ETV Bharat / state

'ନୂଆ-ଓ' କାର୍ଯ୍ୟକ୍ରମର ସମୀକ୍ଷା, ସମାଜସେବା କାର୍ଯ୍ୟକୁ ଦିଆଯିବ ଅଧିକ ପ୍ରୋତ୍ସାହନ

author img

By ETV Bharat Odisha Team

Published : Dec 27, 2023, 8:35 AM IST

'ନୂଆ-ଓ' କାର୍ଯ୍ୟକ୍ରମର ସମୀକ୍ଷା
'ନୂଆ-ଓ' କାର୍ଯ୍ୟକ୍ରମର ସମୀକ୍ଷା

Juba Odisha Nabin Odisha Promotion: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ 'ନୂଆ-ଓ' କାର୍ଯ୍ୟକ୍ରମର ସମୀକ୍ଷା। ଶିକ୍ଷାନୁଷ୍ଠାରେ ନୂଆ-ଓ କାର୍ଯ୍ୟକ୍ରମର ଅବଧି ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି । ସମାଜସେବା କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ କରାଯିବ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ 'ନୂଆ-ଓ' କାର୍ଯ୍ୟକ୍ରମର ସମୀକ୍ଷା। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଚାଲିଥିବା 'ନୂଆ-ଓ' କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତରେ ଶିକ୍ଷାନୁଷ୍ଠାନଗୁଡିକରେ କ୍ରୀଡ଼ା, ସମାଜସେବା, ବିଭିନ୍ନ ପ୍ରକାର ଜ୍ଞାନକୌଶଳ, ଶାରୀରିକ ବିକାଶ ଇତ୍ୟାଦିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ତେଣୁ ଏହି 'ନୂଆ-ଓ' କାର୍ଯ୍ୟକ୍ରମର ଅବଧିକୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି ଆଗ୍ରହ ସୃଷ୍ଟି ପାଇଁ ପ୍ରତିଯୋଗିତା କରାଯିବ । ଏଥିସହ ଯେଉଁ ଛାତ୍ରଛାତ୍ରୀ ଏହି ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗ ନେଇଥିବେ ସେମାନଙ୍କୁ ସାମ୍ସ ଲ୍ୟାବ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯିବ । ରାଜ୍ୟର ୬ଶହରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରେ ଏହି ନୂଆ-ଓ କାର୍ଯ୍ୟକ୍ରମ ଚାଲିଛି। ସାମାଜିକ କାର୍ଯ୍ୟକଳାପ ପାଇଁ କୌଣସି ଡେଡ଼୍‌ଲାଇନ ରହିବ ନାହିଁ । ଏପରିକି ଫେବୃଆରୀ ମାସ ପରେ ମଧ୍ୟ ସମାଜସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ।

ଏହା ମଧ୍ୟ ପଢନ୍ତୁ- ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଧାରଣା

ସୂଚନା ଅନୁଯାୟୀ, ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଉଛି ଅନେକ ପଦକ୍ଷେପ। ଏନେଇ ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା' ବା 'ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୁପ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏହି ଅବସରରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା, ଚିତ୍ରକଳା, ଯୋଗ, ସଡ଼କ ନିରାପତ୍ତା କ୍ଷୁଦ୍ର ସଚେତନତା ନାଟକ, ନିଶାନିବାରଣ ସଚେତନତା ଅଭିଯାନ, ଫୁଟବଲ, ଭଲିବଲ, ଚେସ, ବ୍ୟାଡମିଣ୍ଟନ, କ୍ୟାରମ, ଝୋଟି, ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ ସହିତ ୧୦୦, ୨୦୦ ଓ ୪୦୦ ମିଟର ପ୍ରତିଯୋଗିତା ସାଙ୍ଗକୁ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ୍‌ ଥ୍ରୋ', ଜାଭେଲିନ୍‌ ଥ୍ରୋ', ଡିସ୍‌କସ୍‌ ଥ୍ରୋ' ଓ ଟଗ୍‌ ୱାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଏହି 'ନୂଆ-ଓ' କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶିତ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.