ETV Bharat / state

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି, ଛାତ୍ରଛାତ୍ରୀ ଭୟଭୀତ ନହେବାକୁ ଗଣଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

author img

By

Published : Mar 18, 2023, 9:54 PM IST

Matric exam paper error issue
Matric exam paper error issue

ମାଟ୍ରିକ ପରୀକ୍ଷା ପ୍ରଶ୍ନ ତ୍ରୁଟିକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ମୁଦ୍ରଣରେ ତ୍ରୁଟି ହୋଇଥିବା ନେଇ ସେ କହିଛନ୍ତି । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀ ଭୟଭୀତ ନହେବାକୁ ଗଣଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରୁ ତ୍ରୁଟି ଥିବା ଖବର ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏ ନେଇ ଛାତ୍ରଛାତ୍ରୀ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ମୂଲ୍ୟାୟନ ବେଳେ ଏହାକୁ ଦୃଷ୍ଟିରେ ରଖାଯିବ । ପ୍ରଶ୍ନପତ୍ର ଲିକ୍ ନୁହେଁ, ବରଂ ମୁଦ୍ରଣରେ ତ୍ରୁଟି ହୋଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଦଶମ ପରୀକ୍ଷାର ଇତିହାସ ଓ ରାଜନୀତି ବିଜ୍ଞାନର ସେଟ୍ Bରେ ମୁଦ୍ରଣରେ ଭୁଲ ହୋଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ନ ହେବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଏପଟେ ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି, "ମାଟ୍ରିକ ପରୀକ୍ଷାରେ ଇତିହାସ ପ୍ରଶ୍ନପତ୍ରରେ ତ୍ରୁଟି ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଉପରେ ତୁରନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ବୋର୍ଡରେ କିଛି ଲୋକ ବହୁଦିନ ହେଲା ରହି ବୋର୍ଡକୁ ଦୁର୍ନୀତିର ଗନ୍ତାଘର କରିସାରିଲେଣି । ସେମାନଙ୍କୁ ସେଠାରୁ ହଟାଯାଉ। କିଭଳି ଭାବରେ ନିର୍ଭୁଲ ଭାବରେ ପରୀକ୍ଷା ପରିଚାଳନା କରାଯିବ ସେନେଇ ଧ୍ୟାନ ଦିଅନ୍ତୁ । ପରୀକ୍ଷାରେ ଏଭଳି ତ୍ରୁଟିକୁ ନେଇ ପିଲାମାନେ ମାନସିକ ଚାପରେ ରହିବେ ।"

ଏହା ବି ପଢନ୍ତୁ- ଗଜପତିରେ ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି, ଗୋଟିଏ ପ୍ରଶ୍ନ ଆସିଛି ଏକାଧିକ ଥର

ସୂଚନା ଥାଉ କି ମାଟ୍ରିକ ପରୀକ୍ଷାରେ ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରରେ ବିଭ୍ରାଟ ଦେଖିବାକୁ ମିଳିଛି । ଯାହାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ସ୍ଵୀକାର ମଧ୍ୟ କରିଛନ୍ତି । ଗଜପତି ଜିଲ୍ଲାରେ ମଧ୍ୟ ପ୍ରଶ୍ନପତ୍ନ ବିଭ୍ରାଟ ଖବର ସାମ୍ନାକୁ ଆସିଛି । ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଗୋଟିଏ ପ୍ରଶ୍ନ ୨ଟି ସ୍ଥାନରେ ରହିଥିବା ବେଳେ ଆଉ କେତୋଟି ପ୍ରଶ୍ନପତ୍ରରେ ଗୋଟିଏ ଗୋଟିଏ ପ୍ରଶ୍ନ ଜମାରୁ ବି ନାହିଁ । ଏଭଳି ଅଭିଯୋଗ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଛି । ସେଟ୍ Bର ପ୍ରଶ୍ନପତ୍ରରେ କିଛି ମୁଦ୍ରଣଜନିତ ତ୍ରୁଟି ରହିଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନି କୌଣସି ଅସୁବିଧା ହେବନି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

ପରୀକ୍ଷା ଆଉ ଥରେ କରିବାର କୌଣସି ଆବଶ୍ୟକତା ନାହିଁ । ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇଥିଲା ଦଶମ ବୋର୍ଡ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୪୧ ହଜାର ୨୪୭ ପିଲା । ଏଥିପାଇଁ ୩୨୧୮ ପରୀକ୍ଷା କେନ୍ଦ୍ର ସହ ୩୧୬ ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ହୋଇଛି । ଏଥି ମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଏବଂ ମାଲକାନଗିରିରେ ୧୦ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.