ETV Bharat / state

ବନ୍ଧା ହେଲେ ସୁପର ବାଇକ ଛିନତାଇ ଗ୍ୟାଙ୍ଗ, ଦିନରେ ମାଛ ବେପାର ରାତିରେ କରୁଥିଲେ ଗାଡି ଚୋରି

author img

By ETV Bharat Odisha Team

Published : Oct 10, 2023, 8:10 AM IST

bike theft gang arrested
ବାଇକ ଛିନତାଇ ଗ୍ୟାଙ୍ଗ୍ ଗିରଫ

ଧରାପଡିଲେ ନୂଆ ଫର୍ମୁଲା ଆପଣାଇ ଲୁଟପାଟ୍ କରୁଥିବା ସୁପର ବାଇକ ଛିନତାଇ ଗ୍ୟାଙ୍ଗ । ଜଣେ ବାଇକ ଚୋର ସମେତ ଶହୀଦନଗରରେ ସୁପର ବାଇକରେ ଆସି ଛିନତାଇ କରୁଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ।

ଭୁବନେଶ୍ବର: ଧରାପଡିଲେ ସୁପର ବାଇକ ଛିନତାଇ ଗ୍ୟାଙ୍ଗ । ଦିନରେ ମାଛ ବେପାର ଆଉ ରାତିରେ କରୁଥିଲେ ଗାଡି ଚୋରି । କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ବାଇକ ଚୋର ସମେତ ଶହୀଦ ନଗରରେ ସୁପର ବାଇକରେ ଆସି ଛିନତାଇ କରୁଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନଙ୍କ ସୂଚନା ମୁତାବକ, ଫରେଷ୍ଟ ପାର୍କ ଅଞ୍ଚଳରୁ ୨ଟି ବାଇକ ଚୋରିର ତଦନ୍ତ ବେଳେ ବାଇକ ଚୋର ସମ୍ପର୍କରେ ଜାଣିବାକୁ ପାଇଥିଲା ପୋଲିସ । ଅଭିଯୁକ୍ତ ଚିତ୍ତରଞ୍ଜନ ପ୍ରଧାନର ଘର କେଦାରପଲ୍ଲୀ ବସ୍ତିରେ ହୋଇଥିବା ବେଳେ ସେ ୟୁନିଟ-୧ ମାଛ ମାର୍କେଟରେ ମାଛ ବିକ୍ରି କରେ । ଚିତ୍ତରଞ୍ଜନ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି ।

ସେ ଏକ ନୂଆ ଧରଣର ଟ୍ରିକ୍ ଆପଣାଇ ଦିନରେ ମାଛ ବିକ୍ରି କରି ରାତି ହେଲେ ଅପରାଧିକ କାମରେ ଲିପ୍ତ ରହୁଥିବା ପୋଲିସ ସୂଚନା ଦେଇଛି । ଏପରିକି ଭିଡର ସୁଯୋଗ ନେଇ କିଛି ଗାଡ଼ିକୁ ମଧ୍ୟ ଚୋରି କରୁଛି । ଯାହାକୁ ନେଇ କ୍ୟାପିଟାଲ ହସ୍ପିଟାଲର ପାର୍କିଂରେ ରଖୁଛି ଚିତ୍ତରଞ୍ଜନ । ଏପରିକି ଗୋଟିଏ ପାର୍କିଂରୁ ଆଉ ଏକ ପାର୍କିଂକୁ ନେଇ ଗାଡ଼ିକୁ ଲୁଚାଇ ରଖିବା ପରେ ଗ୍ରାହକ ଯୋଗାଡ଼ କରି ତାକୁ ବିକ୍ରି କରୁଛି । ତା'ର ଏଭଳି କାରନାମା ଧରାପଡ଼ିବା ପରେ ସେ ଚୋରି କରିଥିବା 3ଟି ଗାଡି ସିଜ୍ କରାଯାଇଛି ।

ପୂଜା ସମୟରେ ଅପରାଧୀ ଅଧିକ ସକ୍ରିୟ ହୋଇପଡୁଛନ୍ତି । ତେଣୁ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି କମିଶନରେଟ ପୋଲିସ । ସେହିପରି ଶହୀଦ ନଗର ଥାନା ଅଞ୍ଚଳରୁ ୨ ଜଣ ସୁପର ବାଇକରେ ଛିନତାଇ କରୁଥିବା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ସେମାନେ ହେଉଛନ୍ତି କଟକ ତିଗିରିଆ ଜେମାଦେଇପୁରର ଦୁର୍ଦ୍ଦାନ୍ତ ଅପରାଧୀ ରାହୁଲ ନାୟକ ଓ ଯାଜପୁର ବିଞ୍ଝାରପୁରର ଚନ୍ଦନ ମଲ୍ଲିକ । ରାହୁଲ ନାଁରେ 5ରୁ ଉର୍ଦ୍ଧ୍ବ ମାମଲା ରହିଛି । ଉଭୟଙ୍କ ଠାରୁ ୨ଟି ସୁପର ବାଇକ (ପଲସର 220 ଓ କେଟିଏମ ସ୍ପୋର୍ଟସ ବାଇକ) ଜବତ କରାଯାଇଛି ।

ଏହା ବି ପଢନ୍ତୁ...ବାଇକ ଡିକି ଭାଙ୍ଗି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟ୍

ଏଥିସହ ଲୁଟପାଟ କରୁଥିବା 5ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତମାନେ ଗତ 7 ତାରିଖରେ ଶହୀଦ ନଗର ଥାନା ଅଞ୍ଚଳର ନିକୋ ପାର୍କ ନିକଟରୁ ସଞ୍ଜୟ କୁମାର ବିଶ୍ବାଳ ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲ ଝାମ୍ପି ନେଇଥିବା ଅଭିଯୋଗ ହୋଇଥିଲା । ସେହିପରି ଆଉ ଜଣେ ଯାତ୍ରୀ ସତସଙ୍ଗ ବିହାର ନିକଟରେ ବସ ପାଇଁ ଅପେକ୍ଷା କରିଥିବା ବେଳେ ରବିବାର ସକାଳ ସମୟରେ ମୋବାଇଲ ଝାମ୍ପି ନେଇ ଛୁ ମାରିଥିଲେ ଲୁଟେରା । ଏସବୁକୁ ଅପରାଧିକ ମାମଲାକୁ ଦୃଷ୍ଟିରେ ରଖି ଅପରେସନ ଜୋରଦାର କରିଛି କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.