ETV Bharat / state

ଜାଡ଼ରେ ଥରୁଛି ଓଡ଼ିଶା, ସପ୍ତାହେ ଯାଏଁ ନିସ୍ତାର ନାହିଁ

author img

By ETV Bharat Odisha Team

Published : Dec 13, 2023, 7:22 PM IST

Weather Update: ଜାଡ଼ରେ ଥରୁଛି ସାରା ଓଡ଼ିଶା । ୧୫ ଡିଗ୍ରୀ ତଳେ ଟ୍ବିନ୍‌ ସିଟିର ପାରଦ । ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ତେବେ ଆସନ୍ତା ୭ ଦିନ ପର୍ଯ୍ଯନ୍ତ ଏହି ତାପମାତ୍ରା ବିଶେଷ ବଢ଼ିବାର କୌଣସି ସମ୍ଭାବନା ନାହିଁ । ଅଧିକ ପଢ଼ନ୍ତୁ

ଜାଡ଼ରେ ଥରୁଛି ଓଡ଼ିଶା
ଜାଡ଼ରେ ଥରୁଛି ଓଡ଼ିଶା

ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ବର: ପୁଣି ଫେରିଛି ଶୀତ । ରାଜ୍ୟରେ ତିନିଦିନ ଧରି ଶୀତ ଅନୁଭବ ହେଉଥିବା ବେଳେ ୧୫ ଡିଗ୍ରୀ ତଳେ ଟ୍ବିନ୍‌ ସିଟିର ପାରଦ । ୯.୨ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର କୋରେଇ । କେବଳ ଶୀତ ନୁହେଁ, ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ଏହାଦ୍ବାରା ଯାତାୟତରେ ବାଧା ସୃଷ୍ଟି ହେଉଛି । ସନ୍ଧ୍ୟା ହେଲେ ଶୀତ ବି ହେଉଛି । ଘରୁ ବାହାରିବା ଅସମ୍ଭବ ହୋଇପଡୁଛି । ତେଣୁ ଲୋକେ ନିଆଁ ଜାଳି ଶୀତ ଉପଶମ କରୁଥିବା ସହର କେତେକ ସ୍ଥାନରେ ଦେଖିବାକୁ ମିଳୁଛି । ସେହିପରି ରାତିର ତାପମାତ୍ରା କେନ୍ଦୁଝରରେ ୯.୬ ଡିଗ୍ରୀ ତଳେ ରହୁଛି । କେତେକ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ଓ କଟକରେ ୧୪.୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ସ୍ଵାଭାବିକ ଠାରୁ ଦୁଇ ସହରରେ ୧.୪ ଡିଗ୍ରୀ ତାପମାତ୍ରା କମ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ତେବେ ଉପକୂଳରେ ୧୪ ଡିଗ୍ରୀରୁ ୧୭ ଡିଗ୍ରୀ ସେଲ୍‌ସିୟସ୍‌ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୧ରୁ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହିଛି ତାପମାତ୍ରା । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ବାସ କହିଛନ୍ତି, "ବର୍ତ୍ତମାନ ରାଜ୍ୟର ରାତି ତାପମାତ୍ରା ସ୍ଵାଭାବିକ ରହୁଥିବାବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୨ରୁ ୩ ଡିଗ୍ରୀ କମ ରହୁଛି । ଆସନ୍ତା ୭ ଦିନ ଯାଏଁ ପାଗ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଦେଖାଯିବ ।" ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, ରାୟଗଡା ଓ କୋରାପୁଟ ଜିଲ୍ଲାରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଶୀତ ଲହରୀ: ସବୁଠୁ ଥଣ୍ଡା ଜି. ଉଦୟଗିରି, ୧୫ ଡିଗ୍ରୀ ତଳେ ଟ୍ୱିନ୍ ସିଟି ପାରଦ

ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ମତରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ଶୀତ ଅନୁଭବ ହେବ । ସ୍ବାଭାବିକ ଠାରୁ ସାମାନ୍ୟ ତାପମାତ୍ରା ହ୍ରାସ ପାଇବ । ବର୍ତ୍ତମାନ ରାଜ୍ୟରେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଏହାରି ପ୍ରଭାବରେ ରାତି ତାପମାତ୍ର ସାମାନ୍ୟ ହ୍ରାସ ପାଇଛି । ଏହାଛଡ଼ା ବାୟୁମଣ୍ଡଳରେ ଜଳୀୟବାଷ୍ପ ବିଶେଷ ନଥିବାରୁ ଦିନ ବେଳେ ତାତି ଏବଂ ରାତିରେ ଥଣ୍ଡା ଅନୁଭବ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ରାଜ୍ୟରେ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଭିତରେ ରହିବାକୁ ନେଇ ପୂର୍ବାନୁମାନ କରାଯାଇଛି । ବର୍ଷା ଯୋଗୁଁ ବିଳମ୍ବରେ ଏ ବର୍ଷ ଶୀତ ଅନୁଭବ ହୋଇଛି ବୋଲି କହିଛି ପାଣିପାଗ ବିଭାଗ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.