ETV Bharat / state

Assembly News: ଶୀତକାଳୀନ ଅଧିବେଶନର ସପ୍ତମ ଦିନ, ଠିକା ନିଯୁକ୍ତି ନେଇ ସରଗରମ ଆଲୋଚନା

author img

By

Published : Dec 1, 2022, 10:00 PM IST

Assembly News: ଶୀତକାଳୀନ ଅଧିବେଶନର ସପ୍ତମ ଦିନ, ଠିକା ନିଯୁକ୍ତି ନେଇ ସରଗରମ ଆଲୋଚନା
Assembly News: ଶୀତକାଳୀନ ଅଧିବେଶନର ସପ୍ତମ ଦିନ, ଠିକା ନିଯୁକ୍ତି ନେଇ ସରଗରମ ଆଲୋଚନା

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ରାଜ୍ୟରେ ଠିକା ନିଯୁକ୍ତି ନେଇ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବରେ ସରଗରମ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନ (Winter Session of Odisha Assembly)ର ସପ୍ତମ ଦିନରେ ରାଜ୍ୟରେ ଠିକା ନିଯୁକ୍ତି ନେଇ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବରେ ସରଗରମ ଆଲୋଚନା ହୋଇଛି । ଠିକା ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ଅନେକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନଥିବା ବିଜେପି ଅଭିଯୋଗ କରିଛି । ସମାନ କାମକୁ ସମାନ ଦରମା ବାସ୍ତବତାକୁ ନେଇ ସରକାରଙ୍କୁ ଘେରିଛି ଜାତୀୟ କଂଗ୍ରେସ । ସେପଟେ ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ଠିକା କର୍ମଚାରୀ ନିଯୁକ୍ତିର ଯୁଗ ଶେଷ ଏବଂ ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ ବୋଲି ୧୫ ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେପଟେ ୨୦୧୩ ମସିହାରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ଗ୍ୟାଜେଟ ନୋଟିଫିକେସନ ବାହାରିଥିଲା । ଏଥିରେ ସରକାର କାଟେଗୋରୀ ୧ ଏବଂ କାଟେଗୋରୀ ୨ କରିଛନ୍ତି । ଓଡିଶା ଷ୍ଟାଫ୍ ସିଲେକସନ କମିଶନ ଏବଂ ଓଡିଶା ସବୋଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ ଜରିଆରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ରେଗୁଲାର କରାଗଲା । କିନ୍ତୁ କାଟେଗୋରୀ ୨ ଅନୁସାରେ ଆଉଟସୋର୍ସିଂ ଏବଂ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ଦ୍ବାରା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସଂଖ୍ୟା ବିଭିନ୍ନ ବିଭାଗକୁ ମିଶାଇଲେ ୭୦ ହାଜରରୁ କମ ହେବନାହିଁ ।

ସେମାନେ ସରକାରଙ୍କ ବିରୋଧରେ ଯାଇଥିଲେ କି ନା କୌଣସି ପାପ କରିଥିଲେ ଯେ ସେମାନଙ୍କୁ ସରକାରୀ ନିଯୁକ୍ତିରେ ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ସେମାନେ ଆଜି ମଧ୍ୟ ୯ ହଜାର ୬୮୫ ଟଙ୍କା ମାସିକ ଦରମା ପାଉଛନ୍ତି । ଯେଉଁମାନେ ୨୦୦୧, ୨୦୦୫ ଓ ୨୦୧୦ ମସିହା ବେଳକୁ ସରକାରଙ୍କ ପାଇଁ କାମ କରୁଥିଲେ । ସେମାନେ ସେତେବେଳେ ଯାହା ଦରମା ପାଉଥିଲେ, ଆଜି ଯିଏ ନୂଆ ନିଯୁକ୍ତ ହେଉଛନ୍ତି ସେତିକି ଟଙ୍କା ପାଇବ । ତେଣୁ ସମାନ କାମକୁ ସମାନ ଦରମା ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି । ସରକାର ଏହାକୁ ବିଚାରକୁ ନେଇ ନାହାନ୍ତି । ମନ୍ତ୍ରୀ କହୁଛନ୍ତି ଆମେ ସବୁ କରିଦେଇଛୁ । ଯଦି ଠିକା ପ୍ରଥା ଉଚ୍ଛେଦ ହେଲା, ତେବେ ଆଜି ଲୋୟର ପିଏମଜିରେ ବିଭିନ୍ନ ବିଭାଗର ଠିକା ଓ ଆଉଟସୋର୍ସିଂ କର୍ମଚାରୀ କାହିଁକି ଆନ୍ଦୋଳନ କରୁଛନ୍ତି" ବୋଲି ମୋହନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଥିଲେ ପାଳନ କାରିନାହାନ୍ତି । ସରକାର ଆଉ ମିଛ ପ୍ରତିଶୃତି ଦିଅନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Assembly News: ଶିକ୍ଷକ ପଦ ପୂରଣ କରିବା ଲାଗି ନିଆଯାଉଛି ପଦକ୍ଷେପ: ମନ୍ତ୍ରୀ

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ମୂଲତବୀ ପ୍ରସ୍ତାବ ଉପରେ ସମାନ କାମକୁ ସମାନ ଦରମା ବାସ୍ତବକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଠିକା କର୍ମଚାରୀଙ୍କୁ ରାଜ୍ୟରୁ ଉଚ୍ଛେଦ ନେଇ ସରକାର କହିଛନ୍ତି, ବାସ୍ତବ କ୍ଷେତ୍ରରେ NHM, ଅଙ୍ଗନାବାଡ଼ି, ଆଶାକର୍ମୀ ଓ ଗାଁ ସାଥୀ ବିଭିନ୍ନ ବିଭାଗରେ ଏବେବି ରାଜ୍ୟରେ ଠିକା ନିଯୁକ୍ତିରେ ଅଛନ୍ତି । ଆଉଟ୍ ସୋରସିଂରେ କାର୍ଯ୍ୟରତ କର୍ମଚାରୀଙ୍କ ଭବିଷ୍ୟତ ନଷ୍ଟ ହୋଇପଡିଛି । ତାଙ୍କ ଭବିଷ୍ୟତ ବଞ୍ଚାଇବା ପାଇଁ ଆମେ ନିବେଦନ କରୁଛୁ ସରକାର ଠିକା ପ୍ରଥା ଯଥାଶୀଘ୍ର ଉଚ୍ଛେଦ କରନ୍ତୁ । ଦୀର୍ଘ ୨୫ ବର୍ଷ ହେବ ବିଭିନ୍ନ ବିଭାଗରେ ଠିକା ଭାବେ କର୍ମଚାରୀ କାର୍ଯ୍ୟ କରୁଛନ୍ତି, ତାଙ୍କୁ ଅବିଳମ୍ବେ ସ୍ଥାୟୀ ନିଯୁକ୍ତି କରାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମନ୍ତ୍ରୀ କହିଛନ୍ତି, "ଯେତେବେଳେ ବିଜୁ ଜନତା ଦଳ ସରକାର ୨୦୦୦ ମସିହାରେ ଆସିଲା ସେତେବେଳେ ରାଜ୍ୟର ସ୍ଥିତି ଅସମ୍ଭାଳ ଥିଲା । ମହାବାତ୍ୟା ରାଜ୍ୟର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ସେହି ସମୟରେ ରାଜ୍ୟରେ ଅର୍ଥ, ସ୍ବାସ୍ଥ୍ୟ, ଶିକ୍ଷା ଓ ରାସ୍ତା ଭଳି ଅନେକ ନିତ୍ୟାନ୍ତ ଜରୁରୀରୁ ରାଜ୍ୟ ବଞ୍ଚିତ ରହି ଆସୁଥିଲା । ଏହା ସହ ଆମକୁ ନିତିଦିନ ଖର୍ଚ୍ଚ ପାଇଁ ରଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଯାହା ପାଇଁ ୨୦୧୩ରୁ ରାଜ୍ୟରେ ଚୁକ୍ତି ଭିତ୍ତିରେ ସରକାର ନିଯୁକ୍ତି ଦେଉଥିଲେ । କିନ୍ତୁ ଏବେ ଆମ ସରକାରଙ୍କ ପାଇଁ ରାଜ୍ୟର ସ୍ଥିତି ବଦଳିଛି । ୨୦୧୩ରୁ ଥିବା ଚୁକ୍ତି ପ୍ରଥାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି । ୫୭ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ରେଗୁଲାର କରିଛନ୍ତି । ୧୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ନ୍ୟାୟାଳୟ ଓ ଆଇନ୍ ଭିତରେ ରହି ସରକାର ଏହି ପଦକ୍ଷେପ ନେଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.