ETV Bharat / state

ଆଗୁଆ ନିର୍ବାଚନ ହେଲେ କେନ୍ଦ୍ରରେ ବିରୋଧୀ ମେଣ୍ଟକୁ ଫାଇଦା ! 'ଓଡିଶାରେ ବିଜେଡି ଆଗରେ'

author img

By

Published : Jul 31, 2023, 5:06 PM IST

Updated : Jul 31, 2023, 10:28 PM IST

ଆଗୁଆ ନିର୍ବାଚନ ହେଲେ କାହାକୁ ଫାଇଦା ?
ଆଗୁଆ ନିର୍ବାଚନ ହେଲେ କାହାକୁ ଫାଇଦା ?

ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । କଂଗ୍ରେସ, ବିଜେପି ଓ ବିଜେଡିର ନେତାମାନେ ନିଜ ଦଳ ସପକ୍ଷରେ ଜନମତ ଆସିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ଆଗୁଆ ନିର୍ବାଚନ ହେଲେ କାହାକୁ ଫାଇଦା ?

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ନିର୍ବାଚନ ପାଇଁ ଚର୍ଚ୍ଚା ଆଲୋଚନା ଥମିନି । ତେବେ ଯଦି ଆଗୁଆ ନିର୍ବାଚନ ହୁଏ, କେଉଁ ଦଳକୁ ମିଳିବ ଫାଇଦା ? ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ କେଉଁ ଦଳ ରହିବ ଆଗରେ ? ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଲୋକଙ୍କ ପାଖରେ ଏକ ମାତ୍ର ବିକଳ୍ପ କଂଗ୍ରେସ ଏବଂ ଇଣ୍ଡିଆ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଲୋକେ ବିଜେପିକୁ କ୍ଷମତାକୁ ଆଣିବେ ବୋଲି ଦଳର ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି । ସେହିଭଳି ଆମେ ସବୁ ବେଳେ ପ୍ରସ୍ତୁତ ଥିଲୁ ଏବଂ ଅଛୁ ବୋଲି କହିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା ।

'ଲୋକଙ୍କ ପାଖରେ ଏକମାତ୍ର ବିକଳ୍ପ କଂଗ୍ରେସ ଏବଂ ଇଣ୍ଡିଆ': କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "କେନ୍ଦ୍ରର ବିଜେପି ସରକାର ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ସେସବୁକୁ ପୂରଣ କରିବାରେ ମୋଦି ଓ ଶାହା କମ୍ପାନୀ ଫେଲ ମାରିଛନ୍ତି । ବିଦେଶରୁ କଳା ଧନ ଫେରାଇ ଆଣିବା, ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବା ଇତ୍ୟାଦି । ଦରଦାମ ବୃଦ୍ଧିରେ ଲୋକେ ଅସ୍ତବ୍ୟସ୍ତ । ବେରୋଜଗାର ଲୋକଙ୍କୁ ପରିବର୍ତ୍ତନ ପାଇଁ ଚିନ୍ତା କରିବାକୁ ବାଧ୍ୟ କରିଛି । ଲୋକଙ୍କ ପାଖରେ ଏକମାତ୍ର ବିକଳ୍ପ କଂଗ୍ରେସ ଏବଂ ଇଣ୍ଡିଆ ।" ଲୋକେ କଂଗ୍ରେସକୁ ହିଁ ଭୋଟ ଦେବେ ବୋଲି ସେ କହିଛନ୍ତି ।

'ନ୍ୟାସନାଲ ନ୍ୟାରେଟିଭକୁ ରାଜ୍ୟକୁ ଆଣିବାରେ କଂଗ୍ରେସ ବିଫଳ': ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ସାଂଗଠନିକ ଦୃଷ୍ଟିରୁ ବିଜେଡି ରାଜ୍ୟରେ ଆଗୁଆ ରହିଛି । ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟର ବା ସରକାର ବିରୋଧୀ ହାୱା ମଧ୍ୟ ରହିଛି । ଏହାସତ୍ତ୍ବେ ମଧ୍ୟ ଲୋକଙ୍କ ଭିତରେ ନବୀନଙ୍କ ବିରୋଧରେ ଆକ୍ରୋଶ ମନୋଭାବ ନାହିଁ । ପଞ୍ଚାୟତ ଏବଂ ପୌର ତଥା ଉପନିର୍ବାଚନର ଫଳାଫଳ ଯାହା ରହିଛି, ସେସବୁ ଦେଖିଲେ ବିଜେଡି ସାଂଗଠନିକ ଦୃଷ୍ଟିକୋଣରୁ କେତେ ଶକ୍ତିଶାଳୀ ତାହା ପ୍ରମାଣିତ । କିନ୍ତୁ ଜାତୀୟ ଦୃଶ୍ୟପଟ୍ଟ ଯାହା ରହିଛି, କଂଗ୍ରେସ ନ୍ୟାସନାଲ ନ୍ୟାରେଟିଭକୁ ରାଜ୍ୟକୁ ଆଣିବା କଥା । ଏହା ରାଜ୍ୟ କଂଗ୍ରେସ ପାଇଁ ଏକ ସୁଯୋଗ । କିନ୍ତୁ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବା ପାଇଁ କଂଗ୍ରେସ ନେତାମାନେ କାମ କରୁନାହାନ୍ତି । ଏପରିକି କଂଗ୍ରେସ ପ୍ରଭାରୀ ମଧ୍ୟ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ନ୍ୟାସନାଲ ନ୍ୟାରେଟିଭକୁ ରାଜ୍ୟକୁ ଆଣିବାରେ କଂଗ୍ରେସ ଫେଲ ମାରୁଛି । ନଚେତ କଂଗ୍ରେସକୁ ଏକ ବିକଳ୍ପ ଭାବରେ ମଧ୍ୟ ଲୋକେ ଦେଖିପାରନ୍ତେ ।" ଦୁର୍ବଳ ନେତୃତ୍ବ କାରଣରୁ ଏହା ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହେବ କି ଆଗୁଆ ନିର୍ବାଚନ ? ବିଜେଡି-ବିଜେପି କହିଲେ ଆମେ ପ୍ରସ୍ତୁତ, ଚର୍ଚ୍ଚାକୁ ଖଣ୍ଡନ କଲା କଂଗ୍ରେସ

'ରାଜ୍ୟରେ ଲୋକେ ପରିବର୍ତ୍ତନ କରିବେ ହିଁ କରିବେ': ଅନ୍ୟପଟେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ପ୍ରତି ୫ ବର୍ଷରେ ଥରେ ଭୋଟ ହୋଇଥାଏ । ବିଜେପିର କାର୍ଯ୍ୟକଳାପରେ ବିଜେଡି ଭୟଭୀତ ହୋଇ ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଛି । ତେବେ ନିର୍ଦ୍ଧାରିତ ସମୟରେ ହେଉ କି ଆଗୁଆ ନିର୍ବାଚନ ହେଉ, ରାଜ୍ୟରେ ଲୋକେ ପରିବର୍ତ୍ତନ କରିବେ ହିଁ କରିବେ ।" ଏଥର ବିଜେପିକୁ ଲୋକେ ଭୋଟ ଦେଇ ସରକାରକୁ ଆଣିବେ ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

'ଆମେ ସବୁବେଳେ ପ୍ରସ୍ତୁତ ଥିଲୁ ଏବଂ ଅଛୁ': ସେପଟେ ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ରହିଥିବା କହିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା । ସେ କହିଛନ୍ତି, "ନିର୍ବାଚନ ଯେତେବେଳେ ବି ହେଲେ ଆମେ ପ୍ରସ୍ତୁତ । ରାଜ୍ୟ ବିଜେପି ସଭାପତି ନିଜ ସଂଗଠନ ସଜାଡି ପାରିନାହାନ୍ତି । ଦାୟିତ୍ବ ନେବାର ଦେଢ଼ ମାସରୁ ଅଧିକ ସମୟ ହେଲାଣି । ନିଜ ଟିମ ଗଠନ କରିପାରିନାହାନ୍ତି । ସେ କଣ ନିର୍ବାଚନ କଥା କହିବେ ।" ଆମେ ସବୁବେଳେ ପ୍ରସ୍ତୁତ ଥିଲୁ ଏବଂ ଅଛୁ ବୋଲି କହିଛନ୍ତି ବିଧାୟକ ଧଡା ।

ଏହା ମଧ୍ୟ ପଢ଼ନ୍ତୁ...ସର୍ଭେକୁ ଭୁଲ କହିଲେ ବିରୋଧୀ, ନିର୍ବାଚନ ଜିତିବାକୁ 3 ଦଳର ଦମ୍ଭୋକ୍ତି

ଗୋଟିଏ ପଟେ କେନ୍ଦ୍ରରେ ଏନ୍‌ଡିଏ ବନାମ ଇଣ୍ଡିଆ ଲଢେଇ ଜୋର ଧରିଥିବା ବେଳେ କଂଗ୍ରେସ ଏହି ଲଢେଇରୁ ଫାଇଦା ନେବାକୁ ଅନାଇ ବସିଛି । କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ରାଜ୍ୟରେ କଂଗ୍ରେସ ସାଂଗଠନିକ ଦୃଷ୍ଟିରୁ ଏତେଟା ସଶକ୍ତ ନାହିଁ । ନ୍ୟାସନାଲ ନ୍ୟାରେଟିଭକୁ ରାଜ୍ୟକୁ ଆଣିବାରେ ଫେଲ ମାରିଛନ୍ତି କଂଗ୍ରେସ ନେତା । ଏପରି ସ୍ଥିତିରେ ରାଜ୍ୟରେ କଂଗ୍ରେସର ସ୍ଥିତି ଏତେଟା ଭଲନାହିଁ କହିଲେ ଭୁଲ ହେବନାହିଁ । ସାଂଗଠନିକ ଦୃଷ୍ଟିକୋଣରୁ ବିଜେଡି ରାଜ୍ୟରେ ଆଗୁଆ ରହିଛି । କିନ୍ତୁ କେନ୍ଦ୍ରରେ ବିଜେପି ସରକାର ମଣିପୁର ପ୍ରସଙ୍ଗରେ ବ୍ୟାକ୍‌ଫୁଟରେ ରହିଛି । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ଏନ‌୍‌ଡିଏ ଉପରେ ଇଣ୍ଡିଆ ଭାରି ପଡିବ ବୋଲି କହିଛନ୍ତି କଂଗ୍ରେସ ନେତା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 31, 2023, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.