ETV Bharat / state

National Overseas Scholarship: ଘେନୁଙ୍କୁ ସହାୟତାର ହାତ ବଢାଇଲେ ସରକାର

author img

By

Published : Jul 30, 2023, 10:45 PM IST

ଘେନୁଙ୍କୁ ସହାୟତାର ହାତ ବଢାଇଲେ ସରକାର
ଘେନୁଙ୍କୁ ସହାୟତାର ହାତ ବଢାଇଲେ ସରକାର

ଅଷ୍ଟ୍ରେଲିଆର ସିଡନୀ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଅସହାୟ ହୋଇପଡିଥିବା ଘେନୁଙ୍କୁ ସହାୟତାର ହାତ ବଢାଇଛନ୍ତି ସରକାର । ସିଡନୀ ଯାଇ ସେଠାରେ ବିଶ୍ୱବିଦ୍ୟାଳୟରେ ପଞ୍ଜିକୃତ ହେବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ପ୍ରଦାନ କରିବେ ସରକାର । ଅଧିକ ପଢନ୍ତୁ

ଘେନୁଙ୍କୁ ସହାୟତାର ହାତ ବଢାଇଲେ ସରକାର

କୋରାପୁଟ: ଆଦିବାସୀ ମେଧାବୀ ଛାତ୍ର ଘେନୁ ଖିଲଙ୍କୁ ଉନ୍ନତମାନର ଶିକ୍ଷା ପାଇଁ ସରକାରଙ୍କ ତରଫରୁ ପ୍ରତିଶୃତି ମିଳିଛି । ଯାହା ଫଳରେ ଅଷ୍ଟ୍ରେଲିଆର ସିଡନୀ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ଅସହାୟ ହୋଇପଡିଥିବା ଘେନୁଙ୍କ ମନରେ ଆଶା ସଞ୍ଚାର ହୋଇଛି । ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ସିମିଳିପଦରରୁ ବାହାରି ଜଣେ ଆଦିବାସୀ ଯୁବକ ଘେନୁ ଖିଲ ପବ୍ଲିକ ହେଲଥରେ Phd କରିବା ପାଇଁ ଅଷ୍ଟ୍ରେଲିଆର ସିଡନୀ ବିଶ୍ବବିଦ୍ୟାଳୟ ଦ୍ୱାରା ମନୋନୀତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଘେନୁ ଖିଲଙ୍କୁ ନ୍ୟାସନାଲ ଓଭରସିଜ ସ୍କଲାର୍‌ସିପ୍ ପାଇବା ପାଇଁ ଚୟନ କରାଯାଇଛି । ତେବେ ବର୍ତ୍ତମାନ ସେହି ସ୍କଲାର୍‌ସିପ୍ ପାଇବା ପର୍ଯ୍ୟନ୍ତ ସିଡନୀ ଯାଇ ସେଠାରେ ବିଶ୍ୱବିଦ୍ୟାଳୟରେ ପଞ୍ଜିକୃତ ହେବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଡ଼ ହୋଇପାରୁନଥିବା ଯୋଗୁଁ ଘେନୁ ଅସହାୟ ହୋଇପଡିଥିଲେ । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କଠାରୁ ସହାୟତା ନେଇ ପ୍ରତିଶୃତି ପରେ ପୁଣି ଥରେ ତାଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି ।

ତେବେ ବାପାଙ୍କ ଅକାଳ ବିୟୋଗ ପରେ ମାଆଙ୍କ ଅକ୍ଲାନ୍ତ ପରିଶ୍ରମ ସାହାଯ୍ୟରେ ଘେନୁ ମାଛକୁଣ୍ଡ ଆବାସିକ ବିଦ୍ୟାଳୟରୁ ପାଠ ପଢିବା ଆରମ୍ଭ କରିଥିଲେ । ଏହାପରେ ନବୋଦୟ ବିଦ୍ୟାଳୟରେ ପାଠ୍ୟକ୍ରମ ସହ ଜାତୀୟ ସ୍ତରର ଅନେକ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନରେ ପବ୍ଲିକ ହେଲଥ ବିଷୟରେ ଅଧ୍ୟୟନ କରିଥିଲେ । ଉନ୍ନତମାନର ପ୍ରଦର୍ଶନ କରି ସେ ବିଦେଶରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ପରବାରର ଆର୍ଥିକ ଦୁଃସ୍ଥିତି ତାଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ପ୍ରତିବନ୍ଧକ ସାଜିଥିଲା ।

ତେବେ ଗତ କିଛିଦିନ ପୂର୍ବେ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ଗରିବ ମେଧାବୀ ଛାତ୍ର ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ଏମ୍‌ସିଏ ପଢିବାର ସୁଯୋଗ ପାଇଛନ୍ତି । ନନ୍ଦପୁର ବ୍ଲକ ଖୁର୍ଜୀ ପଞ୍ଚାୟତ ସେମଲା ଗ୍ରାମର ସ୍ୱର୍ଗତ ଡମ୍ବୁ କିର୍ଷାନୀଙ୍କ ପୁଅ ପାତ୍ର କିର୍ଷାନୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆର୍ଥିକ ସହାୟତା ପାଇବା ଘଟଣା ଘେନୁଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି । ଏନେଇ ଘେନୁ କହିଛନ୍ତି, " ପାତ୍ର କିର୍ଷାନୀଙ୍କ କ୍ଷେତ୍ରରେ ସହାୟତା ମିଳିବା ପରେ କୋରାପୁଟ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦକୁ ଆବେଦନ କରିଥିଲି ।"
ଏହା ବି ପଢନ୍ତୁ...Bahanaga Train Tragedy: ୮ ଅସହାୟ ଶିଶୁଙ୍କୁ ମିଳିଲା ସହାୟତା ରାଶି
ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ଚନ୍ଦ୍ରଶେଖର ମାଝୀ କହିଛନ୍ତି, "ଘେନୁଙ୍କ ଆବେଦନ ଉପରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଦିବାସୀ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଇଞ୍ଜିନିୟରିଂ, ଡାକ୍ତରୀ ପାଠ୍ୟକ୍ରମ, ଏମବିଏ, ଏମସିଏ ଓ ଅନ୍ୟାନ୍ୟ ପେଷାଗତ ଶିକ୍ଷା ତଥା ୟୁପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆର୍ଥିକ ସହାୟତା ଦେବାକୁ 40 ଲକ୍ଷ ଟଙ୍କାର ଆର୍ଥିକ ବ୍ୟବସ୍ଥା କରିଛି । ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ ଏହାର ସୁେଯୋଗ ନିଅନ୍ତୁ ।" ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.