ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

author img

By

Published : Jan 4, 2023, 7:28 AM IST

alay mohanty passed away

ବରିଷ୍ଠ ସାମ୍ବାଦିକ, ସମାଜସେବୀ ତଥା ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଆଳୟ ମହାନ୍ତିଙ୍କ ଦେହାନ୍ତ । 65 ବର୍ଷରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ବିିଭିନ୍ନ ମହଲରେ ଶୋକର ଛାୟା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ସିନେ ପ୍ରଯୋଜକ ଆଳୟ ମହାନ୍ତି (film maker alay mohanty passes away) । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ।

ଆଳୟ ମହାନ୍ତିଙ୍କୁ ପ୍ରଥମେ କ୍ୟାବିନରେ ରଖାଯାଇ ଥିବାବେଳେ ଦେହ ଅଧିକ ଅସୁସ୍ଥ ଯୋଗୁଁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶେଷରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆଳୟ ମହାନ୍ତି ରୋଗୀ ଓ ଗରିବ ଲୋକଙ୍କ କଲ୍ୟାଣ ପାଇଁ ସବୁବେଳେ ଯତ୍ନବାନ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ରାଷ୍ଟ୍ରୀୟ ଶିକ୍ଷା ନୀତିର ମୂଳ ଯୋଜନା ହେଲା ନୂଆ ପାଠ୍ୟକ୍ରମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ତାଙ୍କ ବିୟୋଗ ସାମ୍ବାଦିକତା ଓ ସମାଜ ସେବା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ବର ମେୟର ସୁଲୋଚନା ଦାସ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ଅନେକ ସାମ୍ବାଦିକ ଏବଂ ବହୁ ଚଳଚ୍ଚିତ୍ର ଜଗତ ଲୋକେ ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ କରିଥିଲେ । ସେଠାରୁ ତାଙ୍କ ମରଶରୀରକୁ ଭୁବନେଶ୍ବର ସ୍ଥିତ ବାସଭବନ ନିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗ, ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି

ଏହାପରେ ତାଙ୍କ ପୈତୃକ ଗ୍ରାମ ପଦନପୁରକୁ ନିଆଯାଇଥିଲା। ଗାଁ ପରିଭ୍ରମଣ ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇଥିଲା । ସେଠାରେ ତାଙ୍କ ପୁତ୍ର ଦିଲୁ ମହାନ୍ତି ମୁଖାଗ୍ନି ଦେଇଥିଲେ । ତାଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ ରହିଛନ୍ତି । ସ୍ବର୍ଗତଃ ମହାନ୍ତି ଏକାଧାରାରେ ଜଣେ ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା, ରେଡକ୍ରସରଓ ସେଣ୍ଟଜନ ଆମ୍ବୁଲାନ୍ସର କାର୍ଯ୍ୟକାରୀ ସଦସ୍ୟ ଥିଲେ । ଆଳୟଙ୍କ ପ୍ରଯୋଜନାରେ 'ଶୂନ୍ୟସ୍ବରୂପ', 'ଆଶା', 'ଭୁଲ ବୁଝିବନି ମୋତେ' ଭଳି ତିନୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ସେଥିମଧ୍ୟରୁ ପ୍ରଥମ ଦୁଇଟି ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ସେହିପରି 'ହୀରାଖଣ୍ଡ' ସମ୍ବାଦ ପତ୍ରରୁ ଆଳୟ ମହାନ୍ତି ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଶେଷ ବେଳକୁ 'ଅମୃତ ସନ୍ଦେଶ' ହିନ୍ଦୀ ପତ୍ରିକାରେ ରାଜ୍ୟ ପ୍ରତିନିଧି ଥିଲେ । 'ସତ୍ୟଧାରା' ଓଡ଼ିଆ ସାପ୍ତାହିକ ଖବରକାଗଜର ସମ୍ପାଦନା କରୁଥିଲେ । ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ସାମ୍ବାଦିକ ସଂଘର ସଭ୍ୟ ତଥା କର୍ମକର୍ତ୍ତା ମଧ୍ୟ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.