ETV Bharat / state

ମୋ ରକ୍ତରେ ବେଇମାନୀ ନାହିଁ, କଂଗ୍ରେସକୁ ସୃଦୁଢ କରିବାକୁ ମତ ଦେଇଥିଲି: ଚିରଞ୍ଜୀବ

author img

By

Published : Jul 17, 2023, 7:05 PM IST

Updated : Jul 17, 2023, 7:30 PM IST

କଂଗ୍ରେସରୁ ନିଲମ୍ବନ ନେଇ ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । କହିଲେ କୁଚକ୍ରୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛି । ଜାନକୀ- ବସନ୍ତ ଯୋଡ଼ି କାର୍ଯ୍ୟକ୍ରମରେ ଦଳକୁ ସୁଦୃଢ଼ କରିବାକୁ ମତ ଦେଇଥିଲି କହିଲେ ଚିରଞ୍ଜୀବ । ଅଧିକ ପଢ଼ନ୍ତୁ

ଅସନ୍ତୋଷ ଝାଡ଼ିଲେ ଚିରଞ୍ଜୀବ ବିଶ୍ବାଳ
ଅସନ୍ତୋଷ ଝାଡ଼ିଲେ ଚିରଞ୍ଜୀବ ବିଶ୍ବାଳ

ଅସନ୍ତୋଷ ଝାଡ଼ିଲେ ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ବର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ଦଳୀୟ କନ୍ଦଳ ଉଗ୍ର ରୂପ ନେବାରେ ଲାଗିଛି । ଦଳୀୟ ଶୃଙ୍ଖଳା ଓ ଅନୁଶାସନ ବାହାରେ ସେମାନେ କାର୍ଯ୍ୟକ୍ରମ କରିଥିବାରୁ ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଏଆଇସିସି । ଏହାପରେ ସେମାନଙ୍କ ଉତ୍ତର ସନ୍ତୋଷଜନକ ନଥିବା ଦର୍ଶାଇ ଉଭୟଙ୍କୁ ନିଲମ୍ବନ କରାଯାଇଛି । ଯାହାକୁ ନେଇ ଦଳ ଭିତରେ ବିବାଦ ତେଜିଛି । ଉଭୟ ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଛନ୍ତି । ଏହା ପୂର୍ବରୁ ପ୍ରଥମେ ଷଡ଼ଯନ୍ତ୍ର କରାଯାଇଥିବା ମୋକିମ ଅଭିଯୋଗ କରିଥିଲେ । ଆଜି ମଧ୍ୟ ସମାନ ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ।

ଆଜି ଭୁବନେଶ୍ବର ପ୍ରେସ କ୍ଲବରେ କାହା ନାଁ ନନେଇ ବର୍ଷିଥିଲେ ଚିରଞ୍ଜୀବ ବିଶ୍ବାଳ । ସେ କହିଛନ୍ତି, "ମୋ ଜେଜେ ବାପା ପିଲାବେଳେ କଂଗ୍ରେସ ସମ୍ପର୍କରେ ଶିକ୍ଷା ଦେଉଥିଲେ । ପିତା ବସନ୍ତ ବିଶ୍ବାଳ କଂଗ୍ରେସକୁ ସଂଗଠନ କରିବା ପାଇଁ ଯାହା ଉଦ୍ୟମ କରିଛନ୍ତି ସମସ୍ତଙ୍କୁ ଜଣା । ମୋ ରକ୍ତରେ ବେଇମାନୀ ନାହିଁ । ପଛରୁ ଛୁରା ଭୁସିବା କାମ କେବେ କରିନାହିଁ । ଜାନକୀ ଓ ବସନ୍ତ ଯୋଡି ସୁବର୍ଣ୍ଣ ଯୁଗ ଆଲୋଚନା ହୋଇଥିଲା । ସେ ସମୟ ଏବଂ ଏବେର ସମୟକୁ ନେଇ କିଛି ଟିପ୍ପଣୀ ଦେଇଥିଲି । କଂଗ୍ରେସକୁ ସୃଦୁଢ କରିବା ପାଇଁ ମନ୍ତବ୍ୟ ଦେଇଥିଲି । ୯ରୁ ୯୦ ସ୍ଲୋଗାନ ପୂରଣ କରିବାକୁ ହେଲେ କଂଗ୍ରେସକୁ ତଳସ୍ତରକୁ ଯିବାକୁ ପଡିବ । ଏହି ଉପଦେଶ ଯଦି ଦଳ ବିରୋଧୀ, ମୋର କିଛି କହିବାର ନାହିଁ । ମୋର ବକ୍ତବ୍ୟ ପାଇଁ ଯଦି କଂଗ୍ରେସ ଝାରସୁଗୁଡାରେ ୪ ହଜାର ଭୋଟ ପାଇଲା, ଧାମନଗର ଓ ପଦ୍ମପୁରରେ କାହିଁକି ଭୋଟ ହାର କମିଲା ?" ସେଥିପାଇଁ ଦାୟୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

ଚିରଞ୍ଜୀବ ଆହୁରି କହିଛନ୍ତି, "୨୦୧୪ରେ କଂଗ୍ରେସ ୧୬ ପ୍ରତିଶତ ଭୋଟ ପାଇଥିଲା । ସବୁ ଉପନିର୍ବାଚନରେ ଭୋଟ ହାର କମିଲା । ହେଲେ ଜଗତସିଂହପୁର NACରେ କଂଗ୍ରେସ ଜିତିଥିଲା । କଂଗ୍ରେସରେ କାହା ପାଖରେ ସୁଚିନ୍ତିତ ମତାମତ ଶୁଣିବାରେ ଧର୍ଯ୍ୟ ନାହିଁ । ଜାନକୀ- ବସନ୍ତ ଯୋଡିଙ୍କ କାର୍ଯ୍ୟକ୍ରମକୁ ଈର୍ଷା କରୁଛନ୍ତି କିଛି ଲୋକ । ମୁଁ କଂଗ୍ରେସର ଶୃଙ୍ଖଳିତ କର୍ମୀ । ଦଳରୁ ନିଲମ୍ବନ କରିବା ମୋତେ ଗଭୀର ଆଘାତ ଦେଇଛି । କିଛି କୁଚକ୍ରୀ ଗୋଷ୍ଠୀ ମତେ ଦଳରୁ ଦୂରେଇବା ପାଇଁ ଚେଷ୍ଟା କରୁଛନ୍ତି । ଏହା କଂଗ୍ରେସ ଯୋଡ଼ିବା ନା ତୋଡ଼ିବା ବିଚାର କରିବାର ସମୟ । ସତ କହିବା ଯଦି ପାପ, ତାହେଲେ ମୁଁ ପାପ କରିଛି । ବିଲେଇ ବେକରେ କିଏ ତ ଘଣ୍ଟି ବାନ୍ଧିବ । ଯେଉଁମାନେ ମୋ ବିରୋଧରେ ଷଡଯନ୍ତ୍ର କରୁଛନ୍ତି, କେବେ ଜିତିକି ଆସିନାହାନ୍ତି । ଏ ଚକ୍ରାନ୍ତ କାହିଁକି ହେଉଛି, କାହା ଇଙ୍ଗିତରେ ହେଉଛି ? ମୁଁ ଲଢ଼ିବି ।" ଯିଏ ନିଜ ଛାଇକୁ ଦେଖିଲେ ଡରୁଥିବ ସେହି ଲୋକ ଏହି କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି ଚିରଞ୍ଜୀବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 17, 2023, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.