ETV Bharat / state

Train Tragedy: ‘ମୋ ପାଟିରୁ ବାହାରି ଆସିଥିଲା ହେ ଠାକୁର ବଞ୍ଚାଅ, ମୃତ୍ୟୁ ଆଗରୁ ଫେରି ଆସିଛି’

author img

By

Published : Jun 10, 2023, 3:41 PM IST

victim dilip kumar pattanaik
victim dilip kumar pattanaik

ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁମୁଖରୁ ନୂଆ ଜୀବନ ପାଇଛନ୍ତି ଇଞ୍ଜିନିୟର ଦିଲୀପ କୁମାର ପଟ୍ଟନାୟକ। ସେ କହିଛନ୍ତି ଯେ ମୃତ୍ୟୁକୁ ସାମ୍ନାରେ ଦେଖି ମୃତ୍ୟୁ ଆଗରୁ ଫେରି ଆସିବାର ଏଇ ଅନୁଭୂତି ଜୀବନରେ କେବେ ବି ଭୁଲି ହେବ ନାହିଁ । ଅଧିକ ପଢନ୍ତୁ

ମୋ ପାଟିରୁ ବାହାରି ଆସିଥିଲା ହେ ଠାକୁର ବଞ୍ଚାଅ

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡି । ସେହି ଭୟଙ୍କର ରେଳ ଦୁର୍ଘଟଣାରେ 288 ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ମୃତ୍ୟୁମୁଖରୁ ନୂଆ ଜୀବନ ପାଇଛନ୍ତି ଇଞ୍ଜିନିୟର ଦିଲୀପ କୁମାର ପଟ୍ଟନାୟକ। କରମଣ୍ଡଳ ଏକ୍ସପ୍ରେସ୍‌ର ଏସ 5 ବଗିରେ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତାଙ୍କ ସହ ଆଉ କିଛି ଜଣ ନିକଟସ୍ଥ ବନ୍ଧୁ ଯାତ୍ରା କରୁଥିଲେ। ପାଖାପାଖି 6 ଟା 30 ସମୟରେ ସେମାନେ ପରସ୍ପର ମଧ୍ୟରେ ଆଧ୍ୟାତ୍ମିକ ଆଳାପ କରୁଥିବାବେଳେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏନେଇ ସେ ସମୟର ଅନୁଭୂତି ବଖାଣିଛନ୍ତି ଦିଲୀପ ପଟ୍ଟନାୟକ। ସେ କୁହନ୍ତି ଯେ, ଆଧ୍ୟାତ୍ମିକ ବାର୍ତ୍ତାଳାପ ଚାଲିଥିବା ବେଳେ ଭଲରେ ଭଲରେ ବାଲେଶ୍ଵର ଷ୍ଟେସନ ଟପିଲୁ। ସନ୍ଧ୍ୟା 6 ଟା 30ରେ ପ୍ରାର୍ଥନା ଆରମ୍ଭ କରିଥିଲୁ। ପ୍ରାର୍ଥନା ସରିବାର କିଛି ସମୟ ପରେ ହଠାତ ପ୍ରଚଣ୍ଡ ଶବ୍ଦ ହେଲା ଓ ଲାଗିଲା ଯେମିତି ଭୂମିକମ୍ପ ହେଲାଭଳି। ଏଇ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଛାତି ଥରିଗଲା। ହଠାତ ବୁଝିପାରିଲୁନି କ’ଣ ହେଲା।

ତା’ପରେ ଆମ ଏସ 5 କମ୍ପାର୍ଟମେଣ୍ଟ ଧଡ଼କିନା ଉପରକୁ ଉଠିଗଲା ଏବଂ ପୁଣିଥରେ ତଳକୁ ଖସିଲା। ସମସ୍ତେ ବିକଳରେ ଚିତ୍କାର କରିଉଠିଲେ। ମୋ ପାଟିରୁ ବାହାରି ଆସିଥିଲା ହେ ଠାକୁର ବଞ୍ଚାଅ । ଏହି ଦୁର୍ଘଟଣା ବେଳେ ଆଉ ଏକ ବଗି ଉପରେ ଉପରମୁହାଁ ହୋଇ ରହିଗଲା ଆମ ବଗି । ଜିନିଷପତ୍ର ସବୁ ଅଜାଡ଼ି ହୋଇପଡ଼ିଲା ଆମ ଉପରେ। ସେଇ ଝଟକାରେ ଆମେ ଟ୍ରେନ ସିଟ ଓ ରେଲିଂ ସହ ପିଟି ହୋଇଗଲୁ। ଏହାପରେ ଜାଣିପାରିଲୁ କି ଦୁର୍ଘଟଣା ଘଟିଲା ।

ଆମ ବଗିରେ କେତେଜଣ ଆହତ ବି ହେଲେ କିନ୍ତୁ ଗୁରୁତର ମଧ୍ୟ ହେଲେ ତଥାପି ଦେହ ହାତରେ ମାଡ ଲାଗିଥିବା ବେଳେ ଉଠିବା କଷ୍ଟକର ହୋଇପଡ଼ିଥିଲା। ଏପଟେ ଟ୍ରେନ କମ୍ପାର୍ଟମେଣ୍ଟ ଅନ୍ଧାର ସେପଟେ ବାହାର ବି ଅନ୍ଧାର ରହିଥିଲା। ଖାଲି ଶୁଭୁଥାଏ ଲୋକଙ୍କ ବିକଳ ଚିତ୍କାର, କାନ୍ଧ ବୋବାଳି, କିଏ ତାର ସ୍ବାମୀ କୁ ଡାକୁଛି ତ ଆଉ କିଏ ତାର ପୁଅ ଝିଅ ଙ୍କୁ ଖୋଜୁଛି। ବହୁତ୍ କଷ୍ଟରେ ଟ୍ରେନ ର ଗେଟ୍ ନିକଟକୁ ଆସିଥିବା କହିଛନ୍ତି ଦିଲୀପ ।

ଏହାପରେ ବଗିରୁ ଓହ୍ଲାଇ ବଞ୍ଚାଇବା ଉଦ୍ୟମ ଆରମ୍ଭ କରିଥିଲୁ। ଦେହରେ ଯାହା ମାଡ଼ ହୋଇ ଆହାତ ହୋଇଥିଲୁ ସେ ସବୁକୁ ଖାତିର ନକରି ଆରମ୍ଭ ହୋଇଥିଲା ଆହାତ ମାନଙ୍କୁ ବଞ୍ଚାଇବା ଅଭିଯାନ। ସ୍ଥାନୀୟ ଲୋକେ ଆସି ମଧ୍ୟ ଯାତ୍ରୀଙ୍କୁ ବାହାର କରୁଥାଆନ୍ତି। ଆମେ ତାଙ୍କ ସହ ମିଶିଗଲୁ ପ୍ରାୟ ୪୦ ଜଣଙ୍କୁ ବାହାର କରି ସେମାନଙ୍କୁ ଅଟୋ ଓ ଅନ୍ୟ ଗାଡ଼ିରେ ଡାକ୍ତରଖାନା ପଠାଇଲୁ। ମୃତ୍ୟୁକୁ ସାମ୍ନାରେ ଦେଖି ମୃତ୍ୟୁ ଆଗରୁ ଫେରି ଆସିବାର ଏଇ ଅନୁଭୂତି ଜୀବନରେ କେବେ ବି ଭୁଲି ହେବ ନାହିଁ ବୋଲି କହିଛନ୍ତି ଦିଲୀପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.