ETV Bharat / state

କୋଟିଆକୁ ରାଜ୍ୟ ସରକାରଙ୍କ ପ୍ରଥମ ମନ୍ତ୍ରୀଙ୍କ ଗସ୍ତ, କୃଷିମନ୍ତ୍ରୀ ଆସିବା ପରେ ଉତ୍ସାହିତ କୋଟିଆବାସୀ

author img

By

Published : Aug 16, 2023, 10:20 PM IST

କୋଟିଆକୁ ରାଜ୍ୟ ସରକାରଙ୍କ ପ୍ରଥମ ମନ୍ତ୍ରୀଙ୍କ ଗସ୍ତ
କୋଟିଆକୁ ରାଜ୍ୟ ସରକାରଙ୍କ ପ୍ରଥମ ମନ୍ତ୍ରୀଙ୍କ ଗସ୍ତ

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ଛନ୍ଦି ହୋଇପଡିଥିବା କୋଟିଆ ପଞ୍ଚାୟତକୁ ଆଜି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ପ୍ରଥମ ମନ୍ତ୍ରୀ ଭାବେ ଗସ୍ତ କରିଛନ୍ତି । ତେବେ କୃଷିମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ କୋଟିଆବାସୀ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

କୋଟିଆକୁ ରାଜ୍ୟ ସରକାରଙ୍କ ପ୍ରଥମ ମନ୍ତ୍ରୀଙ୍କ ଗସ୍ତ

କୋରାପୁଟ: ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ଏବେ ଓଡି଼ଶା ଏବଂ ଆନ୍ଧ୍ର ସରକାରଙ୍କ ବିବାଦ ଭିତରେ ଛନ୍ଦି ହୋଇ ରହିଛି । ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କର ଏହି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ ଜାରି ରହିଛି । ଏପରିସ୍ଥଳେ କୋଟିଆ ପଞ୍ଚାୟତକୁ ରାଜ୍ୟ ସରକାରଙ୍କ ତରଫରୁ ସଚିବ ଓ କେନ୍ଦ୍ର ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ଥିବା ଓଡ଼ିଆ ନେତା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଗସ୍ତ କରି ସାରିଥିବାବେଳେ ଏବେ ପର୍ଯ୍ୟନ୍ତ ଓଡିଶା ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ଆସିନଥିବାରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ତେବେ ଆଜି ରାଜ୍ୟ ସରକାରଙ୍କ ତରଫରୁ କୃଷି ଓ କୃଷକ ସଶକ୍ତି କରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଥମ ମନ୍ତ୍ରୀ ଭାବେ କୋଟିଆ ଗସ୍ତ କରି ଜନସାଧାରଣଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛନ୍ତି ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କୋଟିଆ ପଞ୍ଚାୟତର ଜାନିଗୁଡାଠାରେ ଜିଲ୍ଲା ପ୍ରଶାସନର ସହସଯୋଗରେ ଗଢ଼ି ଉଠିଥିବା ବାସନା ଗେମେଲଙ୍କ ବଗିଚା ବୁଲି ଦେଖିବା ସହିତ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ବଗିଚାରେ କରାଯାଉଥିବା ଷ୍ଟ୍ରବେରୀ, ମାଛ, କଦଳୀ, ଅମୃତ ଭଣ୍ଡା, ଆମ୍ବ ଓ ବତକ ଚାଷ ବୁଲି ଦେଖିଥିଲେ । ଏନେଇ ମନ୍ତ୍ରୀ କହିଛନ୍ତି, "ବିଭିନ୍ନ ପ୍ରକାର ଚାଷ କରି ବାସନା ଗେମେଲ ନିଜେ ସ୍ବାବଲମ୍ବୀ ହେବା ସହିତ ବଗିଚାରେ ୧୦ ଜଣଙ୍କୁ ବଞ୍ଚିବାର ରାହା ଦେଇଛନ୍ତି । ବିଭିନ୍ନ ପ୍ରକାର ଚାଷ କରି ବାସନା ଗେମେଲ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ସଫଳ ଚାଷୀ ଭାବେ ଅନେକ ଥର ରାଜ୍ୟ ସରକାରଙ୍କ ଠାରୁ ବାସନା ଗେମେଲ ପୁରସ୍କୃତ ହୋଇଥିବାରୁ ଏ ଅଞ୍ଚଳ ପାଇଁ ସେ ଏକ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Kotia Dispute: ଆନ୍ତରିକତା ଅଭାବରୁ ତୁଟୁନି ସୀମା ବିବାଦ, ବିଜେଡି କହିଲା ଗୋଡାଇ ପିଟିବୁ

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାସନା ଗେମେଲଙ୍କ ବଗିଚା ବୁଲି ଦେଖିବା ସହିତ ବାସନା ଗେମେଲଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । କୋଟିଆ ପଞ୍ଚାୟତରେ ଉତ୍ପାଦନ ହେଉଥିବା ଝାଡୁ, ମାଛ, କଦଳୀ, ଅଦା, ଷ୍ଟ୍ରବେରୀ ଭଳି ବିଭିନ୍ନ ଫଳ ଓ ପନି ପରିବା ଚାଷକୁ ଅଧିକରୁ ଅଧିକ ଆଗ୍ରହ ଦେବାପାଇଁ ମନ୍ତ୍ରୀ କୋଟିଆ ଚାଷୀ ମାନଙ୍କୁ ଆହ୍ବାନ ଦେଇଥିଲେ । ସରକାରଙ୍କ ତରଫରୁ କରାଯାଇଥିବା କାର୍ଯ୍ୟକ୍ରମ ପ୍ରକୃତରେ ଚାଷୀମାନଙ୍କ ପାଖରେ ପହଞ୍ଚିଛି କି ନାହିଁ, ସେ ବିଷୟରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ ମନ୍ତ୍ରୀ । ରାଜ୍ୟ ସରକାରଙ୍କ ତରଫରୁ ସ୍ବୟଂ ସହାୟକ ଗୋଷ୍ଠି ଓ ଚାଷୀମାନଙ୍କୁ ୪୦ ପ୍ରତିଶତ ରିହାତି ଦିଆଯାଉଛି । ଆଗକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଯେଉଁ ମହିଳାମାନେ ସଠିକଭାବେ ସରକାରୀ ଅନୁଦାନକୁ ଉପଯୋଗ କରୁଛନ୍ତି, ସେମାନଙ୍କୁ ୧୦୦ ପ୍ରତିଶତ ସବ୍‌ସିଡି ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଗତବର୍ଷ ୨୦ ହଜାର କୋଟି ଟଙ୍କା ବଜେଟ ଥିବାବେଳେ ଚଳିତ ବର୍ଷ ୨୪ ହଜାର ୮୦୦ କୋଟି ଟଙ୍କା ରଖା ଯାଇଛି । ପାହାଡି ଇଲାକା, ଆଦିବାସୀ ଓ ହରିଜନ ଅଞ୍ଚଳକୁ ଅଧିକ ମାତ୍ରାରେ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.