ଭାଗବତ ଚେତନାରେ ଉବୁଟୁବୁ ପୁରା ପରିବାର, ଧର୍ମ ପୁସ୍ତକରେ ଭରିଛି ଘର

author img

By

Published : Sep 23, 2022, 10:09 PM IST

ଭଗବତ ଚେତନାରେ ଉବୁଟୁବୁ ପୁରା ପରିବାର, ଧର୍ମ ପୁସ୍ତକରେ ଭରିଛି ଘର

ପୁରାଣ ସମ୍ବନ୍ଧୀୟ ପୁସ୍ତକ ସଂଗ୍ରହ ଓ ଏହାକୁ ଅଧ୍ୟୟନ କରିବା ତାଙ୍କର ନିଶାରେ ପରିଣତ ହୋଇଛି । ଅର୍ଥାଭାବ ଥିଲେ ମଧ୍ୟ ପୁସ୍ତକ ସଂଗ୍ରହ କରିବାକୁ ସେ କେବେ ବି ଭୁଲନ୍ତି ନାହିଁ । ଅବସର ପରେ ତାଙ୍କର ପୁସ୍ତକ ସଂଗ୍ରହ ଜାରି ରହିଥିବା ବେଳେ ଛୋଟ ଘର ମଧ୍ୟ ଧର୍ମ ପୁସ୍ତକରେ ଭରି ପଡ଼ିଛି କୋରାପୁଟ ଜିଲ୍ଲା କୋଲାବ ନଗରର ପୁରାଣ ପୁସ୍ତକ ପ୍ରେମୀ ବିଷ୍ଣୁ ଚରଣ ସେଠୀଙ୍କ ଘର । ତାଙ୍କ ପୁରା ପରିବାର ଭାଗବତ ଚେତନାରେ ସର୍ବଦା ବୁଡି ରହିଛନ୍ତି । ଏହି ନିଆରା ପରିବାର ଉପରେ ଦେଖନ୍ତୁ ଏହି ରିପୋର୍ଟ

କୋରାପୁଟ: ଜିଲ୍ଲାର କୋଲାବ ନଗରର ପୁରାଣ ପୁସ୍ତକ ପ୍ରେମୀ ବିଷ୍ଣୁ ଚରଣ ସେଠୀ (Mythological Book Lover Bishnu Sethi) । ତାଙ୍କ ପୁରା ପରିବାର ଭାଗବତ ଚେତନାରେ ଉବୁଟୁବୁ । ପୁରାଣ ସମ୍ବନ୍ଧୀୟ ପୁସ୍ତକ ସଂଗ୍ରହ କରିବା ଯେପରି ତାଙ୍କ ନିଶାରେ ପରିଣତ ହୋଇଛି । ଟଙ୍କାଟିଏ ପାଇଲେ ସେ ତାହାକୁ ପ୍ରଥମେ ପୁସ୍ତକ ସଂଗ୍ରହ ପାଇଁ ସଞ୍ଚୟ କରି ରଖନ୍ତି । ଫଳରେ ତାଙ୍କ ଘର ପାଲଟିଛି ବହି ମୟ । ଛୋଟ ଘର ମଧ୍ୟରେ ସ୍ଥାନର ଅଭାବ ଯୋଗୁଁ କେଉଁଠି ପେଟିରେ ତ କେଉଁଠି ଖଟ ତଳେ ଅମୂଲ୍ୟ ସମ୍ପତ୍ତି ସ୍ବରୂପ ବହିକୁ ସାଇତି ରଖିଛନ୍ତି ବିଷ୍ଣୁ ।

ଭାଗବତ ଚେତନାରେ ଉବୁଟୁବୁ ପୁରା ପରିବାର

ଗତ ୪୦ ବର୍ଷ ପୂର୍ବର କୋଲାବ ଜଳ ବିଦ୍ୟୁତ୍ ଯୋଜନାରେ ଅସ୍ଥାୟୀ କର୍ମଚାରୀ ଭାବେ ୨୦୦ ଟଙ୍କାର ଦରମାରେ ବଞ୍ଚୁଥିବା ସମୟ ହେଉ ବା ବର୍ତ୍ତମାନ ଆଇଆରବି (ଇଣ୍ଡିଆ ରିଜର୍ଭ ବାଟାଲିୟନ)ରୁ ଅବସର ନେବା ପରେ କିଛି ହଜାର ଟଙ୍କାର ପେନସନ । ସେ ସବୁବେଳେ ଖାଇବାଠୁ ପୁସ୍ତକକୁ ଅଧିକ ଗୁରୁତ୍ବ ଦେଇଥାନ୍ତି ।

ଯେତେବେଳେ ବିଷ୍ଣୁଙ୍କ ଧର୍ମ ପତ୍ନୀ ଆଷ୍ପଲତା ନବବଧୂ ସାଜି କୋଲାବ ନଗରର ଛୋଟ ଘରକୁ ଆସିଥିଲେ ସେତେବେଳେ ଏକ ୮୦ ଟଙ୍କାର ପୁସ୍ତକ ପ୍ୟାକେଟକୁ ଡାକଘରୁ ମୁକୁଳାଇବା ଦେଖିବା ପରେ ବିଷ୍ଣୁ ବାବୁଙ୍କ ବହି ନିଶା ସମ୍ପର୍କରେ ଜାଣିବାକୁ ପାଇଥିଲେ । ତେବେ ବିଷ୍ଣୁ ବାବୁଙ୍କ ପୁରାଣ ବହି କିଣିବା ପାଇଁ ଲାଗିଥିବା ଏହି ନିଶାର ପ୍ରତିବନ୍ଧକ ନ ସାଜି ଆଷ୍ପଲତା ମଧ୍ୟ ତାଙ୍କ ଭଳି ପୁସ୍ତକ ପଢିବାର ଅଭ୍ୟାସକୁ ଆପଣାଇ ନେଲେ ।

ଏପରିକି ପତିଙ୍କ ସ୍ୱଳ୍ପ ଆୟରେ ବହି କିଣିବା ପାଇଁ ଅର୍ଥାଭାବ ରହୁଥିବା ଯୋଗୁଁ ସେ ନିଜେ ସିଲେଇ କାମ କରି ଦୁଇ ପଇସା ରୋଜଗାର କରି ପରିବାରର ଆୟ ବୃଦ୍ଧିରେ ସହାୟକ ହୋଇଥିଲେ । ବର୍ତ୍ତମାନ ତାଙ୍କ ଘର ଧର୍ମ ପୁସ୍ତକରେ ଭରି ପଡ଼ିଛି । ଛୋଟ ଘର ଭିତରେ ସ୍ଥାନାଭାବ ଯୋଗୁଁ ବହି ଗୁଡ଼ିକୁ କେଉଁଠି ପେଟିରେ ତ ଆଉ କେଉଁଠି ଖଟ ତଳେ ହଜାର ହଜାର ପୁସ୍ତକ ସାଇତି ରଖିଛନ୍ତି ବିଷ୍ଣୁ ବାବୁ ଓ ତାଙ୍କ ଧର୍ମପତ୍ନୀ ଆଷ୍ପଲତା ।

ନିଜ ସ୍ବାମୀଙ୍କ ଏହି ନିଶାକୁ ନେଇ ପତ୍ନୀ କହିଛନ୍ତି, " ମୋ ସ୍ବାମୀଙ୍କ ପାଇଁ ମୁଁ ବହୁ ଗର୍ବିତ । ଆମ ପରିବାର ସମସ୍ତେ ସର୍ବଦା ପୁରାଣ ଶାସ୍ତ୍ର ସମ୍ପର୍କରେ ଆଲୋଚନା କରିଥାଉ । ଟେଲିଭିଜନରେ ମଧ୍ୟ ପୁରାଣ ସମ୍ବନ୍ଧୀୟ କାର୍ଯ୍ୟ କରିଥାଉ । କେବଳ ଭଗବାନଙ୍କ ସମ୍ପର୍କରେ ଆଲୋଚନା କରିଥାଉ । ଦିନଠୁ ରାତି କେବଳ ଭଗବାନଙ୍କ ସମ୍ପର୍କରେ ଚିନ୍ତା କରିଥାଉ ।"

ବାପା ମାଆଙ୍କ ଏପରି ପୁରାଣ ଓ ଧର୍ମ ପୁସ୍ତକ ପ୍ରତି ଆଗ୍ରହକୁ ଦେଖି ତାଙ୍କ ପୁଅ ମଧ୍ୟ ନିଜ ଦରମାରୁ ପୁସ୍ତକ କିଣିବା ଆରମ୍ଭ କରିଥିବା ବିଷ୍ଣୁ ବାବୁ କହିଛନ୍ତି । ଦିଲ୍ଲୀରେ ଚାକିରୀ କରୁଥିବା ତାଙ୍କ ପୁଅ ଇତିମଧ୍ୟରେ ନିଜେ କିଣିଥିବା ପୁସ୍ତକକୁ ନେଇ ଏକ ବିରାଟ ଲାଇବ୍ରେରୀ କରିସାରିଥିବା ସେଠୀ କହିଛନ୍ତି । ନିଜେ ପଢିବା ସହ ପାଖ ପଡୋଶୀଙ୍କ ମଧ୍ୟରେ ବହି ପଢ଼ିବା ପାଇଁ ପ୍ରେରଣା ଯୋଗାଉଥିବା ବିଷ୍ଣୁ ଚରଣ ସେଠୀଙ୍କ ପରିବାର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.