ETV Bharat / state

ରାଇପାହାଡ ସୀମା ବିବାଦ; ନଥିପତ୍ର ଦେଖାଇ ନପାରି ଫେରିଗଲା ଆନ୍ଧ୍ର

author img

By

Published : Jul 13, 2023, 10:12 AM IST

Updated : Jul 13, 2023, 1:35 PM IST

ରାଇପାହଡ ସୀମା ବିବାଦ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଆଲୋଚନା । ସୀମା ନିର୍ଦ୍ଧାରଣର ସଠିକ ନଥିପତ୍ର ଦେଖାଇ ନପାଇ ଫେରିଗଲା ଆନ୍ଧ୍ର ପ୍ରଶାସନ । ଅଧିକ ପଢନ୍ତୁ

ରାଇପାହଡ ସୀମା ବିବାଦ
ରାଇପାହଡ ସୀମା ବିବାଦ

ରାଇପାହାଡ ସୀମା ବିବାଦ

କୋରାପୁଟ: କୋଟିଆ ପରେ ଏବେ ନନ୍ଦପୁର ରାଇପାହାଡ଼ ଦଖଲ କରିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର । ଓଡ଼ିଶା ସୀମାନ୍ତ ଗ୍ରାମରେ ପଶି ଆନ୍ଧ୍ର ସରକାର ମାଳମାଳ ଯୋଜନା ବାଣ୍ଟୁଛନ୍ତି । ରାଇପାହାଡ ଓଡ଼ିଶାର ହୋଇଥିଲେ ହେଁ ପଡ଼ୋଶୀ ସରକାର ଶିକ୍ଷାଠୁ ଆରମ୍ଭ କରି ସ୍ବାସ୍ଥ୍ୟସେବା, ଭତ୍ତା ଯାଏଁ ବିଭିନ୍ନ ସୁବିଧା ଯୋଗାଉଛନ୍ତି । ଆନ୍ଧ୍ରର ଏହି ଅନୁପ୍ରବେଶ ବିବାଦକୁ ନେଇ ବୁଧବାର ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଓଡ଼ିଶା ଓ ଆନ୍ଧ୍ରର ସୀମା ନିର୍ଦ୍ଧାରଣ ପାଇଁ ଉଭୟ ପକ୍ଷର ବରିଷ୍ଠ ଅଧିକାରୀମାନେ ଏକାଠି ଆଲୋଚନା କରିଥିଲେ । ହେଲେ ବୈଠକରେ ଆନ୍ଧ୍ର ପ୍ରଶାସନ ସୀମା ନିର୍ଦ୍ଧାରଣର ସଠିକ ନଥିପତ୍ର ଦେଖାଇ ପାରିନଥିଲା । ଯେଉଁ କାରଣରୁ ଏହି ବିବାଦର କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସୀମା ଚିହ୍ନଟ ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

ଓଡିଶା ଗାଁରେ ଯୋଜନା ବାଣ୍ଟୁଛି ଆନ୍ଧ୍ର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗୋଲୁରୁ ପଞ୍ଚାୟତର ରାଇପାହାଡ଼ ଗାଁ । ଏହି ଗ୍ରାମରେ 17 ଆଦିବାସୀ ପରିବାର ବସବାସ କରୁଛନ୍ତି l ଗାଁକୁ ଯିବା ପାଇଁ ନା ଭଲ ରାସ୍ତା ଅଛି ନା ପାଠ ପଢିବା ପାଇଁ ଅଙ୍ଗନୱାଡି କି ବିଦ୍ୟାଳୟ । ଓଡ଼ିଶା ସରକାରଙ୍କ ଏଭଳି ଅବହେଳା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଏବେ ଆନ୍ଧ୍ର ମୁହାଁ ହେଉଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାନୀୟ ବୃଦ୍ଧବୃଦ୍ଧାଙ୍କୁ 500 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଆନ୍ଧ୍ର ସରକାର, 2,750 ଟଙ୍କା ଦେଉଛନ୍ତି । ତାହା ପୁଣି ଘରେ ଆଣି ଦେଇଯାଉଥିବା ଗ୍ରାମବାସୀ କହିଛନ୍ତି । ରାଇପାହାଡ଼ ଗ୍ରାମରେ ଆନ୍ଧ୍ର ପକ୍ଷରୁ 6ଟି ଆବାସ ଯୋଗାଇ ଦିଆଯାଇଛି, ଯେତେବେଳେ କି ଓଡ଼ିଶା ତରଫରୁ 3ଟି ଆବାସ ଦିଆଯାଇଛି l

ଆନ୍ଧ୍ର ପକ୍ଷରୁ ରାଇପାହାଡ଼ ବିଦ୍ୟାଳୟରେ ପାଠପଢା ପାଇଁ ପାଠ୍ୟ ଉପକରଣ ସହିତ ପ୍ରତ୍ୟେକ ପିଲା ପିଛା 10 ହଜାର ଟଙ୍କା ଦିଆଯାଇଛି । ଗାଁରେ ଜଣେ ଆଶା ଦିଦି ମଧ୍ୟ ନିୟୋଜିତ କରିଛି । ଆଶା ଦିଦି ଜଣକ ୨୪ ଘଣ୍ଟିଆ ଗ୍ରାମବାସୀଙ୍କୁ ସେବା ଯୋଗାଉଛନ୍ତି । କାହାର ଟିକିଏ ଦେହ ଖରାପ ହେଲେ ସଙ୍ଗେସଙ୍ଗେ ବିଶାଖାପାଟଣାକୁ ନେଇ ମାଗଣାରେ ଚିକିତ୍ସା କରାଇ ଘରେ ଛାଡ଼ୁଛନ୍ତି । କେବଳ ଏତିକି ନୁହେଁ, ଗ୍ରାମରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ଭତ୍ତା, ରାସନ ସାମଗ୍ରୀ ସହିତ ଚାଷ କରିବା ପାଇଁ ବିଭିନ୍ନ ଉପକରଣ ଓ ଜମିପଟ୍ଟା ଯୋଗାଇ ମଧ୍ୟ ଦେଉଛି l ଆନ୍ଧ୍ର ପାହାଡ଼ ଡେଇଁ ଗ୍ରାମରେ ଯୋଜନା ବାଣ୍ଟୁଥିବା ବେଳେ ଓଡ଼ିଶା କେବଳ ଜଳକା ଭଳି ଚାହିଁ ରହିଛି ।

ଆନ୍ଧ୍ର ଓଡ଼ିଶା ଆଲୋଚନା

ଓଡିଶା ସରକାର ଏହି ଅଞ୍ଚଳରେ କେବଳ ରାସନ ଓ ପାନୀୟ ଜଳ ଯୋଗାଇବା ଛଡ଼ା ଅନ୍ୟ କୌଣସି ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଏହାର ସୁଯୋଗରେ ଆନ୍ଧ୍ର ସରକାର ଘରେ ପଶି ସରକାରୀ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି । ଏହି ସୀମା ବିବାଦକୁ ନେଇ ବୁଧବାର ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ଅଧିକାରୀଙ୍କ ମଧ୍ୟ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏଥିରେ ଓଡ଼ିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳଙ୍କ ସମେତ ନନ୍ଦପୁର ଏସଡିପିଓ, ବିଡ଼ିଓ, ତହସିଲଦାର ଏବଂ ଆନ୍ଧ୍ର ପକ୍ଷରୁ ତହସିଲଦାର, ବିଡ଼ିଓ, ଏସଡିପିଓଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏହାମଧ୍ୟ ପଢନ୍ତୁ: ପୁଣି ଆନ୍ଧ୍ରର ଦାଦାଗିରି: ଓଡିଶାରେ ପଶି ଜମି ମାପ କଲେ, ବିରୋଧ କରିବାରୁ ସ୍ଥାନୀୟ ଲୋକଙ୍କୁ ହତ୍ୟା ଧମକ

ହେଲେ ଓଡିଶା ସୀମାରେ ପଶି ଯୋଜନା ବାଣ୍ଟୁଥିବା ଆନ୍ଧ୍ରର ଅଧିକାରୀମାନେ ରାଇପାହାଡ଼ର ସଠିକ କାଗଜପତ୍ର ଦେଖାଇ ପାରିନଥିଲେ l ଏଥିପାଇଁ ଆଉ 3 ମାସ ସମୟ ମାଗିଥିଲେ । କିଛି ଦିନ ପରେ କାଗଜପତ୍ର ଯୋଗାଡ଼ କରିବା ସହିତ ସୀମା ନିର୍ଦ୍ଧାରଣ ପାଇଁ ଆଉ ଥରେ ବୈଠକ କରିବାକୁ ଓଡିଶା ପ୍ରଶାସନଙ୍କୁ ଅନୁରୋଧ କରିଥିଲେ l ବୈଠକରେ ଉପସ୍ଥିତ ଥିବା ଅଧିକାରୀମାନେ ନୂତନ କାର୍ଯ୍ୟଭାର ଗ୍ରହଣ କରିଥିବା ଯୋଗୁଁ ଏ ବିଷୟରେ ଅଧିକ ଜାଣିନଥିବା କହିଥିଲେ । ଯାହାଫଳରେ 3 ମାସ ଭିତରେ ସମସ୍ତ କାଗଜପତ୍ର ଯୋଗାଡ କରିବା ପରେ ଦୁଇ ରାଜ୍ୟର ସୀମା ନିର୍ଦ୍ଧାରଣ ନେଇ ଆଉ ଏକ ବୈଠକ ବସିବ ବୋଲି ସୂଚନା ମିଳିଛି । ଗୋଟିଏ ପଟେ ଓଡ଼ିଶା ସରକାରଙ୍କ ଅବହେଳା, ଅନ୍ୟପଟେ ଆନ୍ଧ୍ରର ମାଳ ମାଳ ଯୋଜନା ଭିତରେ ଆଗକୁ କିପରି ସୀମା ନିର୍ଦ୍ଧାରଣ କରାଯିବା ଏବଂ ରାଇପାହାଡ଼ ଓଡିଶାରେ ରହିବେ ନା ଆନ୍ଧ୍ରରେ ମିଶିବେ ତାହା ସମୟ କହିବ l

ଏନେଇ କୋରାପୁଟ ଜିଲ୍ଳାପାଳ ଅବଦଲ ଅକ୍ତର କହିଛନ୍ତି, ''ଏହା ଭାରତ-ପାକିସ୍ତାନ କିମ୍ବା ଭାରତ-ଚୀନ ସୀମା ନୁହେଁ, ଦୁଇ ରାଜ୍ୟର ଅଧିକାରୀଙ୍କ ଭିତରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ଏ ସଂକ୍ରାନ୍ତରେ ସେ ଆଲୁରୀ ସୀତାରାମା ରାଜୁ ଜିଲ୍ଳାର ଜିଲ୍ଳାପାଳଙ୍କ ସହିତ ଆଲୋଚନା ହୋଇଛି । ବାସ୍ତବ ସୀମାରେଖା ମାପଚୁପ କରାଯିବା ସହ ଉଭୟ ରାଜ୍ୟ ଦ୍ବାରା ଯୋଗାଇ ଦିଆଯାଉଥିବା ଯୋଜନା ଗୁଡିକ ସମ୍ପର୍କରେ ସମୀକ୍ଷା କରାଯିବ । ସର୍ବୋପରି ଓଡ଼ିଶାର ସ୍ବାର୍ଥକୁ ସର୍ବୋଚ୍ଚ ସମ୍ମାନ ଦିଆଯିବ ।''

ଇଟିଭି ଭାରତ, କୋରାପୁଟ

Last Updated :Jul 13, 2023, 1:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.