ETV Bharat / state

ଗ୍ୟାସ୍‌ ଦର କମାଇବା ବିଜେପି ସରକାରର ନିର୍ବାଚନୀ ଭେଳିକି: କଂଗ୍ରେସ

author img

By ETV Bharat Odisha Team

Published : Aug 30, 2023, 10:51 PM IST

ଗ୍ୟାସ୍‌ ଦର କମାଇବା ବିଜେପି ସରକାରର ନିର୍ବାଚନୀ ଭେଳିକି
ଗ୍ୟାସ୍‌ ଦର କମାଇବା ବିଜେପି ସରକାରର ନିର୍ବାଚନୀ ଭେଳିକି

ରକ୍ଷା ବନ୍ଧନ ଅବସରରେ ଗ୍ୟାସ ଦର କମାଇବା ବିଜେପି ସରକାରର ନିର୍ବାଚନୀ ଭେଳିକି ବୋଲି ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ସରକାର ୪୫୦ ଟଙ୍କାରେ ଏଲ୍‌ପିଜି ଦେଇଥିବାବେଳେ ବିଜେପି ସରକାର ଏହାକୁ ଅହେତୁକ ଭାବେ ବୃଦ୍ଧି କରିଥିଲେ । ଆଉ ଏବେ ନିର୍ବାଚନ ଆସିବାରୁ ମାତ୍ର ୨୦୦ ଟଙ୍କା ହ୍ରାସ କରିଥିବା କହିଛନ୍ତି କଂଗ୍ରେସ ବିଧାୟକ । ଅଧିକ ପଢ଼ନ୍ତୁ

ଗ୍ୟାସ୍‌ ଦର କମାଇବା ବିଜେପି ସରକାରର ନିର୍ବାଚନୀ ଭେଳିକି

ଭୁବନେଶ୍ବର: ରକ୍ଷା ବନ୍ଧନ ଅବସରରେ ଗ୍ୟାସ ଦର ହ୍ରାସ କରି ମହିଳା ଗୃହିଣୀମାନଙ୍କୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟଠାରୁ ୨୦୦ ଟଙ୍କା ହ୍ରାସ କରାଯାଇଛି । ଉଜ୍ବଳା ହିତାଧିକାରୀ ପୂର୍ବରୁ ୨୦୦ ଟଙ୍କା ସବ୍‌ସିଡି ପାଉଥିବାବେଳେ ବର୍ତ୍ତମାନ ସିଲିଣ୍ଡର ପିଛା ୪୦୦ ଟଙ୍କାର ସବ୍‌ସିଡି ପାଇବେ । ତେବେ ନିର୍ବାଚନ ପୂର୍ବରୁ ବିଜେପି ଏହି ମାଷ୍ଟର ଷ୍ଟ୍ରୋକ ଖେଳିଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ମୋଦି ସରକାର ଏଲ୍‌ପିଜି ସିଲିଣ୍ଡର ଦର ହ୍ରାସ କରି ପୁଣି ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଥିବା କଂଗ୍ରେସ ମଧ୍ୟ ଅଭିଯୋଗ କରିଛି । ହେଲେ ଏଥିରେ ବିଜେପି ସଫଳ ହେବ ନାହିଁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି ।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ବିଜେଡି ଓ ବିଜେପିକୁ ମହିଳା ଭୋଟ ଦେବେନାହିଁ । ଯଦି କେନ୍ଦ୍ର ସରକାରଙ୍କ ସାହସ ଅଛି, ୪୫୦ ଟଙ୍କାରେ ରନ୍ଧନ ଗ୍ୟାସ ଦିଅନ୍ତୁ । କଂଗ୍ରେସ ଦଳ ଯେତେବେଳେ ସରକାରରେ ଥିଲା, ସେତେବେଳେ ମାଆ ଆଉ ଭଉଣୀଙ୍କ ଚିନ୍ତା କରି ୪୫୦ ଟଙ୍କାରେ ଗ୍ୟାସ ଦେଇଥିଲା । ହେଲେ ଏହାକୁ ଅହେତୁକ ଭାବେ ବଢ଼ାଇ ଏବେ ନିର୍ବାଚନକୁ ଲକ୍ଷ୍ୟରେ ରଖି ୨୦୦ ଟଙ୍କା କମାଇଛନ୍ତି କେନ୍ଦ୍ର ସରକାର । ଜନସାଧାରଣ ଆଉ ବିଶ୍ବାସକୁ ନେବେନାହିଁ । ନିର୍ବାଚନ ସରିଗଲା ପରେ ପୁଣି ଏହି ଦର ୪ ଗୁଣା କରିଦେବେ ବିଜେପି ସରକାର ।"

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ପ୍ରଧାନମନ୍ତ୍ରୀ କହିଥିଲେ ମହିଳାମାନଙ୍କ ପାଇଁ ମାଗଣାରେ ଉଜ୍ବଳା ଗ୍ୟାସ ଦେବେ । ମହିଳାମାନେ କେତେ ହଇରାଣ ହେଉଛନ୍ତି । ୫୦୦ ଟଙ୍କା କମ କରିଥିଲେ ଭଲ ହୋଇଥାନ୍ତା । ହେଲେ ୨୦୦ ଟଙ୍କା କମ କଲେ କିଛି ଲାଭ ନାହିଁ । ଖାଲି ନିର୍ବାଚନ ପାଇଁ ଏଭଳି ଲୋକ ଦେଖାଣିଆ କାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର ।"

ଏହା ମଧ୍ୟ ପଢ଼ନ୍ତୁ...ବଳ ଗୋଟାଉଛି କଂଗ୍ରେସ, ସେପ୍ଟେମ୍ବର ୫ରେ ମିଶିବେ ବହୁ ହେଭିୱେଟ୍‌ !

ପ୍ରକାଶଯୋଗ୍ୟ, ରାକ୍ଷୀ ପୂର୍ଣ୍ଣମା ଅବସରରେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟଠାରୁ ୨୦୦ ଟଙ୍କା ହ୍ରାସ କରାଯାଇଛି । ଉଜ୍ବଳା ହିତାଧିକାରୀ ପୂର୍ବରୁ ୨୦୦ ଟଙ୍କା ସବ୍‌ସିଡି ପାଉଥିବା ବେଳେ ବର୍ତ୍ତମାନ ସିଲିଣ୍ଡର ପିଛା ୪୦୦ ଟଙ୍କାର ସବ୍‌ସିଡି ପାଇବେ । ବର୍ଷକୁ ସର୍ବାଧିକ ୧୨ଟି ସିଲିଣ୍ଡର ବ୍ୟବହାର କରୁଥିବା ଉପଭୋକ୍ତା ଏହି ସୁବିଧା ପାଇବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଦେଶରେ ଥିବା ୩୩ କୋଟି ଏଲ୍‌ପିଜି ଉପଭୋକ୍ତା ଲାଭାନ୍ବିତ ହୋଇପାରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁଯାୟୀ, ୨୦୧୪ ସୁଦ୍ଧା ଦେଶରେ ୧୪ କୋଟି ଏଲ୍‌ପିଜି ହିତାଧିକାରୀ ଥିଲେ । ଗତ ୯ ବର୍ଷ ମଧ୍ୟରେ ଏହି ସଂଖ୍ୟା ୩୩ କୋଟିରେ ପହଞ୍ଚିଛି । ଏହାରି ଭିତରେ ୯ କୋଟି ୬୦ ଲକ୍ଷ ହିତାଧିକାରୀ ଉଜ୍ବଳା ଯୋଜନାରେ ସାମିଲ ହୋଇଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଉଜ୍ବଳା ହିତାଧିକାରୀଙ୍କ ସଂଖ୍ୟା ୧୦ କୋଟି ୩୫ ଲକ୍ଷରେ ପହଞ୍ଚିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.