ETV Bharat / state

ଦୀପାବଳି ପାଇଁ ଚଳଚଞ୍ଚଳ ଦେଉଳି ଗାଁ, ଘରେ ଘରେ ପ୍ରସ୍ତୁତ କରାଯାଉଛି ମାଟି ଦୀପ

author img

By

Published : Oct 15, 2022, 8:39 PM IST

ଦୀପାବଳି ପାଇଁ ଚଳଚଞ୍ଚଳ ଦେଉଳି ଗାଁ
ଦୀପାବଳି ପାଇଁ ଚଳଚଞ୍ଚଳ ଦେଉଳି ଗାଁ

ଆଲୋକର ପର୍ବ ଦୀପାବଳିି ପାଇଁ ଜୋରସୋରରେ ଚାଲିଛି ଦୀପ ପ୍ରସ୍ତୁତି । ଦୀର୍ଘ ଦୁଇବର୍ଷ ପରେ ଧୁମଧାମରେ ଦୀପାବଳି ପାଳିବେ ରାଜ୍ୟବାସୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଦେଉଳି ଗାଁରେ ମାଟି ଦୀପ ପ୍ରସ୍ତୁତିରେ ନିମଗ୍ନ କାରିଗର । ଦେଖନ୍ତୁ ଏହି ରିପୋର୍ଟ

ଖୋର୍ଦ୍ଧା: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି (Diwali) । ପରମ୍ପରା ଅନୁସାରେ ଘରେ ଘରେ ଜଳିବ ଦୀପ ଆଉ ଖେଳିବ ଆନନ୍ଦର ଲହରୀ । ଦୀର୍ଘ ଦୁଇବର୍ଷ ପରେ ଧୁମଧାମରେ ଦୀପାବଳି ପାଳିବେ ରାଜ୍ୟବାସୀ । ଯାହାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଦୀପାବଳିରେ ମାଟିଦୀପର ଚାହିଦା ବେଶ ଅଧିକ ରହିଥିବାବେଳେ ସବୁଆଡେ ଜୋରସୋରରେ ଚାଲିଛି ଦୀପ ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଦେଉଳି ଗାଁରେ ମାଟି ଦୀପ ପ୍ରସ୍ତୁତିରେ ନିମଗ୍ନ କାରିଗର ।

ଦୀପାବଳି ପାଇଁ ଚଳଚଞ୍ଚଳ ଦେଉଳି ଗାଁ

ଦୀପାବଳି ପାଇଁ କୁମ୍ଭକାରମାନେ ଲାଗିପଡିଛନ୍ତି ଦୀପ ପ୍ରସ୍ତୁତିରେ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଦେଉଳି ଗାଁରେ କାରିଗର ମାନେ ଲାଗିପଡିଛନ୍ତି ମାଟି ଦୀପ ପ୍ରସ୍ତୁତିରେ । ଘରେ ଘରେ ପୁରୁଷ ଆଉ ମହିଳାମାନେ ନିଜର କାମ ସାରି ମାଟିକୁ ଚକଟି ଦୀପ ପ୍ରସ୍ତୁତରେ ଲାଗିପଡିଛନ୍ତି । କିଏ ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଶୁଖେଇବାରେ ବ୍ୟସ୍ତ ପୁଣି ଆଉ କିଏ ଭାଟିରେ ଦୀପକୁ ପୋଡୁଛି । ଦେଉଳି ଗାଁର କିଛି କୁମ୍ଭକାର ସେମାନଙ୍କ ବୃତ୍ତି ଛାଡିବାକୁ ବସିଥିବାବେଳେ ଆଉ କିଛି ବୟସ୍କବ୍ୟକ୍ତି ପରମ୍ପରାକୁ ଜାବୁଡି ଧରିଛନ୍ତି । ଆଉ ଦୀପାବଳି ପାଇଁ ଭଳିିକି ଭଳି ଦୀପ ପ୍ରସ୍ତୁତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: T20 World Cup: ୨୦୧୪ ଠାରୁ ICC ଟ୍ରଫି ଜିତିପାରିନି ଭାରତ, ଏଥର ଜିତିବ ତ

ଏନେଇ ଏକ କାରିଗର କହିଛନ୍ତି, "ଦୀପାବଳି ବୋଲି ନୁହଁ ଆମର ବର୍ଷସାରା ଦୀପ ତିଆରି ହୋଇଥାଏ । କିନ୍ତୁ ବର୍ଷ ତମାମ ମାଟି ଦୀପର ଚାହିଦା ରହିଥିବାବେଳେ ଦୀପାବଳୀ ଆସିଲେ ଏହି ଚାହିଦା ଦ୍ବିଗୁଣିତ ହୋଇଥାଏ । ତେଣୁ ମାସକ ଆଗରୁ ଦୀପ ପ୍ରସ୍ତୁତି କାମ ଆରମ୍ଭ କରିଛୁ ।ଗତବର୍ଷ ଅପେକ୍ଷା ଏବର୍ଷ ଭଲ ବେପାର ହେବ ବୋଲି ଆଶାରଖିଛୁ । ଏକ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ବଡ ଦୀପ ପ୍ରସ୍ତୁତ କରୁଛୁ । ଦୀପାବଳି ପାଇଁ ବହୁତ ଚାହିଦା ରହିଛି । ଏବର୍ଷ ଆମେ ବହୁତ ପ୍ରକାରର ଦୀପ ତିଆରି କରିଛୁ ।"



ବର୍ଷ ତମାମ ରହିଛି ମାଟି ଦୀପର ଚାହିଦା । କିନ୍ତୁ ଦୀପାବଳି ଆସିଲେ ଏହି ଦୀପର ଚାହିଦା ଦ୍ୱିଗୁଣିତ ହୋଇଥାଏ । ଆଉ ସେଇଥିପାଇଁ ଦୀପାବଳୀର ମାସକ ପୂର୍ବରୁ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର । ବଜାର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କମ ଦୀପାଳି, ଛାଞ୍ଚ ଦୀପାଳି, ସଦା ଦୀପାଳି ଭଳି ପାଞ୍ଚରୁ ସାତ ପ୍ରକାର ଦୀପ ପ୍ରସ୍ତୁତ କରୁଥିବା କହିଛନ୍ତି କାରିଗର । ଦେଉଳି ଗାଁର ୩୦ ପରିବାର ଏବେ ଏଭଳି ଦୀପ ପ୍ରସ୍ତୁତ କରୁଛନ୍ତି । ଦୀପାବଳି ପାଇଁ ପ୍ରତ୍ୟେକଟି ଘରେ ୨୦ ହଜାରରୁ ୩୦ ହଜାର ଦୀପ ସଜେଇ ରଖିଲଣି । ଏଦୀପ କେବଳ ବ୍ଳକ ଅଞ୍ଚଳରେ ବିକ୍ରି ପାଇଁ ନୁହେଁ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ଦୀପାବଳିରେ ଦୀପ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି କୁମ୍ଭକାର ପରିବାର । ଏଥର ବିନା କଟକଣାରେ ଦୀପାବଳି ପାଳନ କରାଯାଉଥିବାରୁ ଗତବର୍ଷ ଅପେକ୍ଷା ଏବର୍ଷ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି କୁମ୍ଭକାର ପରିବାର । କିନ୍ତୁ ଦିନକୁ ଦିନ ମାଟି ଅଭାବ ଓ ପୋଡିବା ପାଇଁ ଜାଳେଣି କାଠର ଅଭାବ ସମସ୍ୟାକୁ ବଢ଼ାଉଛି ।

ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ବୋଲଗଡ ବ୍ଲକ । ତେବେ ଆଲୋକର ପର୍ବକୁ ଆହୁରି ରଙ୍ଗୀନ କରିବା ପାଇଁ ମାଟିର ହାତ ତିଆରି ଦୀପ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.