୍ଷାର ଖେଳ ସହିତ ଲୋକଙ୍କୁ ସ୍ବାଗତ କରୁଛି କୋଟିଆ ।

କୋଟିଆରେ ଶ୍ରାବଣ, ମନ ମୋହୁଛି ଭସା ବାଦଲର ଦୃଶ୍ୟ

ଜଳବାୟୁ ପରିବର୍ତ୍ତନର ଚାପରେ ବର୍ଷା ଓ ଶୀତର ପରିମାଣ ଆଗ ଅପେକ୍ଷା କମି କମି ଆସୁଛି । ତଥାପି ଆଜି କୋଟିଆ ଛାତିକୁ ମେଘରାଜି ଓହ୍ଲାଇ ଆସିବାର ଅପୂର୍ବ ଅନୁଭୁତି ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରଭାବେ ଗଢି ତୋଳିଛି । ପାହାଡ଼ ମଥାକୁ ଚୁମ୍ବନ କରୁଥିବା ମେଘ ମାଳ ତା'ର କୋମଳ ସ୍ପର୍ଶରେ ଗଛଲତା, କୀଟପତଙ୍ଗ ସହ ପ୍ରତିଟି ଜଡ ଓ ଚେତନସତ୍ତା ମଧ୍ୟରେ ନବ ଜୀବନ ସଞ୍ଚାର କରୁଛି । ଯାହାକୁ ଦେଖି ଆନମନା ହେଉଛି କବି ମନ । ତେବେ ଆଗରୁ ବର୍ଷା ଦିନେ ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲା କୋଟିଆ ଗ୍ରାମପୁଞ୍ଜ । ପଞ୍ଚାୟତର ଫାଟୁ ସିନେରି, ଫଗୁଣ ସିନେରୀ, ମାଡକାର ଭଳି ଅପହଞ୍ଚ ଇଲାକାବାସୀ କଷଣ ଭୋଗୁଥିଲେ । ହେଲେ ଓଡିଶା ସରକାରଙ୍କ ଦ୍ବାରା ଏହି ଅଞ୍ଚଳର ପ୍ରତିଟି ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବା ଯୋଗୁଁ ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିଛି ବୋଲି ଫଗୁଣ ସିନେରୀ ବାସିନ୍ଦା କାଲିଆ ପାଙ୍ଗି ଜଣାଇଛନ୍ତି ।

ଏ ସମସ୍ତ ସମସ୍ୟା ମଧ୍ୟରେ କୋଟିଆ ପଞ୍ଚାୟତର ପାହାଡ଼ ପର୍ବତ ମଧ୍ୟରେ ଲୁଚି ରହିଥିବା ଅଞ୍ଚଳ ବର୍ଷା ଦିନରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିଛି । ଏବେ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଥିବା କହିଛନ୍ତି ଫଗୁଣ ସିନେରୀରେ ଶିକ୍ଷକତା କରୁଥିବା ବିଦ୍ୟାଧର ପରମାଣିକ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.