ETV Bharat / state

କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି, କହିଲେ 'ଏବେ ମୋ ବାପାଙ୍କ ଆତ୍ମାକୁ ଶାନ୍ତି ମିଳିବ'

author img

By ETV Bharat Odisha Team

Published : Dec 2, 2023, 11:01 PM IST

କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି
କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି

ଦୀର୍ଘ ଦିନରୁ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ କଂଗ୍ରେସରେ ଯୋଗ ଦେଇଛନ୍ତି କୋରାପୁଟର ଆଦିବାସୀ ନେତା ଜୟରାମ ପାଙ୍ଗି । କହିଲେ ଆଦିବାସୀଙ୍କୁ ନ୍ୟାୟ ଦେବ କଂଗ୍ରେସ । ଅଧିକ ପଢ଼ନ୍ତୁ

କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି

ଭୁବନେଶ୍ବର: କଂଗ୍ରେସରେ ଯୋଗଦେଲେ କୋରାପୁଟର ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି । ରାଜ୍ୟ ରାଜନିତୀରେ ଆଦିବାସୀ ସମ୍ପ୍ରଦାୟର ଜଣେ ବଡ଼ ଚେହେରା ଭାବେ ପାଙ୍ଗିଙ୍କ ପତିଆରା ରହିଛି । ସେହିପରି ପାଙ୍ଗି ହେଉଛନ୍ତି ଦକ୍ଷିଣ ଓଡ଼ିଶାର ଜଣେ ପ୍ରଭାବଶାଳୀ ଆଦିବାସୀ ନେତା । କିଛି ମାସ ପୂର୍ବରୁ ସେ BRS (ଭାରତ ରାଷ୍ଟ୍ର ସମିତି)ରେ ମିଶିଥିଲେ । ହେଲେ ଏଥିରେ ସେ ସନ୍ତୁଷ୍ଟ ନଥିବା ଏବଂ ଖୁବଶୀଘ୍ର କଂଗ୍ରେସର ହାତ ଧରିବା ନେଇ ଚର୍ଚ୍ଚା ହେଉଥିଲା । ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି (ଶନିବାର) କଂଗ୍ରେସରେ ବିଧିବଦ୍ଧ ଭାବେ ସେ ଯୋଗ ଦେଇଛନ୍ତି ।

ପୂର୍ବରୁ ବିଜେପି ଓ ବିଜେଡିରେ ରହି ମଧ୍ୟ କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କର ନେତୃତ୍ବ ନେଇଥିଲେ ଜୟରାମ । ହେଲେ କୋରାପୁଟର ଏହି ପୂର୍ବତନ ସାଂସଦଙ୍କର କିଛି ବର୍ଷ ହେବ ରାଜ୍ୟ ରାଜନୀତିରେ ସେଭଳି ପ୍ରଭାବ ଦେଖିବାକୁ ମିଳୁନି । ଦୀର୍ଘଦିନ ଧରି ବିଜେପିରେ ଅଲୋଡ଼ା ହେବା ପରେ ଜୟରାମ BRSରେ ଯୋଗ ଦେଇଥିଲେ । ହେଲେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ତେବେ କୋରାପୁଟର ଏହି ଟାଣୁଆ ଆଜିବାସୀ ନେତାଙ୍କ ଯୋଗଦାନ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରକାଶ କରିଛନ୍ତି ପିସିସି ସଭାପତି ।

ଏହା ମଧ୍ଯ ପଢ଼ନ୍ତୁ...ସରକାର ଗଠନ ପାଇଁ କଂଗ୍ରେସ ଲଢେଇ କରିବ: ପିସିସି ସଭାପତି

ସେପଟେ ହାତ ଧରୁ ଧରୁ ପାଙ୍ଗି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି । ସେ କହିଛନ୍ତି, "ମୋ ବାପା ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ । ସେ କଂଗ୍ରେସରୁ ବିଧାୟକ ମଧ୍ୟ ହୋଇଥିଲେ । ହେଲେ ମୁଁ ତାଙ୍କ କଥା ନଶୁଣି ବିଜୁ ବାବୁଙ୍କ ସହ କାମ କରୁଥିଲି । ତାଙ୍କ ପରେ ତାଙ୍କ ପୁଅ ନବୀନ ବାବୁଙ୍କ ସହ ମଧ୍ୟ କାମ କରିଛି । ଦୀର୍ଘ ୨୦ ବର୍ଷ ସେମାନଙ୍କ ସହ ଥିଲି । ହେଲେ ଏବେ ରାଜ୍ୟରେ ପରିବର୍ତ୍ତନର ଆବଶ୍ୟକତା ଅଛି ।" ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥଗିତ ଥିବା ଆଦିବାସୀଙ୍କ ଜମି ବିକ୍ରି ପ୍ରକ୍ରିୟାକୁ ନେଇ ମଧ୍ୟ ବର୍ଷିଛନ୍ତି ଜୟରାମ । ସେ କହିଛନ୍ତି, "ପୂର୍ବରୁ ଆଦିବାସୀଙ୍କ ଜମି କିଣାବିକା ହୋଇପାରିବ ନାହିଁ ବୋଲି ନିୟମ ହୋଇଥିଲା । ହେଲେ ରାଜ୍ୟ ସରକାରଙ୍କ ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ । ଆଦିବାସୀଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ସରକାର ଏହି ନିୟମକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ରାଜ୍ୟରେ ବିଜେଡି ଦୀର୍ଘ ୨୪ ବର୍ଷ ହେବ ସରକାରରେ ଅଛି । ହେଲେ ଆଦିବାସୀଙ୍କ କୌଣସି ବିକାଶ ହୋଇନାହିଁ ବୋଲି ମୁଁ ଭାବୁଛି ।"

ଏକଦା ଓଡ଼ିଶାରେ ଦକ୍ଷିଣ ରାଜନିତୀର ଆଦିବାସୀ ଚେହେରା କହିଲେ ଜୟରାମ ପାଙ୍ଗି ଏବଂ ଗିରିଧାରୀ ଗମାଙ୍ଗଙ୍କୁ ବୁଝାଉଥିଲା । ହେଲେ ପାଙ୍ଗି ଏବେ ପ୍ରଭାବହୀନ ହୋଇପଡ଼ିଛନ୍ତି । ଓଡ଼ିଶାରେ ରସାତଳଗାମୀ କଂଗ୍ରେସକୁ ଜୟରାମ କି ମନ୍ତ୍ର ଦେବେ, ଆଉ କଂଗ୍ରେସ ଆଦିବାସୀଙ୍କ ସମର୍ଥନ ପୁନର୍ବାର ହାସଲ କରିବାରେ ସକ୍ଷମ ହେଉଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.