ETV Bharat / state

କଂଗ୍ରେସର ମହାମିଶ୍ରଣ ପର୍ବ, ହାତ ଧରିଲେ ଜୟରାମ ପାଙ୍ଗି ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

author img

By ETV Bharat Odisha Team

Published : Dec 3, 2023, 7:12 AM IST

ହାତ ଧରିଲେ ବହୁ ନେତା ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
ହାତ ଧରିଲେ ବହୁ ନେତା ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ରାଜ୍ୟ କଂଗ୍ରେସ । ଶନିବାର ପୂର୍ବତନ ସାଂସଦ ତଥା ଆଦିବାସୀ ନେତା ଜୟରାମ ପାଙ୍ଗିଙ୍କ ସମେତ ବହୁ ନେତା ଓ ସାମାଜିକ କର୍ମୀ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ କଂଗ୍ରେସରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ହାତ ଧରିଲେ ବହୁ ନେତା ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ଶନିବାର କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ ବିଭିନ୍ନ ଜିଲ୍ଲାର ବହୁ ନେତା ଦଳର ହାତ ଧରିଛନ୍ତି । କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ସାଂସଦ ତଥା ଆଦିବାସୀ ନେତା ଜୟରାମ ପାଙ୍ଗିଙ୍କ ସମେତ ବହୁ ନେତା ଓ ସାମାଜିକ କର୍ମୀ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଶନିବାର ଜୟରାମ ପାଙ୍ଗିଙ୍କ ସମେତ କଂଗ୍ରେସରେ ମିଶିଥିବା ଅନ୍ୟତମ ଜଣାଶୁଣା ଚେହେରାଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ କୁମାର ପରିଡ଼ା, ଅବସରପ୍ରାପ୍ତ ପୋଲିସ୍ କର୍ମଚାରୀ ହେମସାଗର ନନ୍ଦ, ପୂର୍ବତନ ବିଧାୟକ ରଞ୍ଜିତ ଭିତିରିଆ, କେନ୍ଦ୍ରାପଡ଼ାର ସମାଜସେବୀ ସିଦ୍ଧାର୍ଥ ଦାସ, ହିନ୍ଦୋଳର ସମାଜସେବୀ ଗୋବର୍ଦ୍ଧନ ଶେଖର ନାୟକ, ନବରଙ୍ଗପୁର ଜିଲ୍ଲା ବିଜେପି (ତେନ୍ତୁଳିଖୁଣ୍ଟି)ର ବରିଷ୍ଠ ନେତା ମଦନ ମୋହନ ମାଝୀ, ନବ ଭତରା, ରାଜମୋହନ ଜାନି, ନବରଙ୍ଗପୁର ବ୍ଲକର ବରିଷ୍ଠ ବିଜେଡି ନେତା ସରୋଜ ମହାକୁଡ଼, ସୁନାଧର ଜାନି, ପ୍ରବୀଣ କୁମାର ସିଂ, ମୁକୁର କୁମାର ମଣ୍ଡଳ, ଚନ୍ଦ୍ର ଭତରା ପ୍ରମୁଖ ବ୍ୟକ୍ତିମାନେ ନିଜର ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି ।

ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ମିଡିଆ ସେଲ୍‌ ଅଧ୍ୟକ୍ଷ ଗଣେଶ୍ବର ବେହେରା, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ନବରଙ୍ଗପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ମନିଷା ତ୍ରିପାଠୀ, ପ୍ରକାଶ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ନୂତନ ଭାବେ କଂଗ୍ରେସ ଦଳରେ ଯୋଗଦାନ କରିଥିବା ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ କଂଗ୍ରେସ ଦଳର ଉତ୍ତରୀୟ ପ୍ରଦାନ କରି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବରିଷ୍ଠ ନେତୃବର୍ଗ ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି, କହିଲେ 'ଏବେ ମୋ ବାପାଙ୍କ ଆତ୍ମାକୁ ଶାନ୍ତି ମିଳିବ'

କଂଗ୍ରେସରେ ଯୋଗ ଦେବା ଅବସରରେ ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଛନ୍ତି, "କଂଗ୍ରେସ ଦଳ ହେଉଛି ମୋ ବାପାଙ୍କର ଦଳ । ମୁଁ ଆଜି ଆମ ଘରକୁ ଫେରିଛି । ଫେରିବାରେ ବହୁ ବିଳମ୍ବ ହୋଇଛି, କିନ୍ତୁ ରାସ୍ତା ହୁଡ଼ି ନାହିଁ । କଂଗ୍ରେସ ହିଁ ଏକମାତ୍ର ଦଳ, ଯିଏକି ଭାରତବର୍ଷର ବିବିଧତା, ଏକତା, ଶାନ୍ତି, ସଂହତି ରକ୍ଷାକରିବାରେ ସମର୍ଥ । କଂଗ୍ରେସ ଦଳ ହିଁ ଏକମାତ୍ର ରାଜନୈତିକ ଦଳ ଯିଏକି ଆଦିବାସୀ ବର୍ଗର ସ୍ବାର୍ଥ ରକ୍ଷା କରିବା ପାଇଁ ସମସ୍ତ ଆଇନ କାନୁନ ସହିତ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା କରିଛି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ହେଉଛି ଘୃଣା ଓ ହିଂସା ବଦଳରେ ପ୍ରେମ ବାଣ୍ଟିବା ଓ ମଣିଷ ସମାଜକୁ ଭଲ ପାଇବାର ବାର୍ତ୍ତା । ଏହା ମୋତେ ବହୁ ପ୍ରଭାବିତ କରିଛି । ଆସନ୍ତା ଦିନରେ ରାଜ୍ୟ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବା ପାଇଁ ଆମେ ସମସ୍ତେ ପରିଶ୍ରମ କରିବୁ ।" ନୂତନ ଭାବରେ ଯୋଗଦେଇଥିବା ବ୍ୟକ୍ତିମାନେ କଂଗ୍ରେସର ନୀତି ଆଦର୍ଶ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ବ ପ୍ରତି ଅଗାଢ଼ ବିଶ୍ବାସ ରଖି ଆସନ୍ତା ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବାପାଇଁ ଶପଥ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.