ETV Bharat / state

Kotia Dispute: ଆନ୍ତରିକତା ଅଭାବରୁ ତୁଟୁନି ସୀମା ବିବାଦ, ବିଜେଡି କହିଲା ଗୋଡାଇ ପିଟିବୁ

author img

By

Published : Jul 28, 2023, 8:56 PM IST

ଆନ୍ତରିକତା ଅଭାବରୁ ତୁଟୁନି ସୀମା ବିବାଦ, ବିଜେଡି କହିଲା ଗୋଡେଇ ପିଟିବୁ
ଆନ୍ତରିକତା ଅଭାବରୁ ତୁଟୁନି ସୀମା ବିବାଦ, ବିଜେଡି କହିଲା ଗୋଡେଇ ପିଟିବୁ

କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଗତକାଲି ଆନ୍ଧ୍ର ସରକାରଙ୍କ ଜଗନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରିଛନ୍ତି । ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ

ଆନ୍ତରିକତା ଅଭାବରୁ ତୁଟୁନି ସୀମା ବିବାଦ, ବିଜେଡି କହିଲା ଗୋଡେଇ ପିଟିବୁ

ଭୁବନେଶ୍ବର: କୋଟିଆକୁ ଆନ୍ଧ୍ର ଓ ଓଡିଶା ବାରମ୍ବାର ମୁହାଁମୁହିଁ ହେଉଛନ୍ତି । କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ବାହାରି ପାରିନାହିଁ । ସୀମା ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟର ଅଧିକାରୀ ବୈଠକ ହେଉଛି । ହେଲେ ଫଳ କିଛି ବାହାରି ପାରୁନାହିଁ । ଅନ୍ୟପଟେ କୋଟିଆରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ପ୍ରଭାବ ଦେଖାଇବାକୁ ପ୍ରୟାସ କରୁଛନ୍ତି । ଗତକାଲି ଲୁଚିଛପି ଅନୁପ୍ରବେଶ କରିବା ଆନ୍ଧ୍ର ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଜନପ୍ରତିନିଧି ଆନ୍ଧ୍ର ଗୋ ବ୍ୟାକ୍‌ ନାରା ଦେବାରୁ ଆନ୍ଧ୍ର ଅଧିକାରୀ ଅପଦସ୍ତ ହୋଇ ଫେରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଏପରି ପରିସ୍ଥିତି ଉପୁଜିଥିବା ବିଜେପି ଅଭିଯୋଗ କରିଛି । 5T ସଚିବ ସବୁ ଆଡେ ଯାଉଛନ୍ତି କିନ୍ତୁ କୋଟିଆ କାହିଁକି ଯାଉନାହାଁନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ଜବାବ ରଖି ପଟାଙ୍ଗି ବିଜେଡି ବିଧାୟକ କହିଛନ୍ତି ଅନୁପ୍ରବେଶକାରୀଙ୍କୁ ଗୋଡାଇ ଗୋଡାଇ ପିଟିବୁ ।

ଏହାବି ପଢନ୍ତୁ- କୋଟିଆରେ ଆନ୍ଧ୍ରର 'ଜଗନ ସୁରକ୍ଷା ଯୋଜନା', ରାଜ୍ୟ ସରକାର ନିଷ୍କ୍ରିୟ କହିଲା ବିଜେପି

କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଗତକାଲି ଆନ୍ଧ୍ର ସରକାରଙ୍କ ଜଗନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରିଛନ୍ତି । 233 ଜଣ ହିତାଧିକାରୀଙ୍କୁ ଜଗନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ପ୍ରମାଣପତ୍ର ମଧ୍ୟ ବଣ୍ଟନ କରିଛନ୍ତି । ସେହିପରି ପଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ଫାଟୁସିନେରି ଗାଁରେ ଭ୍ରାମ୍ୟମାଣ ସାଧାରଣ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରିଛି । ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଛି । ଭ୍ରାମ୍ୟମାଣ ପିଡିଏସ ଯୋଜନାରେ ପଞ୍ଚାୟତର 2426 ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଇଛି । ଏଣିକି ଘରେ ହିତାଧିକାରୀଙ୍କୁ ଚାଉଳ ଦିଆଯିବ । ହିତାଧିକାରୀଙ୍କୁ ଆଉ ଦୂରକୁ ଯିବାକୁ ପଡ଼ିବ ନାହିଁ । ଫାଟୁସିନେରା, ଫଗୁଣସିନେରୀ ଓ ମାଡ଼କାର ଗ୍ରାମରେ ଏହି ଯୋଜନା ଆରମ୍ଭ ହୋଇଛି । ସୀମା ବିବାଦର ସ୍ଥାୟୀ ସମାଧାନ ବଦଳରେ ଯୋଜନା ବଣ୍ଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, କୋଟିଆକୁ ନେଇ ବିଜେପିର ମନ ଓ ମତ ସ୍ପଷ୍ଟ । ମୁଁ ରାଜସ୍ବ ବିଭାଗର ମନ୍ତ୍ରୀ ଥିଲି । 1968 ମସିହାରେ ଯେଉଁ କେସ ହୋଇଥିଲା ତାହାର ତର୍ଜମା କରିଥିଲୁ । କେସ ଲଢୁଥିଲୁ । ସେତେବେଳେ ଠିକ ଦିଶା ଦର୍ଶନ କରିଥିଲୁ । ତାହାର ଫଲୋଅପ କରିବା ସରକାରଙ୍କ ଦାୟିତ୍ବ । କିନ୍ତୁ 14 ବର୍ଷ ହେଲା ଓଡିଶା ସରକାର ଏଥିରେ ହେଳା କରିଛନ୍ତି । ସରକାର କେବଳ ପ୍ରଚାର ଓ ଘୋଷଣା ସର୍ବସ୍ବ ହୋଇ ରହିଗଲେ । ସେଠାରେ କାର୍ଯ୍ୟକ୍ରମ ଓ ଲୋକଙ୍କ ସହିତ ଆତ୍ମୀୟତା କମିଗଲା । ସରକାରଙ୍କ ଦୃଢ଼ତା ରହିଲା ନାହିଁ । ଓଡ଼ିଶାର ବୃହତର ସ୍ବାର୍ଥ ଦୃଷ୍ଟିରୁ ଯାହା କରିବା କଥା ନକରି ନିଷ୍କ୍ରିୟ ହେବା କାରଣରୁ ଏହା ହୋଇଛି । କୋଟିଆ ପ୍ରସଙ୍ଗକୁ ଦୃଢ଼ ହସ୍ତରେ ସରକାର ଦମନ କରିବା ଉଚିତ । ସବୁ କାଗଜପତ୍ର ଆମ ପାଖରେ ଅଛି । ଆମ ପାଖରେ ବ୍ୟବସ୍ଥା ଅଛି । କେବଳ ସରକାର ସକ୍ରିୟ ହେବା ଉଚିତ । ଇଚ୍ଛା ଶକ୍ତି ଦରକାର । ଦୃଢ଼ ନିଷ୍ପତ୍ତି ନେବା ଦରକାର । ଯଦି ଏହା ନକରନ୍ତି ଭବିଷ୍ୟତରେ ଲୋକେ ସରକାରଙ୍କୁ କ୍ଷମା ଦେବେନାହିଁ । ଏଥିପାଇଁ କି ଓଡିଶା ଠିକ ଭାବେ ପଦକ୍ଷେପ ନେଉନାହିଁ ବୋଲି ଆଜି ଏ ଅବସ୍ଥା ସୃଷ୍ଟି ହୋଇଛି ।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଆମେ ପୂର୍ବରୁ ଘୋଷଣା କରିଛୁ ଓଡ଼ିଶାର ଗୋଟେ ଇଞ୍ଚ ଜମି କାହାକୁ ଦିଆଯିବନାହିଁ । କଂଗ୍ରେସ ଏହି ଶପଥ ନେଇଛି । କଂଗ୍ରେସ ଜୋରଦାର ଲଢେଇ କରିବ । ଯାହା ବଳିଦାନ ଦେବା କଥା ଦେବୁ ହେଲେ ଇଞ୍ଚେ ଜାଗା ଦେବୁନାହିଁ । ବିଜେଡି-ବିଜେପି ସରକାର ମିଳିତ ଭାବେ ଥିବା ସମୟରେ କିଛି କଲେ ନାହିଁ । ଏବେ ନବୀନ ସରକାର ଚୁପ ବସିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଯାଇକି ସ୍ଥିତି ଅନୁଧ୍ୟାନ କରନ୍ତୁ । ନହେଲେ 5 ଟି ସଚିବଙ୍କୁ ପଠାନ୍ତୁ । ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ତେବେ 5ଟି ସଚିବ କୋଟିଆକୁ କାହିଁକି ଯାଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି, ସେମାନେ କଣ କରୁଛନ୍ତି କିଛି ଜଣାପଡୁନାହିଁ । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆନ୍ଧ୍ର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଲୋଚନା କରନ୍ତୁ । ବିଜେଡି କେବଳ ଭୋଟ ପାଇଁ ରାଜନୀତି କରେ ।

ଏହାବି ପଢନ୍ତୁ- ପାହାଡ କୋଳରେ ଲୁଚକାଳି ଖେଳୁଛି ବର୍ଷାରାଣୀ ! ଥରେ କୋଟିଆର ସୌନ୍ଦର୍ଯ୍ୟ ଦେଖିଲେ ଲାଖିଯିବ ଆଖି

ସେପଟେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ । ପ୍ରୀତମ କହିଛନ୍ତି ଯେ, କୋଟିଆକୁ ଅନୁପ୍ରବେଶ କଲେ ମାଡ ଖାଇବେ । ନେତା, ଅଧିକାରୀଙ୍କୁ ଗୋଡାଇ ଗୋଡାଇ ମାଡ ହେବ । ଗତକାଲି ସେମାନଙ୍କୁ କୋଟିଆରେ ବିରୋଧ କରାଯାଇଥିଲା । ଶେଷ ରକ୍ତବିନ୍ଦୁ ଯାଏଁ କୋଟିଆ ଲଢେଇ ଜାରି ରହିବ । ବିଜେପି କଥା କାହିଁକି କହୁଛନ୍ତି । ବିଜେପି ଖାଲି କଥା କହିବା ପାଇଁ ଅଛି । ଓଡିଶା କିମ୍ବା ଓଡ଼ିଆଙ୍କ ସ୍ବାର୍ଥ ପାଇଁ ତାଙ୍କର ଅବଦାନ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଏଥିରେ ବିଜେପି ହତୋତ୍ସାହିତ ହୋଇ ଏପରି ପ୍ରଳାପ କରୁଛି । ଦୀର୍ଘ ବର୍ଷ ହେଲା ଓଡ଼ିଶାରେ ଅନ୍ୟ ଦଳର ସରକାର ଓଡ଼ିଶାରେ ଥିଲା । କୌଣସି ସରକାରଙ୍କ କୋଟିଆ ପ୍ରତି ଦୃଷ୍ଟି ନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଦାୟିତ୍ବ ନେବା ପରେ ଆଜି କୋଟିଆ ଅନ୍ୟାନ୍ୟ ଅଞ୍ଚଳଠାରୁ ଅଧିକ ବିକଶିତ ହୋଇଛି । କୋଟିଆରେ ସମସ୍ତ ସୁବିଧା ଉପଲବ୍ଧ ଅଛି । କୋଟିଆର ସାମାଜିକ ଓ ଆର୍ଥିକ ଉନ୍ନତି କେମିତି ହେବ ସେନେଇ ବ୍ୟବସ୍ଥା ହୋଇଛି । ରାସ୍ତା, ବିଜୁଳି, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ହୋଇଛି । ଯେହେତୁ ଆଗରୁ କୋଟିଆରେ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ନଥିବାରୁ ଆନ୍ଧ୍ରପ୍ରଦେଶ ପଶି ପାରୁନଥିଲା । ଏବେ ସବୁ ସୁବିଧା ଥିବାରୁ ଆନ୍ଧ୍ର ପଶିବାକୁ ଚେଷ୍ଟା କରୁଛି, ଡ୍ରାମା କରୁଛନ୍ତି । 1936ରୁ କୋଟିଆ ଆମର ରହିଛି । ନିର୍ବାଚନ, ଉନ୍ନୟନ କାମ ଚାଲିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆନ୍ଧ୍ର ସରକାର ସମ୍ମାନ ଦେବା ଦରକାର । କିନ୍ତୁ ଆନ୍ଧ୍ର ଏହାର ଖିଲାପ କରୁଛି । ସୁପ୍ରିମକୋର୍ଟ ଆନ୍ଧ୍ର ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ଗତକାଲି ମଧ୍ୟ ଆନ୍ଧ୍ରର କିଛି ଅଧିକାରୀ ଆମ ଅଞ୍ଚଳକୁ ଆସିଥିଲେ । ଆମ ସମର୍ଥକ ତାଙ୍କୁ ବିରୋଧ କରିଛନ୍ତି । ସେଠାରୁ ଘଉଡାଇ ଦେଇଛନ୍ତି । ଆନ୍ଧ୍ରକୁ କୋଟିଆରେ ପଶେଇ ଦିଆଯିବନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.