ETV Bharat / state

'ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବାକୁ ଶାହ ଓଡ଼ିଶା ଆସିଥିଲେ'

author img

By

Published : Aug 6, 2023, 8:21 PM IST

ବିଜେଡି ଓ ବିଜେପିକୁ କଂଗ୍ରେସର କଟାକ୍ଷ
ବିଜେଡି ଓ ବିଜେପିକୁ କଂଗ୍ରେସର କଟାକ୍ଷ

ଶାହଙ୍କ ଓଡିଶା ଗସ୍ତ ପରେ ବିଜେଡି ଏବଂ ବିଜେପି ମଧ୍ୟରେ ଥିବା ଭିତରିଆ ବୁଝାମଣା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଉଭୟଙ୍କ ମଧ୍ୟରେ ଭିତରୀ ସମ୍ପର୍କ ଥିବା ନେଇ ଅଭିଯୋଗ ବାଢିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଜେଡି ଓ ବିଜେପିକୁ କଂଗ୍ରେସର କଟାକ୍ଷ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସି ନବୀନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା ପର ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଶାହଙ୍କ ଓଡିଶା ଗସ୍ତ ପରେ ବିଜେଡି ଏବଂ ବିଜେପି ମଧ୍ୟରେ ଥିବା ଭିତରିଆ ବୁଝାମଣା ନେଇ ଚର୍ଚ୍ଚା ଜୋର ଧରିଛି । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଏକ ସରକାରୀ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନବୀନଙ୍କୁ ପ୍ରଶଂସା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାସହ ନିକଟ ଅତୀତରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ସମର୍ଥନ, ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଏବଂ ପୂର୍ବରୁ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ବିଜେଡିର ସମର୍ଥନକୁ ନେଇ ଉଭୟଙ୍କ ମଧ୍ୟରେ ଭିତିରି ସମ୍ପର୍କ ଥିବା ଅଭିଯୋଗ ବାଢିଛି କଂଗ୍ରେସ ।

କେନ୍ଦ୍ର ନେତୃତ୍ୱ ସଲାସୁତୁରା ରାଜନୀତି କରୁଥିବାବେଳେ ବିଜେପିର ରାଜ୍ୟ ନେତୃତ୍ୱ ରାଜ୍ୟ ସରକାରଙ୍କୁ ବିରୋଧ କରୁଛି । ଯାହାକୁ ନେଇ ବିଜେପି କର୍ମୀ ଓ ରାଜ୍ୟ ନେତୃତ୍ୱରେ ଅସନ୍ତୋଷ ଦେଖାଦେଇଛି । ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, "ଆଗକୁ ବିଜେପି ପଞ୍ଚାୟତ ସ୍ତରରେ ସଂଗଠନ ସୁଦୃଢ଼ କରିବ ।" ଏହାରି ଭିତରେ ସଂଘୀୟ ବ୍ୟବସ୍ଥା ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମ୍ପର୍କର ପରିଭାଷା ବୁଝାଇଛି । ତେବେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସହଯୋଗରେ ସାମଗ୍ରିକ ବିକାଶ କରିବାରେ ଓଡିଶା ସାରା ଦେଶରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।

ବିପର୍ଯ୍ୟୟ ପରିଚାଳନା, ନକ୍ସଲ ମୁକାବିଲା ସହିତ ଗମନାଗମନରେ ଓଡିଶା ସରକାରଙ୍କ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହମନ୍ତ୍ରୀ ଖୋଲା ପ୍ରଶଂସା କରିବା ପରେ କେନ୍ଦ୍ର ରାଜ୍ୟ ସଲାସୁତୁରା ରାଜନୀତି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି,"ସବୁବେଳେ ସମଦୂରତା କଥା କହି ଆସୁଥିବା ନବୀନ ସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରତି ସମର୍ଥନ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସରକାରୀ କାର୍ଯ୍ୟରେ ଓଡ଼ିଶା ଗସ୍ତରେ ଆସିନଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବାକୁ କେନ୍ଦ୍ରମନ୍ତ୍ରୀ ଆସିଥିଲେ ।"


ଏହା ବି ପଢନ୍ତୁ...Amit Shah in Odisha: ଗୋଟିଏ ମଞ୍ଚରେ ଶାହ ଓ ନବୀନ; ପରସ୍ପରକୁ କଲେ ପ୍ରଶଂସା

ସେ ଆହୁରି କହିଛନ୍ତି, "ଲୋକସଭାରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ବିଜେପିକୁ ସମର୍ଥନ ଦେଇଥିଲା ବିଜେଡି । ଲୋକସଭାରେ ପାଖାପାଖି 43 ବିଲ ପାସ୍ ହୋଇଥିବାବେଳେ ସବୁ ବିଲକୁ ସମର୍ଥନ ଦେଇଛି ବିଜେଡି। ରାଷ୍ଟ୍ରପତିଙ୍କୁ ଓଡ଼ିଆ ଝିଅ କହିକି ସମର୍ଥନ ଦେଲେ। ତେବେ ଉପରାଷ୍ଟ୍ରପତି ପ୍ରାର୍ଥୀ ତ ଓଡ଼ିଆ ନଥିଲେ, ତାଙ୍କୁ କାହିଁକି ବିଜେଡି ସମର୍ଥନ ଦେଲା ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହାସହ ଜୟଦେବ ଜେନା ଆହୁରି ମଧ୍ୟ କହିଛନ୍ତି, "ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ସମର୍ଥନ ଦେଇଥିଲେ । ଏହା କି ପ୍ରକାର ସମଦୂରତା ବୁଝା ପଡୁନାହିଁ । ସାରା ବିଶ୍ୱ ସହ ଭାରତ ବର୍ଷ ଯେତେବେଳେ ମଣିପୁର ଘଟଣାରେ ଲଜ୍ଜିତ ସେତେବେଳେ ବିଜେଡି କେଉଁ ନୀତି ଆଧାରରେ ବିଜେପିକୁ ସମର୍ଥନ ଦେଇପାରୁଛି ? ଉଭୟ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.