ETV Bharat / state

ଉଚ୍ଚ ଅଭିଳାଷ ମୂଳରୁ ନାଶ; ଗୋଷ୍ଠୀ ବୈଠକକୁ ନାପସନ୍ଦ କଲେ ସୁର

author img

By

Published : Aug 1, 2023, 9:30 PM IST

ଗୋଷ୍ଠୀ ବୈଠକକୁ ନାପସନ୍ଦ କଲେ ସୁର
ଗୋଷ୍ଠୀ ବୈଠକକୁ ନାପସନ୍ଦ କଲେ ସୁର

ନିଲମ୍ବିତ କଂଗ୍ରେସ ନେତା ଚିରଞୀବ ବିଶ୍ବାଳଙ୍କର କିଛି ବରିଷ୍ଠ ନେତାଙ୍କ ସମେତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଘରେ ବୈଠକ ହୋଇଥିଲା । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଦଳରେ ଏପରି ଗୋଷ୍ଠୀ ବୈଠକକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଗୋଷ୍ଠୀ ବୈଠକକୁ ନାପସନ୍ଦ କଲେ ସୁର

ଭୁବନେଶ୍ବର: କଂଗ୍ରେସରୁ ଚିରଞ୍ଜୀବ ବିଶ୍ବାଳ ଓ ବିଧାୟକ ମହମ୍ମଦ ମୋକିମ ନିଲମ୍ବିତ ହେବାପରେ ଦଳର କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ରାଜ୍ୟ ନେତୃତ୍ବକୁ ଚ୍ୟାଲେଞ୍ଜ କରି ନିଲମ୍ବିତ ସଦସ୍ୟ ଓ ଦଳର କିଛି ବରିଷ୍ଠ ନେତା ମେଳି ବାନ୍ଧିବା ଦଳୀୟ ରାଜନୀତିକୁ ଗୋଳିଆ କରିଦେଇଛି । ଅପରପକ୍ଷରେ ଏପରି ଗୋଷ୍ଠୀ ବୈଠକକୁ ନାପସନ୍ଦ କରିଛନ୍ତି ଦଳର କିଛି ବରିଷ୍ଠ ନେତା । ତେବେ ରାଜ୍ୟରେ ଧରାଶାୟୀ କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ୯ରୁ ୯୦ ବିଧାନସଭା ଆସନ ଟାର୍ଗେଟ ରଖିଛି । ହେଲେ ଦଳୀୟ କନ୍ଦଳ ଯୋଗୁଁ ଏବେ ନିଜ ଅସ୍ତିତ୍ବ ହରାଇବାର ଆଶଙ୍କା ଦେଖା ଦେଲାଣି ।

ସୋମବାର କଂଗ୍ରେସରୁ ନିଲମ୍ବିତ ନେତା ଚିରଞ୍ଜୀବ ବିଶ୍ବାଳଙ୍କର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଘରେ ରୁଦ୍ଧଦ୍ବାର ବୈଠକ ବସିଥିଲା । ଏହି ଘଟଣା ପଦାକୁ ଆସିବା ପରେ ଦଳୀୟ କନ୍ଦଳ ଏବେ ଉଗ୍ରରୂପ ନେଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରି କିଛି ନେତା ହାଇକମାଣ୍ଡଙ୍କ ପାଖରେ ଖୁବଶୀଘ୍ର ଫେରାଦ ହେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଯାହା ଆସନ୍ତା ସାଧାରଣ ନିର୍ବାଚନରେ ଦଳ ପାଇଁ ବୁମେରାଂ ହେବାର ଆଶଙ୍କା କରାଯାଉଛି । ଯଦିଓ ଦଳ ନିଜର ସ୍ଥିତି ଜାହିର କରିବା ପାଇଁ ସଂଘର୍ଷ କରି ରାଜ୍ୟ ନେତୃତ୍ବ ଏକ ଜୁମ୍ବୋ ଟିମ ଗଠନ କରିଛନ୍ତି, ହେଲେ ବିଦ୍ରୋହୀ ନେତାଙ୍କ ମେଳି ଆତ୍ମଘାତୀ ହେବାର ଆଶଙ୍କା କରାଯାଉଛି । ଚିରଞ୍ଜୀବ ଓ ମୋକିମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାକୁ ନେଇ ସମର୍ଥକଙ୍କ ମଧ୍ୟରେ ଦିନକୁ ଦିନ ପ୍ରତିବାଦର ସ୍ବର ଶାଣିତ ହେବାର ଲାଗିଛି । କିଛି ସମର୍ଥକ କଂଗ୍ରେସ ଭବନ ଘେରାଓ କରିବାକୁ ମଧ୍ୟ ପଛାଇନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଚିରଞ୍ଜୀବ ଓ ମୋକିମ ସନ୍ତୋଷଜନକ ଉତ୍ତର ଦିଅନ୍ତୁ, ନିଲମ୍ବନ ପ୍ରତ୍ୟାହାର ପାଇଁ ଆମେ ଦାବି କରିବୁ: ସୁର

ତୁରନ୍ତ ଉଭୟ ନେତାଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ସମର୍ଥକମାନେ ଦାବି କରୁଥିବା ବେଳେ ଦଳର କେତେକ ବରିଷ୍ଠ ନେତା ଏହାକୁ ନାପସନ୍ଦ କରିଛନ୍ତି । ଉଭୟ ନେତା ଦଳ ପାଇଁ ପୁଞ୍ଜି, ତେଣୁ ନିଲମ୍ବନ ଉଠିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସେ କହିଛନ୍ତି, "ଏବେ ନୁହେଁ, କଂଗ୍ରେସର ଇତିହାସରେ ପୂର୍ବରୁ ମଧ୍ୟ ବଡ଼ ବଡ଼ ନେତା ଦଳରୁ ନିଲମ୍ବିତ ହୋଇଛନ୍ତି । ପରେ ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ତେଣୁ ଧର୍ଯ୍ୟର ସହ ଉଭୟ ମୋକିମ ଏବଂ ଚିରଞ୍ଜୀବଙ୍କୁ ଅପେକ୍ଷା କରିବାକୁ ପଡିବ ।"

ଉଲ୍ଲେଖଯୋଗ୍ୟ, ସୋମବାର ମଧ୍ୟାହ୍ନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଘରେ ବସିଥିଲା ମିଡ୍‌ ଡେ ଅପରେସନ । ଏହି ବୈଠକରେ ନିଲମ୍ବିତ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ସମେତ ବରିଷ୍ଠ ନେତା ଶରତ ରାଉତ ଏବଂ ସମୀର ରାଉତରାୟ ଉପସ୍ଥିତ ଥିଲେ । ବୈଠକରେ ନିଲମ୍ବନ ପ୍ରତ୍ୟାହାର ନେଇ ଆଲୋଚନା ହୋଇଛି । ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର ପାଇଁ ସମସ୍ତେ ଚିରଞ୍ଜୀବଙ୍କୁ ପରାମର୍ଶ ଦେଇଥିବା କଥା ସୂତ୍ରରୁ ଖବର ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.