ETV Bharat / sports

T20 World Cup: ୨୦୧୪ ଠାରୁ ICC ଟ୍ରଫି ଜିତିପାରିନି ଭାରତ, ଏଥର ଜିତିବ ତ

author img

By

Published : Oct 15, 2022, 5:23 PM IST

ଗତ ୮ ବର୍ଷ ମଧ୍ୟରେ ଭାରତ ସମସ୍ତ ପ୍ରକାର ଫର୍ମାଟରେ ୭ଟି ICC ଟୁର୍ଣ୍ଣାମେଣ୍ଟରେ ଭାଗନେଇଛି । ଏପରିକି ୩ଥର ଫାଇନାଲରେ ମଧ୍ୟ ପ୍ରବେଶ କରିଛି ମାତ୍ର ସବୁଥର ପରାଜିତ ହୋଇଛି । ୨୦୨୧ ଟି୨୦ ବିଶ୍ବକପରେ ଶେଷଥର ପାଇଁ ଭାରତ ICC ଟ୍ରଫି ଜିତିବାର ସୁଯୋଗ ହାତଛଡା କରିଥିଲା । ଅଧିକ ପଢନ୍ତୁ

The Wait For an ICC Trophy Continues: A Look at Team India's Failed Campaigns in Past 8 Years
୨୦୧୪ ଠାରୁ ICC ଟ୍ରଫି ଜିତିନି ଟିମ ଇଣ୍ଡିଆ, ଏଥର ଜିତିବ ତ

ହାଇଦ୍ରାବାଦ: ଅଶ୍ବିନ ବୋଲିଂ କରୁଥାନ୍ତି ଜେମ୍ସ ଟ୍ରେଡ୍‌ୱେଲ୍‌ ସାମ୍ନାରେ ବ୍ୟାଟିଂ କରୁଥାନ୍ତି - ବଲ୍‌ ସ୍ପିନ ହୁଏ, ବ୍ୟାଟ୍‌ର ପରାସ୍ତ ହୁଅନ୍ତି, କୌଣସି ରନ୍‌ର ସମ୍ଭାବନା ନଥାଏ ଓ ଭାରତ ବିଜୟୀ ହୁଏ । ଦୀର୍ଘ ୮ ବର୍ଷ ତଳେ ବର୍ମିଂହାମରେ ଏହା ଘଟିଥିଲା । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ଆୟୋଜକ ଇଂଲଣ୍ଡକୁ ୧୨୪/୯ ରନ୍‌ରେ ସୀମିତ ରଖିବା ସହ ୫ ରନରେ ବିଜୟୀ ହୁଏ ଓ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ୨୦୧୩ ICC ଚାମ୍ପିୟନ୍ସ ଟ୍ରଫି ଜିତିନିଏ । ଏହା ଶେଷ ଥର ଥିଲା ଯେଉଁଠାରେ ଭାରତ ଏକ ICC ଟ୍ରଫି ଉଠାଇଥିଲା ଓ ସମଗ୍ରଦେଶ ଖୁସିରେ ଝୁମି ଉଠିଥିଲା ।

Also read: womens Asia Cup Final: ସପ୍ତମ ଥର ମହିଳା ଏସିଆ କପ ହାତେଇଲା ଭାରତ

ଗତ ୮ ବର୍ଷ ମଧ୍ୟରେ ଭାରତ ସମସ୍ତ ପ୍ରକାର ଫର୍ମାଟରେ ୭ଟି ICC ଟୁର୍ଣ୍ଣାମେଣ୍ଟରେ ଭାଗନେଇଛି । ଏପରିକି ୩ଥର ଫାଇନାଲରେ ମଧ୍ୟ ପ୍ରବେଶ କରିଛି ମାତ୍ର ସବୁଥର ପରାଜିତ ହୋଇଛି । ୨୦୨୧ ଟି୨୦ ବିଶ୍ବକପରେ ଶେଷଥର ପାଇଁ ଭାରତ ICC ଟ୍ରଫି ଜିତିବାର ସୁଯୋଗ ହାତଛଡା କରିଥିଲା । ବିରାଟ କୋହଲି ଓ ଟିମ୍‌ ୨୦୨୧ ଟି୨୦ ବିଶ୍ବକପରେ ନିଜର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ନମିବ୍ୟା ବିପକ୍ଷରେ ଖେଳିବା ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇସାରିଥିଲା । ୟୁଏଇରେ ବିଫଳ ବିଶ୍ବକପ ଅଭିଯାନ(Team India's Failed Campaigns ) ପରେ ବିସିସିଆଇ ବିବାଦ ଘେରକୁ ମଧ୍ୟ ଆସିଥିଲା ଓ ସମାଲୋଚନାର ଶିକାର ହୋଇଥିଲା ।

ନଜର ପକାନ୍ତୁ ବିଗତ ବର୍ଷ ଗୁଡିକରେ ମେଗା ଆଇସିସି ଇଭେଣ୍ଟରେ ଭାରତର ବିଫଳ ଅଭିଯାନ ଉପରେ ।

୧. ୨୦୧୪ ଟି୨୦ ବିଶ୍ବକପ ଫାଇନାଲରେ ଶ୍ରୀଲଙ୍କା ଠାରୁ ଭାରତର ପରାଜୟ

ଫ୍ୟାନ୍ସ ଆଶା କରିଥିଲେ ଯେ, ୨୦୦୭ ଟି୨୦ ବିଶ୍ବକପ ବିଜୟର ୭ ବର୍ଷ ପରେ ମହେନ୍ଦ୍ର ସିଂହ ଧୋନି ଦେଶ ପାଇଁ ଆଉଏକ ବିଶ୍ବକପ ଟ୍ରଫି ଆଣିଦେବେ । ମାତ୍ର ଲସିଥ ମାଲିଙ୍ଗା ଓ ନୁଆନ କୁଳଶେକରା ଏହା ହେବାକୁ ଦେଇନଥିଲେ । ଢାକାର ଧିମା ପିଚ୍‌ରେ ଉଭୟ ମିଶି ଶକ୍ତିଶାଳୀ ଭାରତୀୟ ବ୍ୟାଟିଂକ୍ରମକୁ ଧରାଶାୟୀ କରାଇଥିଲେ । ଅବିଶ୍ବସନୀୟ ବୋଲିଂ ସହ ୱାଇଡ୍‌ ୟର୍କର ରଣନୀତି ଆପଣାଇ ସଫଳ ହୋଇଥିଲେ । ଫାଇନାଲ ମୁକାବିଲାରେ ମାତ୍ର ୧୩୦ ରନ୍‌ରେ ଭାରତକୁ ସୀମିତ ରଖିଥିଲେ ଶ୍ରୀଲଙ୍କା ବୋଲର । ଜବାବରେ ଶ୍ରୀଲଙ୍କା ୬ ୱିକେଟରେ ବିଜୟୀ ହେବାସହ କ୍ରିକେଟର ଫଟାଫଟ ଫର୍ମାଟରେ ବିଶ୍ବ ଚାମ୍ପିୟନ ବନିଥିଲା ।

୨. ୨୦୧୫ ବିଶ୍ବକପ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ

କ୍ୟାପଟେନ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ଶେଷ ବିଶ୍ବକପ ଥିଲା ଏହି ସଂସ୍କରଣ । ତେବେ କଙ୍ଗାରୁ ଟିମ ଠାରୁ ଭାରତକୁ ବଡ ପରାଜୟ ମିଳିଥିଲା । ଷ୍ଟିଭ ସ୍ମିଥ୍‌ଙ୍କ ଦମଦାର ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୨୮ ରନ୍‌ କରିଥିଲା । ଜବାବରେ ଧୋନିଙ୍କ ଲଢୁଆ ୬୫ ବିଫଳ ହୋଇଥିଲା । ୯୫ ରନ୍‌ରେ ମେନ୍‌ ଇନ୍‌ ବ୍ଲୁ ପରାସ୍ତ ହେବାସହ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲା ।

୩. ୨୦୧୬ ଟି୨୦ ବିଶ୍ବକପ ସେମିଫାଇନାଲରେ ୱେଷ୍ଟଇଣ୍ଡିଜ ଠାରୁ ଭାରତର ପରାଜୟ

ଲିଗ୍‌ ପର୍ଯ୍ୟାୟରେ ବିରାଟ କୋହଲିଙ୍କ ଲଗାତାର ଧମାକାଦାର ପ୍ରଦର୍ଶନ ବଳରେ ଟିମ ଇଣ୍ଡିଆ ସେମିଫାଇନାଲରେ ସହଜରେ ପହଞ୍ଚି ଯାଇଥିଲା । ମାତ୍ର କାର୍ଲସ ବ୍ରେଥୱେଟ୍‌ ସେମିଫାଇନାଲ ମୁକାବିଲାରେ ଭାରତର ସମସ୍ତ ଆଶାକୁ ଧୁଳିସାତ୍‌ କରିଥିଲେ । ୧୯୩ ରନ୍‌ର ଟାର୍ଗେଟ ଦେଇଥିଲା ଭାରତ ମାତ୍ର ଡାରେନ ସାମିଙ୍କ ନେତୃତାଧୀନ ଟିମ ୭ ୱିକେଟ ହାତରେ ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା ।

୪. ୨୦୧୭ ICC ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ଭାରତର ପରାଜୟ

ବିରାଟ କୋହଲିଙ୍କ ପାଇଁ ଏହା ଥିଲା ପ୍ରଥମ ବଡ ICC ଟୁର୍ଣ୍ଣାମେଣ୍ଟ । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ସହ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଫାଇନାଲ ଖେଳିବାକୁ ଅପେକ୍ଷା କରିଥିଲା ଚିର ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ । ଲିଗ୍‌ ପର୍ଯ୍ୟାୟରେ ମେନ୍‌ ଇନ୍‌ ଗ୍ରୀନଙ୍କୁ ଭାରତ ପରାସ୍ତ କରିସାରିଥିବାରୁ ଫ୍ୟାନ୍ସ ଫାଇନାଲରେ ଭାରତୀୟ କ୍ରିକେଟ ଟିମର ଆଉ ଏକ ସହଜ ବିଜୟ ଆଶା କରୁଥିଲେ । ମାତ୍ର ମ୍ୟାଚ୍‌ର ଫଳାଫଳ ଯାହା ହୋଇଥିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ପୂର୍ବରୁ ଏହା କେବେ ଘଟିନଥିଲା । ବୁମରାଙ୍କ ଏକ ନୋ-ବଲ୍‌ ଜୀବନଦାନ ଯୋଗୁଁ ଫଖର ଜମାନ ଶତକୀୟ ଇଂନିସ ଖେଳି ୩୩୯ ରନ୍‌ର ଟାର୍ଗେଟ ରଖିବାକୁ ସଫଳ ହୋଇଥିଲା । ଜବାବରେ ମାତ୍ର ୧୫୮ ରନ୍‌ର ଭାରତ ଅଲଆଉଟ୍‌ ହୋଇଯାଇଥିଲା ।

୫. ICC ବିଶ୍ବକପ ୨୦୧୯ରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ

ମହେନ୍ଦ୍ର ସିଂହ ଧୋନି ଅବିଶ୍ବସନୀୟ ଇଂନିସ ସହ ବ୍ଳୁ ଜର୍ସିରେ ଟିମ ଇଣ୍ଡିଆକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି । ମାତ୍ର ୨୦୧୯ ପୁରୁଷ ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସଫଳ ହୋଇନଥିଲେ । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଟିମ ଇଣ୍ଡିଆ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାସ୍ତ ହେବାସହ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲା । ମାଞ୍ଚେଷ୍ଟରରେ ବର୍ଷା ଯୋଗୁଁ ମ୍ୟାଚ୍‌ ଦୁଇଦିନ ଘୁଞ୍ଚିଥିଲା । ନ୍ୟୁଜିଲାଣ୍ଡ ୮ ୱିକେଟ ହରାଇ ୧୩୯ ରନ୍‌ ସଂଗ୍ରହ କରିଥିଲା । ପରେ ୨୪୦ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ରୋହିତ, ରାହୁଲ ଓ ବିରାଟ ମାତ୍ର ୧ ରନ୍‌ ଲେଖାଏଁ କରି ପାଭିଲିୟନ ଫେରିଥିଲେ । ଧୋନି ଏକ ଲଢୁଆ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ମାତ୍ର ତାଙ୍କର ରନ୍‌ଆଉଟ୍‌ ଓ ଜାଡେଜାଙ୍କ ୭୭ ରନ୍‌ରେ ଆଉଟ୍‌ ହେବାପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା । ୨୨୧ ରନ୍‌ରେ ଭାରତ ସମସ୍ତ ୱିକେଟ ହରାଇବା ସହ ୧୮ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା ।

୬. ICC ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ

ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ବଡ ମ୍ୟାଚ୍‌ରେ ଭାରତ ସାମ୍ନାରେ ଥିଲା ନ୍ୟୁଜିଲାଣ୍ଡ, ଯାହାକି ପୁଣି ଇଂଲଣ୍ଡରେ କିନ୍ତୁ ଏଥର ଫର୍ମାଟ ଅଲଗା ଥିଲା । ଏହା ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମୁକାବିଲା ଥିଲା ଓ ଟେଷ୍ଟର ବେଷ୍ଟ ଟିମ ପାଇଁ ଲଢେଇ ଥିଲା । ବିରାଟ କୋହଲିଙ୍କ ନେତୃତାଧୀନ ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ହରାଇବା ପରେ ଟ୍ରଫି ବିଜୟର ପ୍ରବଳ ଦାବିଦାର ଥିଲା । ମାତ୍ର ବର୍ଷା ପୁଣି ସାଜିଥିଲା ବାଧକ । ପ୍ରଥମ ତିନିଦିନର ଖେଳ ବାଧାପ୍ରାପ୍ତ ପରେ ରିଜର୍ଭ ଡେକୁ ବ୍ୟବହାର କରିବାକୁ ପଡିଥିଲା ।

ଭାରତ ଦ୍ବିତୀୟ ଇଂନିସରେ ଭଲ ବ୍ୟାଟିଂ କରିପାରିନଥିଲା ଓ କିୱିଙ୍କ ସାମ୍ନାଙ୍କ ମାତ୍ର ୧୩୯ ରନ୍‌ର ଛୋଟ ଟାର୍ଗେଟ ରଖିଥିଲା । କ୍ୟାପଟେନ୍‌ କେନ୍‌ ୱିଲିୟମସନ ଓ ଭେଟେରାନ ବ୍ୟାଟ୍‌ର ରସ୍‌ ଟେଲର ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ କରିବା ସହ ୮ ୱିକେଟରେ ଟିମକୁ ବିଜୟୀ କରାଇଥିଲେ ଓ ବ୍ଳାକକ୍ୟାପ୍‌ସ ବିଶ୍ବ ଚାମ୍ପିୟନ୍ସ ବନିଥିଲା ।

୭. ୨୦୨୧ରେ ଖେଳାଯାଇଥିବା ଟି୨୦ ବିଶ୍ବକପରେ ସୁପର ୧୨ ରାଉଣ୍ଡ ଶେଷ ପୂର୍ବରୁ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାର

ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଦାବିଦାର ସତ୍ତ୍ବେ ଫେଲ୍‌ ମାରିଥିଲା ଟିମ ଇଣ୍ଡିଆ । ଶକ୍ତିଶାଳୀ ଟିମ ଭାବେ ଭାରତୀୟ ଟିମର ସବୁ ଗଣିତ ଓଲଟପାଲଟି ହୋଇଯାଇଥିଲା ଯେବେ ବିଶ୍ବକପର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା । ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ମଧ୍ୟ ପରାଜୟରୁ ବର୍ତ୍ତି ପାରିନଥିଲା ଭାରତୀୟ ଟିମ ।ସେମିଫାଇନାଲ ଯୋଗ୍ୟତା ଅର୍ଜନ ପାଇଁ ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ ମ୍ୟାଚ୍‌ ଉପରେ ଭାରତର ଭାଗ୍ୟ ନିର୍ଭର କରିଥିଲା । ମାତ୍ର ୱିଲିୟମସନଙ୍କ ଟିମ ଆଫଗାନ ୟୁନିଟ୍‌କୁ ହରାଇ ସେମିରେ ପ୍ରବେଶ କରିଥିଲା ଓ ଭାରତକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତା ଦେଖାଇଥିଲା ।

Also read: U17 women's World Cup: ଗରିବ ଆଦିବାସୀ ଝିଅ କାନ୍ଧରେ ଭାରତର ନେତୃତ୍ବ ଭାର

ଏବେ ପୁଣି ଏକ ଆଇସିସି ଇଭେଣ୍ଟରେ ଭାଗ ନେବାକୁ ଅଷ୍ଟ୍ରେଲିଆରେ ପହଞ୍ଚିସାରିଛି ଟିମ ଇଣ୍ଡିଆ । କ୍ୟାପଟେନ୍‌, କୋଚ୍‌ ବ୍ୟାଟ୍‌ର ବୋଲର ଅଧିକାଂଶ ବଦଳିସାରିଛନ୍ତି । ଏଥର କୋହଲିଙ୍କ ବଦଳରେ ରୋହିତ କ୍ୟାପଟେନ୍‌, ରବି ଶାସ୍ତ୍ରୀଙ୍କ ବଦଳରେ ରାହୁଲ ଦ୍ରାବିଡ୍‌ କୋଚ୍‌ । ଅର୍ଥାତ ଅନ୍ୟ ଅର୍ଥରେ ଟିମ ଇଣ୍ଡିଆର ବିଭିନ୍ନ ବିଭାଗରେ ନବକଳେବର ହୋଇସାରିଛି । ଆଇସିସି ପୁରୁଷ ଟି୨୦ ବିଶ୍ବକପ ୨୦୨୨ର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ । ଏଥର ମଧ୍ୟ ଭାରତକୁ ଟ୍ରଫି ବିଜେତା ଦାବିଦାର ବୋଲି ବିବେଚନା କରାଯାଉଛି । ତେବେ ଫ୍ୟାନ୍ସଙ୍କ ଦୀର୍ଘ ଦିନର ଅପେକ୍ଷାର(Wait For an ICC Trophy Continues) ଅନ୍ତ ଅଷ୍ଟ୍ରେଲିଆ ମାଟିରେ ହେଉଛି ନା ଟିମ ଇଣ୍ଡିଆର ବିଫଳ ICC ଇଭେଣ୍ଟ ଅଭିଯାନ ତାଲିକାରେ ଆଉ ଏକ ବିଶ୍ବକୁ ଟୁର୍ଣ୍ଣାମେଣ୍ଟର ନାଁ ଯୋଡି ହେଉଛି ତାହା ସମୟ କହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.