ETV Bharat / state

ବଳ ଗୋଟାଉଛି କଂଗ୍ରେସ, ସେପ୍ଟେମ୍ବର ୫ରେ ମିଶିବେ ବହୁ ହେଭିୱେଟ୍‌ !

author img

By ETV Bharat Odisha Team

Published : Aug 30, 2023, 10:07 PM IST

ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରବାକୁ ପ୍ରୟାସ କରୁଛି କଂଗ୍ରେସ । ଦଳକୁ ପୁଣି ଫେରୁଛନ୍ତି ଅନେକ ହେଭିୱେଟ୍‌ ନେତା । ମିଳିଥିବା ରିପୋର୍ଟ ଅନୁସାରେ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଏକ ବିରାଟ ମିଶ୍ରଣ ପର୍ବ ଆୟଜନ କରୁଛି କଂଗ୍ରେସ । ଯେଉଁଥିରେ ଦଳରେ ବିଭିନ୍ନ କ୍ଷେତ୍ରରୁ ଅନେକ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ

ସେପ୍ଟେମ୍ବର ୫ରେ ମିଶିବେ ବହୁ ହେଭିୱେଟ୍‌ !
ସେପ୍ଟେମ୍ବର ୫ରେ ମିଶିବେ ବହୁ ହେଭିୱେଟ୍‌ !

ସେପ୍ଟେମ୍ବର ୫ରେ ମିଶିବେ ବହୁ ହେଭିୱେଟ୍‌ !

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ନିଜ ସ୍ଥିତିକୁ ସୁଦୃଢ କରିବା ଲାଗି ବରିଷ୍ଠ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଦଳର ଏକ ମେଗା ମିଶ୍ରଣ ପର୍ବ ଆୟୋଜନ ହେବାକୁ ଯାଉଛି । ଏଥିରେ କେତେକ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ସହିତ ବିଭିନ୍ନ ଦଳର ଅନେକ ହେଭିୱେଟ୍‌ ସାମିଲ ହୋଇ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଶକ୍ତି ବୃଦ୍ଧି ଉଦ୍ୟମ । ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେବେ ବିଭିନ୍ନ ଦଳର ହେଭିୱେଟ୍‌ ନେତା । କେବଳ ନେତା ନୁହନ୍ତି, ୧୫ରୁ ଅଧିକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମଧ୍ୟ କଂଗ୍ରେସରେ ସାମିଲ ହେବେ । ଏଥିପାଇଁ ଦିନ ଓ ସମୟ ମଧ୍ୟ ଚୂଡାନ୍ତ ହୋଇଛି । ସେପ୍ଟେମ୍ବର ୫ରେ ଅନୁଷ୍ଠିତ ହେବ ଦଳର ମହାମିଶ୍ରଣ ପର୍ବ । ସୂଚନା ଅନୁଯାୟୀ ଏହି ପର୍ବରେ ଦଳ ଛାଡି ଯାଇଥିବା ଏକାଧିକ ବରିଷ୍ଠ ନେତାଙ୍କ ଘର ବାହୁଡା ହେବ । ଏହି ତାଲିକାରେ ହେଭିୱେଟ୍‌ ନେତା କୃଷ୍ଣ ଚନ୍ଦ୍ର ଶଗରିଆ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ହକି ତାରକା ପ୍ରବୋଧ ତିର୍କୀ ପ୍ରମୁଖ ଦଳରେ ସାମିଲ ହେବେ । ସେହିପରି ବିଜେଡିରୁ କିଛି ଅସନ୍ତୁଷ୍ଟ ନେତା ମଧ୍ୟ ସେହିଦିନ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଦଳରେ ମହାମିଶ୍ରଣ ପର୍ବର ଆୟୋଜନ ହେଉଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଦେଶରେ ବିଭିନ୍ନ ସମସ୍ୟା ନେଇ ଜନସାଧାରଣ ଏବେ ଅତିଷ୍ଠ । ତେଣୁ ଲୋକେ କଂଗ୍ରେସ ମୁଁହା । ରାଜ୍ୟ କଂଗ୍ରେସରେ ବହୁ ବର୍ଗର ଲୋକ ମିଶିବେ । କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ଭାଜନ ହେଉଛି । ଆଗକୁ ବହୁ ନେତା କଂଗ୍ରେସରେ ମିଶିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଫୋକସରେ ଯୁବପିଢ଼ି, ଛାତ୍ର କଂଗ୍ରେସ ଆରମ୍ଭ କଲା 'ଜୁଡ଼େଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ'

ତେବେ ଦୀର୍ଘ ୨୩ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରୁ ଦୂରେଇଥିବା ଦଳ ଇତି ମଧ୍ୟରେ ତୃତୀୟ ସ୍ଥାନରେ ଧରାଶାୟୀ ହୋଇପଡିଛି । ଦଳକୁ ସକ୍ରିୟ କରିବା ସହ କିଭଳି ରାଜ୍ୟରେ ଶାସନ କ୍ଷମତାକୁ ଫେରାଇ ଅଣାଯାଇ ପାରିବ, ସେନେଇ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି କଂଗ୍ରେସ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ମଙ୍ଗୁଆଳଠାରୁ ଆରମ୍ଭ ହୋଇଛି ପରିବର୍ତ୍ତନର ପର୍ବ । ପରେ ପରେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଦଳର ସାମିଲ ହେବାପରେ ତାଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଛନ୍ତି ହାଇକମାଣ୍ଡ । ମୂଳରୁ ଚୂଳ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସର ସ୍ଥିତିକୁ କିଭଳି ସୁଦୃଢ କରାଯାଇ ପାରିବ, ସେନେଇ ଆରମ୍ଭ ହୋଇଥିଲା ଅଙ୍କକଷା । ଯୋଜନା ମୁତାବକ ମନାନ୍ତର ଓ ମତାନ୍ତର କାରଣରୁ ଦୂରେଇ ଯାଇଥିବା ନେତାଙ୍କୁ ଫେରାଇ ଆଣିବା ପାଇଁ ଅରମ୍ଭ ହୋଇଥିଲା ଉଦ୍ୟମ । ଏହିକ୍ରମରେ ବିଜୟ ପ୍ରତି ନେତାଙ୍କୁ ଏକାଧିକ ବାର ଡୋର ଟୁ ଡୋର ବୁଲି ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏଥିରେ ଅନେକ ମାତ୍ରାରେ ତାଙ୍କୁ ସଫଳତା ମଧ୍ୟ ମିଳିଛି । ଉଭୟ ବିଜେଡି ଓ ବିଜେପି ନୀତି ଆଦର୍ଶରେ କୋଣଠେସା ହୋଇଥିବା ନେତାଙ୍କୁ କଂଗ୍ରେସକୁ ଆଣିବା ଲାଗି ମନାଇବାରେ ବିଜୟ ସଫଳ ହୋଇଥିବା କୁହାଯାଉଛି । ତେବେ ଏହି ପ୍ରକ୍ରିୟା ଦଳକୁ କେତେ ଫାଇଦା ଦେବ ଓ ଦଳୀୟ କନ୍ଦଳ ପ୍ରଶମିତ କରିବାରେ କେତେ ସହାୟକ ହେବ, ବର୍ତ୍ତମାନ ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.