ETV Bharat / state

ଚିନ୍ତା ବଢ଼ାଉଛି ଟ୍ରେନରେ ଗଞ୍ଜେଇ ଚାଲାଣ, ରୋକ୍ ଲଗାଇବାକୁ RPFର ବଡ଼ ଯୋଜନା

author img

By

Published : Aug 1, 2023, 10:58 AM IST

Updated : Aug 1, 2023, 1:54 PM IST

ଟ୍ରେନରେ ନିଶା ଚାଲାଣ ରୋକିବାକୁ RPFର ବଡ଼ ଯୋଜନା
ଟ୍ରେନରେ ନିଶା ଚାଲାଣ ରୋକିବାକୁ RPFର ବଡ଼ ଯୋଜନା

ଟ୍ରେନରେ ନିଶା ଚାଲାଣ ରୋକିବାକୁ RPFର ବଡ଼ ଯୋଜନା । NCB ସହ ମିଶି ବେପାରିଙ୍କ ଉପରେ ନଜର ରଖିବ RPF । ଅଧିକ ପଢନ୍ତୁ

ଟ୍ରେନରେ ନିଶା ଚାଲାଣ ରୋକିବାକୁ RPFର ବଡ଼ ଯୋଜନା

ଭୁବନେଶ୍ବର: ଏଣିକି ଷ୍ଟେସନରେ ଚାଲିବନି‌ ନିଶା ବେପାରୀଙ୍କ ଚାଲାକି । RPF ସ୍କାନରରୁ ଖସି ପାରିବେନି ଗଞ୍ଜେଇ ବେପାରୀ । ଟ୍ରେନ ଯୋଗେ ଗଞ୍ଜେଇ ତଥା ଅନ୍ୟ ନିଶାଦ୍ରବ୍ୟ ଚାଲାଣ ରୋକିବାକୁ NCB ସହ ମିଶି ବଡ ଯୋଜନା କରୁଛି RPF । ନିଶା କାରବାର ଉପରେ ରୋକ୍ ଲଗାଇବାକୁ ଆଗକୁ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏଥିପାଇଁ ବିଭିନ୍ନ ଏଜେନ୍ସିର ସହଯୋଗ ଲୋଡିଛି । ନବନିଯୁକ୍ତ RPF ଆଇଜି ଆଲୋକ କୁମାର ବୋହରା ସୋମବାର କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ଆସି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିବା ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

RPF ନିଶା ବେପାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନୂଆ ଅଭିଯାନ ଚଳାଇଛି । ଏନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ସହାୟତାରେ ନିଶା ବେପାରୀଙ୍କ ଚାଲ ବୁଝିବାକୁ ଚେଷ୍ଟା କରୁଛି । ଅତୀତରେ ଧରାପଡ଼ିଥିବା ନିଶା କାରବାରର ଟେକ୍ନିକ୍‌ ମଧ୍ୟ ତର୍ଜମା କରୁଛି । ଷ୍ଟେସନ ଗଳାବାଟ ହେଉ ବା ଯାତ୍ରୀଙ୍କ ବାହାନା ଦେଖାଇ ବିଭିନ୍ନ ଲୋକଙ୍କ ଜରିଆରେ ହେଉଥିବା ଗଞ୍ଜେଇ କାରବାର ଉପରେ ରୋକ୍‌ ଲଗାଇବାକୁ ଅଭିଯାନ ଚଳାଇଛି RPF । ଏନସିବି ସହଯୋଗରେ RPF ମାଲ ଅନଲୋଡିଂ ଓ ପ୍ୟାକିଂ ସହ ସପ୍ଲାଏର ଠିକଣା ଓ ସେମାନଙ୍କ ପାଖକୁ ପହଞ୍ଚାଉଥିବା ମିଡିଲମ୍ୟାନଙ୍କ ଠିକଣା ଓ ତରିକା ଖୋଜିବ । ବଗିରେ ବେପାରୀଙ୍କ ଗତିବିଧି ଓ ରୁଟ୍‌କୁ ଖୋଜି‌ ବାହର କରିବ ।

ଏହାମଧ୍ୟ ପଢନ୍ତୁ: ଲାଞ୍ଚ ନେଇ ଧରାପଡିଥିଲେ ପୂର୍ବତନ ମହିଳା ଜିଆରଏସ, 2ବର୍ଷ ଜେଲ ସହ ଚାକିରିରୁ ବହିଷ୍କୃତ

ନିଶା ବେପାରୀମାନେ ବିଭିନ୍ନ କୌଶଳରେ ମହିଳା ଯାତ୍ରୀଙ୍କ ଜରିଆରେ ନିଶା ଚାଲାଣ କରୁଥିବାରୁ ପ୍ରତି ବ୍ୟାଗ ଉପରେ କଡା ନଜର‌ ରଖାଯିବ । ଏଥିସହ ବଗିରେ ସେମାନଙ୍କ ଗତିବିଧି ଓ ସପ୍ଲାଏର ରୁଟ୍‌କୁ ଖୋଜି‌ ବାହାର କରାଯିବ । ଏନେଇ ଆରପିଏଫ ଆଇଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "NCB ସହାୟତାରେ ଗଞ୍ଜେଇ କାରବାର ଉପରେ ରୋକ ଲଗାଇବାକୁ ପ୍ରୟାସ କରାଯାଉଛି । ତେଣୁ ଷ୍ଟେସନ ଗଳାବାଟ, ଗଞ୍ଜେଇ ସପ୍ଲାଏ ଚେନ ସିଷ୍ଟମ ସବୁ କିଛି ଉପରେ ନଜର ରଖାଯିବ ।"

ଏହାସହିତ ରେଳ‌ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଯେପରି ଯାତ୍ରା ସମୟରେ ଚୋରି, ଛିନତାଇ, ଲୁଟପାଟର ଶିକାର ନହୁଅନ୍ତି ସେନେଇ ପ୍ରାଥମିକତା ଦେବ ଆରପିଏଫ ଟିମ୍ । ରେଳ ସମ୍ପତ୍ତିର ସୁରକ୍ଷା, ଟିକେଟ କଳାବଜାରୀ ଓ ଦଲାଲଙ୍କ ଇ-ଟିକେଟ କଳାବଜାରୀ ଆଦି ଉପରେ ମଧ୍ୟ ଆରପିଏଫ ଅଭିଯାନ କଡାକଡି କରିବ । ବିଭିନ୍ନ ଯୋଜନା‌ ଚଳାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଟ୍ରେନ ଯୋଗେ ନିଶା କାରବାର କିପରି ରୋକା ଯାଇପାରିବ ତାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 1, 2023, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.