ETV Bharat / state

ଓଡିଶା ଫେରିଲେ BRS ନେତା, ଖୁବଶୀଘ୍ର ଘୋଷଣା ହେବ ପଦପଦବୀ

author img

By

Published : Jan 30, 2023, 7:35 PM IST

BRSରେ ସାମିଲ ହେବାପରେ ଓଡ଼ିଶା ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ଅନ୍ୟ ନେତୃବୃନ୍ଦ । ଭୁବନେଶ୍ୱର ବିମାନ ବନ୍ଦରରେ ସେମାନଙ୍କୁ ସ୍ୱାଗତ କରିଛନ୍ତି ସେମାନଙ୍କ ସମର୍ଥକ । ଖୁବଶୀଘ୍ର ରାଜ୍ୟ କମିଟି ଗଠନ ହେବାପରେ ଦଳର ମୁଖ୍ୟ KCR ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି BRS ନେତା । ଅଧିକ ପଢ଼ନ୍ତୁ

BRSରେ ସାମିଲ ହୋଇ ଫେରିଲେ ଓଡିଶା ନେତା
BRSରେ ସାମିଲ ହୋଇ ଫେରିଲେ ଓଡିଶା ନେତା

BRSରେ ସାମିଲ ହୋଇ ଫେରିଲେ ଓଡିଶା ନେତା

ଭୁବନେଶ୍ବର: BRSରେ ସାମିଲ ହୋଇ ଫେରିଲେ ଓଡିଶା ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ନେତା ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ, ହେମା ଗମାଙ୍ଗ, ଜୟରାମ ପାଙ୍ଗି ପ୍ରମୁଖ ଓଡିଶା ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ସେମାନଙ୍କୁ ସ୍ୱାଗତ କରିଛନ୍ତି ସେମାନଙ୍କ ସମର୍ଥକ । ଓଡିଶାରେ ସଂଗଠନ ସୁଦୃଢ କରିବା ଲାଗି ଓଡ଼ିଶାର ନେତାଙ୍କୁ ପରାମର୍ଶ ଦେଇଛନ୍ତି ବିଆରଏସ ମୁଖ୍ୟ କେସିଆର । ଦଳର ପଦପଦବୀ ତାଲିକା ଖୁବଶୀଘ୍ର ଘୋଷଣା ହେବ ବୋଲି ସୂଚନା ମିଳିଛି ।

ହାଇଦ୍ରାବାଦରୁ ଓଡ଼ିଶା ଫେରିବା ପରେ ବିଆରଏସ ନେତା ଶିଶିର ଗମାଙ୍ଗ କହିଛନ୍ତି, "27 ତାରିଖରେ ଆମେ BRSରେ ଯୋଗ ଦେଇଛୁ । ଆଗାମୀ ଦିନରେ BRS କିପରି ଓଡ଼ିଶାରେ ଅଧିକ ସଶକ୍ତ ହୋଇପାରିବ ସେଥିପାଇଁ କାମ କରିବୁ । ତେଲେଙ୍ଗାନାରେ ଯେଉଁ ଢାଞ୍ଚାରେ ବିକାଶ ହୋଇଛି, ସେହି ଢାଞ୍ଚାର କାମ ଓଡିଶାରେ ହେଲେ ଭଲ ହେବ । ଦଳକୁ ସଶକ୍ତ କରିବା ଲାଗି ସମସ୍ତ ବଳ ଖଟେଇ କାର୍ଯ୍ୟ କରିବୁ ।" ତେବେ ଅନେକ ନେତା ଯୋଗାଯୋଗରେ ଅଛନ୍ତି, ଆଗାମୀ ଦିନରେ ସେମାନେ ବିଆରଏସ ସହିତ ଯୋଡିହେବେ ବୋଲି କହିଛନ୍ତି ଶିଶିର ।

ସେହିପରି ଜୟରାମ ପାଙ୍ଗି କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଦଳର ଚିଫ୍‌ ଆଡଭାଇଜର ଅଛନ୍ତି । ବର୍ତ୍ତମାନ କୌଣସି କମିଟି ଗଠନ ହୋଇନାହିଁ । ବିଜେଡି, ବିଜେପି, କଂଗ୍ରେସ ଦଳର ଅନେକ ନେତା BRSରେ ଯୋଗଦେବା ପାଇଁ ଯୋଗାଯୋଗରେ ଅଛନ୍ତି । ସମସ୍ତଙ୍କୁ ନେଇ ସାରିଲା ପରେ ସଭାପତି କିଏ ହେବ ତାହା ନିଷ୍ପତି ହେବ । ଜାତୀୟ ଦଳରେ ଯେହେତୁ ଥିଲି, ପୁଣି ଆଉ ଏକ ଜାତୀୟ ଦଳ ମୋତେ ଖୋଜିବାକୁ ପଡିଲା । ବିଜୁ ବାବୁଙ୍କର ଚିନ୍ତାଧାରା ଆଉ ଯେଉଁ ଲକ୍ଷ୍ୟ ରାଜ୍ୟ ପାଇଁ ଥିଲା, ତାହା ମୁଁ KCRଙ୍କ ପାଖରେ ପାଇଲି । ଯେଉଁଥିପାଇଁ ମୁଁ ଆକୃଷ୍ଟ ହେଲି, ଆଉ BRSକୁ ଓଡିଶା ଆଣିବା ପାଇଁ କାର୍ଯ୍ୟକ୍ରମ ହେଲା ।"

ସବୁ ସଂସଦୀୟ ମଣ୍ଡଳୀ ଓ ବିଧାନସଭାରେ ଦଳ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗି । ବିଜେପି ସହ ନୁହେଁ, ବିଜେଡି ସହ ଜୋରଦାର ଫାଇଟ ହେବ ବୋଲି ସେ କହିଛନ୍ତି । ରାଜନୈତିକ ଜୀବନରେ ବିଧାୟକ, ଏମପି ଓ ମନ୍ତ୍ରୀ ସବୁ ହୋଇସାରିଥିବାରୁ ଆଉ କିଛି ହେବା ଦରକାର ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । କିନ୍ତୁ ଏଠି ଯେଉଁ ସରକାର ଚାଲିଛି, ତାକୁ ପରିବର୍ତ୍ତନ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଜୟରାମ ପାଙ୍ଗି କହିଛନ୍ତି, "ଏଠି BRS ସରକାର ଗଠନ କରିବ । ମୁଁ ଭଲରେ ଜାଣିଛି କେଉଁ ପାର୍ଟିରୁ କେଉଁ ନେତା ଆସିଲେ ସଂଗଠନ କେମିତି ହୋଇପାରିବ । କେଉଁମାନେ ଆସିଲେ ଦଳକୁ ଆଗକୁ ନେଇପାରିବେ । ସେମାନଙ୍କ ସହ ମୁଁ ଆଲୋଚନା ଆରମ୍ଭ କରିଛି । ନିର୍ବାଚନ କମିଟି ହୋଇସାରିବା ପରେ KCR ଓଡିଶା ଆସିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.