ETV Bharat / state

ରାଜରାସ୍ତାରେ ଧନ୍ଦାମୂଳକ ଶିକ୍ଷକ, ଦାବି ପୂରଣ ନହେଲେ ପାଠପଢ଼ା ବନ୍ଦ ଚେତାବନୀ

author img

By

Published : Nov 2, 2022, 1:20 PM IST

vocational trainer protest at lower pmg demands for permanent employment
ରାଜରାସ୍ତାରେ ଧନ୍ଦାମୂଳକ ଶିକ୍ଷକ, ଦାବି ପୂରଣ ନହେଲେ ପାଠପଢ଼ା ବନ୍ଦ ଚେତାବନୀ

ବିଭିନ୍ନ ଦାବି ନେଇ ରାଜଧାନୀରେ ଭୋକେସନାଲ ଟ୍ରେନରଙ୍କ ଗଣଧାରଣା । ସମାନ କାମକୁ ସମାନ ଦରମା ସହ ପୂର୍ଣ୍ଣ ଶିକ୍ଷକତା ଦାବିରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ହଜାର ହଜାର ଭୋକେସନାଲ ଟ୍ରେନର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇଲେ ଧନ୍ଦାମୂଳକ ଶିକ୍ଷକ । ସ୍ଥାୟୀ ନିଯୁକ୍ତି ସହ ସମାନ କାମକୁ ସମାନ ଦରମା ପ୍ରଦାନ ଦାବିରେ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପଢ଼ାଉଥିବା ଦୁଇ ହଜାରରୁ ଅଧିକ ଶିକ୍ଷକ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଦାବି ପୂରଣ ନହେବା ଯାଏ ଧାରଣା ଜାରି ରଖିବା ସହ ପାଠ ପଢ଼ା ବନ୍ଦ ବୋଲି ଚେତାବନୀ ଦିଆଯାଇଛି ।

ରାଜରାସ୍ତାରେ ଧନ୍ଦାମୂଳକ ଶିକ୍ଷକ

ଗୋଟିଏ ପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଧନ୍ଦାମୂଳକ ଶିକ୍ଷାକୁ ପ୍ରାଥମିକତା ଦେଉଛନ୍ତି । ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି । ସେଥିପାଇଁ ନୂଆନୂଆ ପାଠ୍ୟକ୍ରମ ଖୋଲାଯାଇଛି । ଅଧିକରୁ ଅଧିକ ପିଲା ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି । ଜାତୀୟ ଶିକ୍ଷା ନୀତିରେ ବି ଧନ୍ଦାମୂଳକ ଶିକ୍ଷା ସ୍ଥାନ ପାଇଛି । ଆଉ ଅନ୍ୟପଟେ ଧନ୍ଦାମୂଳକ ଶିକ୍ଷକ ହକ୍‌ ପାଇଁ ଏବେ ରାଜରାସ୍ତାରେ ଲଢେଇ କରୁଛନ୍ତି । ସ୍ଥାୟୀ ନିଯୁକ୍ତି ସହ ସମାନ ଦରମା ଦାବିରେ ଦୁଇ ଦିନ ହେଲା ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଫଳରେ ହାଇସ୍କୁଲ ଗୁଡ଼ିକରେ ଧନ୍ଦାମୂଳକ ଶିକ୍ଷା ପାଠପଢ଼ା ଠପ୍‌ ହୋଇଯାଇଛି । ନ୍ୟାୟ ନ ମି‌ଳିବା ପର୍ଯ୍ୟନ୍ତ ଲୋୟର ପିଏମ୍‌ଜି ଛାଡ଼ିଯିବେ ନାହିଁ ବୋଲି ରୋକଠୋକ୍‌ ଶୁଣାଇବା ସହ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଭୋକେସନାଲ୍‌ ଟ୍ରେନର୍ସ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌

ଭୋକେସନାଲ୍‌ ଟ୍ରେନର୍ସ ସଂଘ ପକ୍ଷରୁ କୁହାଯାଇଛି ଯେ,"ରାଜ୍ୟର 1022 ସରକାରୀ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 2044 ଜଣ ଧନ୍ଦାମୂଳକ ଶିକ୍ଷକ 2016ରୁ ଘରୋଇ କମ୍ପାନୀ ଅଧୀନରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି । ସମାନ କାମକୁ ସମାନ ଦରମା, ଚାକିରିର ସର୍ତ୍ତାବଳୀ, ଦରମା ବୃଦ୍ଧି, ଶିକ୍ଷାର ଘରୋଇକରଣ ବନ୍ଦ କରିବା, କମ୍ପାନି ବଦଳରେ ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାୟିତ୍ବ ନେବାକୁ ଦୀର୍ଘ ଦିନ ହେଲା ଦାବି କରାଯାଉଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ।" ଆହୁରି ମଧ୍ୟ କୁହାଯାଇଛି, ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ନେଇ ତୁରନ୍ତ ହସ୍ତକ୍ଷେପ କରନ୍ତୁ । ନହେଲେ ଶିକ୍ଷକମାନେ ବିଦ୍ୟାଳୟକୁ ଫେରିବେ ନାହିଁ କି ପିଲାଙ୍କ ପାଠପଢ଼ାରେ ସହଯୋଗ କରିବେନି । ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.