ETV Bharat / state

ଚିରଞ୍ଜୀବ ଓ ମୋକିମ ସନ୍ତୋଷଜନକ ଉତ୍ତର ଦିଅନ୍ତୁ, ନିଲମ୍ବନ ପ୍ରତ୍ୟାହାର ପାଇଁ ଆମେ ଦାବି କରିବୁ: ସୁର

author img

By

Published : Jul 17, 2023, 10:44 PM IST

ଚିରଞ୍ଜୀବ ଓ ମୋକିମଙ୍କ ନିଲମ୍ବନ ନେଇ ସୁରଙ୍କ ପ୍ରତିକ୍ରିୟା
ଚିରଞ୍ଜୀବ ଓ ମୋକିମଙ୍କ ନିଲମ୍ବନ ନେଇ ସୁରଙ୍କ ପ୍ରତିକ୍ରିୟା

ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ ଓ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳରୁ ନିଲମ୍ବନ ପରେ କଂଗ୍ରେସ କନ୍ଦଳ ଉଗ୍ରରୂପ ନେଉଛି । ସେପଟେ ଉଭୟ ସନ୍ତୋଷଜନକ ଉତ୍ତର ରଖିଲେ ସେମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଆମେ ଦାବି କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଚିରଞ୍ଜୀବ ଓ ମୋକିମଙ୍କ ନିଲମ୍ବନ ନେଇ ସୁରଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: କଂଗ୍ରେସ ଦୁଇ ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବନ କରିବା ପରେ ଏବେ କନ୍ଦଳ ଉଗ୍ରରୂପ ଧାରଣ କରିଛି । ଆଗକୁ ଏହି ଅସନ୍ତୋଷ ବିସ୍ଫୋରକ ରୂପ ନେବ ବୋଲି ଅନୁମାନ କରୁଛନ୍ତି ରାଜନୀତି ସମୀକ୍ଷକ । ରାଜ୍ୟରେ ଦଳର ମାତ୍ର ୯ ବିଧାୟକ ରହିଥିଲେ, ସେମାନଙ୍କ ମଧ୍ୟରେ ରହିଥିଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ମଧ୍ୟ ଅନେକ ସମୟରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ନିଲମ୍ବନ ପରେ ଜଗତସିଂହପୁର ଏବଂ ଭୁବନେଶ୍ବରରେ ଉଭୟଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇ ଏହାର ତୀବ୍ର ପ୍ରତିବାଦ କରିବା ସହ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ କଲେଣି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳର ଏଭଳି ସ୍ଥିତି ଆଗକୁ ଦଳ ପାଇଁ ବୁମେରାଂ ସାଜିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

ଲଗାତାର ପରାଜୟ ପରେ ନିଜର ଅସ୍ତିତ୍ବ ହରାଉଥିବା କଂଗ୍ରେସ ୨୦୨୪ରେ ସରକାରକୁ ଫେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା କଥା କହୁଛି । ଏହାରି ଭିତରେ ଦଳର ବରିଷ୍ଠ ନେତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚିରଞ୍ଜୀବ ବିଶ୍ବାଳ ଏବଂ ମହମ୍ମଦ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟକ୍ରମ ଆୟୋଜନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ପିସିସି ଶୃଙ୍ଖଳା କମିଟି ଏକ ରିପୋର୍ଟ ପ୍ରସ୍ତୁତ କରି ଏଆଇସିସି ହାଇକମାଣ୍ଡଙ୍କୁ ଦେଇଥିଲେ । ସେହି ରିପୋର୍ଟ ଆଧାରରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏଆଇସିସି ଶଙ୍ଖଳା କମିଟି । ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କଂଗ୍ରେସ ୧୦୦ ବର୍ଷରୁ ଉର୍ଦ୍ଧ୍ବ ଦଳ । କଂଗ୍ରେସ ଏକ ମହା ସମୁଦ୍ର । ଯିଏ ଗଲେ କୌଣସି ଫରକ ପଡ଼ିବନି । କଂଗ୍ରେସ ଆଗକୁ ଭଲ ପଦର୍ଶନ କରିବ । ତେବେ ଶୃଙ୍ଖଳା ଭଙ୍ଗ କରିବା ପରେ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କ ପାଇଁ ଆବଶ୍ୟକ । ନିଲମ୍ବିତ ହୋଇଥିବା ଉଭୟ ନେତା ଜ୍ଞାନୀ ଓ ପ୍ରଭାବୀ । ଉଭୟ ସନ୍ତୋଷଜନକ ଉତ୍ତର ଦିଅନ୍ତୁ । ସେମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଆମେ ଦାବି କରିବୁ ।"

ଦଳରୁ ନିଲମ୍ବନ ହୋଇଥିବା ଚିରଞ୍ଜୀବ ଆଜି ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ବିରୋଧରେ କୁଚକ୍ରୀ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ର ଚାଲିଥିବା କହିଛନ୍ତି । ଦଳ ନେତୃତ୍ବ ଉପରେ ବର୍ଷିଛନ୍ତି ଚିରଞ୍ଜୀବ । ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ପିସିସି ସଭାପତିଙ୍କ ଆଡେ ଅଙ୍ଗୁଳି ଉଠାଇଛନ୍ତି ସେ । ତାଙ୍କୁ ପିସିସି ସଭାପତି ବା ପ୍ରଭାରୀ କୌଣସି ଆଲୋଚନା ନକରି ସିଧାସଳଖ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ଠିକ ହୋଇନାହିଁ ବୋଲି ଚିରଞ୍ଜୀବ କହିଛନ୍ତି । ତେବେ ସେ କଂଗ୍ରେସରେ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ ବୋଲି କହିଛନ୍ତି । ଅନ୍ୟପଟେ ନିଲମ୍ବିତ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଦୁଇ ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ଝାଡ଼ିଥିଲେ । ଦଳୀୟ ନେତୃତ୍ବ ଆଲୋଚନା ନକରି ଏପରି କାର୍ଯ୍ୟାନୁଷ୍ଠାନ ନେବା ଉଚିତ ନୁହେଁ ବୋଲି ସେ କହିଥିଲେ । କଂଗ୍ରେସରେ ଅଛି ଓ କଂଗ୍ରେସରୁ ହିଁ ନିର୍ବାଚନ ଲଢ଼ିବି ବୋଲି କହିଥିଲେ ମୋକିମ । ଦଳ ଯଦି ତାଙ୍କୁ ଟିକେଟ ନଦେବ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି ମଧ୍ୟ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମୋ ରକ୍ତରେ ବେଇମାନୀ ନାହିଁ, କଂଗ୍ରେସକୁ ସୃଦୁଢ କରିବାକୁ ମତ ଦେଇଥିଲି: ଚିରଞ୍ଜୀବ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ପିଛା ଛାଡ଼ୁନି ଦଳୀୟ କନ୍ଦଳ । ଅନେକ ସମୟରେ ନେତୃତ୍ବକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରଯାଉଥିବା ଅଭିଯୋଗର ନଜିର ରହିଛି । ଦଳ ବିରୋଧୀ ମନ୍ତବ୍ୟ ଦର୍ଶାଇ ଦୁଇ ଜଣ ବରିଷ୍ଠ ନେତାଙ୍କୁ ନିଲମ୍ବନ ପରେ ଏବେ ଏହି ବିବାଦ ଉଗ୍ରରୂପ ନେଇଛି । ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ଦଳ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସର ଏଭଳି ପଦକ୍ଷେପ ଦଳ ପାଇଁ କ୍ଷତିକାରକ ହେବ ବୋଲି ଆକଳନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.