ETV Bharat / state

Train Tragedy: ବାହାନଗା ବେଦନାକୁ ମାସେ, କଳାରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ

author img

By

Published : Jul 2, 2023, 11:09 AM IST

Updated : Jul 2, 2023, 11:15 AM IST

balasore train accident
ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ

ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୂରିଛି । ମାସେ ପରେ ବି ଲୋକଙ୍କ ମନରୁ ସେ ଦିନର ଭୟାନକ ଦୃଶ୍ୟ ଲିଭିନାହିଁ । ଜୁନ 2 ତାରିଖର ସେ କଳାରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ । ପଢନ୍ତୁ ସମୂର୍ଣ୍ଣ ରିପୋର୍ଟ

ଭୁବନେଶ୍ବର: ଅନ୍ଧାର ରାତିକୁ ଚିରି ଟ୍ରାକରେ ଗଡୁଥିଲା ଟ୍ରେନ । କିଏ ପରିବାର ସହ ତ କିଏ ସାଙ୍ଗ ସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ । ସମୟ ଗଡୁଥିଲା ରେଳ ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳ ପାଖଉଥିଲା । ହେଲେ ଅଚାନକ ସବୁ କିଛି ଛାରଖାର ହୋଇଯାଇଥିଲା । ବଞ୍ଚାଅ ବଞ୍ଚାଅ ଚିତ୍କାରରେ ଫାଟି ପଡିଥିଲା ଅଞ୍ଚଳ । ଦିନ ଜୁନ 2 ତାରିଖ ଶୁକ୍ରବାର । ସମୟ ରାତି 7ଟା । ସ୍ଥାନ ବାଲେଶ୍ବର ବାହାନଗା ରେଳ ଷ୍ଟେସନ । ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇଥିଲା । ଏହି ସମୟରେ ଟ୍ରାକରେ ଛିଟିକି ପଡିଥିବା କରମଣ୍ଡଳ ବଗିରେ ପିଟି ହୋଇଥିଲା ଯଶୋବନ୍ତପୁର ଏକ୍ସପ୍ରେସ । ଆର୍ତ୍ତନାଦ ଚିତ୍କାରରେ ଫାଟି ପଡିଥିଲା ଅଞ୍ଚଳ । ରକ୍ତରେ ଭିଜିଥିଲା ଟ୍ରାକ ଆଉ ଲୁହରେ ଭିଜିଥିବା ଆଖି ।

ଆଜି ସେହି ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୁରିଛି । ମାସେ ପରେ ବି ଲୋକଙ୍କ ମନରୁ ସେ ଦିନର ଭୟାନକ ଦୃଶ୍ୟ ମନରୁ ଲିଭି ନାହିଁ । ସେ ଦିନର ଦୁର୍ଘଟଣାକୁ ଅତି ପାଖରୁ ଦେଖିଥିବା ଓ ଉଦ୍ଧାର କରିଥିବା ଲୋକ ସେ କାଳରାତିକୁ ମନେ ପକାଇଲା ବେଳେ ସେମାନଙ୍କ ଆଖିରେ ଲୁହ ଜକେଇ ଆସୁଛି । ଅସୁମାରୀ ସ୍ବପ୍ନ ଭାଙ୍ଗି ଦେଇଥିଲା ବାଲେଶ୍ବର ଟ୍ରେନ ଦୁର୍ଘଟଣା । 293 ଜୀବନ ନେଇଥିଲା କରମଣ୍ଡଳ । ବିଶ୍ବକୁ ସ୍ତବ୍ଧ କରିଥିଲା ଅଶୁଭ ଶୁକ୍ରବାରର ସେ କଳାରାତି ।

ଉଦାହରଣ ସୃଷ୍ଟି କରିଥିଲେ ବାଲେଶ୍ବରବାସୀ: ଆଜି ବି ମରିନି ମାନବିକତା । ବାଲେଶ୍ବର ଟ୍ରେନ ଦୁର୍ଘଟଣା ଦିନ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ ବାଲେଶ୍ବରବାସୀ । ଯିଏ ଯେଉଁ ପ୍ରକାର ସାହାଯ୍ୟ କରିଥିଲେ । ବିଛାଡି ହୋଇ ପଡିଥିବା ଟ୍ରେନ ବଗିରୁ ଲୋକଙ୍କୁ ଉଦ୍ଧାର କରିଥିଲେ ବାହାନଗାବାସୀ । କିଏ ଆହତଙ୍କୁ ପାଣି ଦେଉଥାଏ ତ କିଏ ସେମାନଙ୍କୁ ଆଉଁସି ଦେଉଥାଏ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବ୍ୟବସ୍ଥା କରିଥିଲେ । ଖାଲି ସେତିକି ନୁହେଁ ଆହତଙ୍କୁ ରକ୍ତ ଦେବାକୁ ଲୋକଙ୍କ ଲାଇନ ଲାଗିଥିଲା । ବିଳମ୍ବିତ ରାତି ଯାଏ ଆହତଙ୍କୁ ରକ୍ତଦାନ ପାଇଁ ଧାଡିରେ ଅପେକ୍ଷା କରିଥିଲେ । ବିପତ୍ତି ସମୟରେ ବାଲେଶ୍ବରବାସୀ ଯେଉଁ ଭଳି କାର୍ଯ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା । ସାଉଁଟି ଥିଲା ପ୍ରଶଂସା ।

ଛୁଟିଥିଲା ନେତାମନ୍ତ୍ରୀଙ୍କ ସୁଅ: ଦୁର୍ଘଟଣା ହେବା କ୍ଷଣି ଘଟଣାସ୍ଥଳକୁ ବିପର୍ଯ୍ୟୟ ମନ୍ତ୍ରୀ ଓ ଏସଆରସି ଯାଇଥିଲେ । ରାତି ପାହୁ ପାହୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିବା ସହ ଆହତଙ୍କୁ ଭେଟିଥିଲେ । ରାଜ୍ୟପାଳ ଗଣେଶୀ ଲାଲ ଭଦ୍ରକ ଜିଲ୍ଲା ଗସ୍ତ କରି ଆହତଙ୍କୁ ଭେଟିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ମଧ୍ୟ ବାଲେଶ୍ବରରେ ପହଞ୍ଚି ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାହାନଗା ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଭୟଙ୍କର ଦୁର୍ଘଟଣା ନେଇ ବିଶ୍ବରୁ ଛୁଟିଥିଲା ଶୋକ ବାର୍ତ୍ତା ।

ଦୁର୍ଘଟଣାର କାରଣ ଖୋଜୁଛି CBI: ଏତେ ବଡ ଦୁର୍ଘଟଣା କେମିତି ଘଟିଲା । କିଏ ଦୁର୍ଘଟଣା ପଛର ଦାୟୀ । ଦୁର୍ଘଟଣାର ତଦନ୍ତ ପାଇଁ ମାମଲା ରୁଜୁ ହେଲା । ଘଟଣାର ତଦନ୍ତ ସିବିଆଇ କରୁଛି । ଘଟଣାସ୍ଥଳକୁ ଯାଇ ସିବିଆଇ ସ୍ଥିତି ସମୀକ୍ଷା କରିବା ସହ ସିବିଆଇ ତଦନ୍ତ ଜାରି ରଖିଛି । ବାହାନଗା ଷ୍ଟେସନ ରେଳ କର୍ମଚାରୀଙ୍କୁ ପଚରାଉଚରା କରିଛି ସିବିଆଇ । ସୋର କମରପୁର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ରେଲୱେ ସେକ୍ସନ ଜେଇଙ୍କ ସିଲ ହୋଇଥିବା ଘର ଖୋଲି ସିବିଆଇ ତଦନ୍ତ କରିଛି । ତେବେ ଦୁର୍ଘଟଣାର କାରଣ କଣ ତାହା ଜାଣିବାକୁ ଚାହିଁ ବସିଛନ୍ତି ଦେଶାବାସୀ ।

ତଦନ୍ତ ରିପୋର୍ଟ ଦାଖଲ କରିଛି CRS: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ନିରାପତ୍ତା କମିଶନ ରେଲୱେ ବୋର୍ଡ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଛି । ସିଆରଏସ ରିପୋର୍ଟକୁ ସାର୍ବଜନିନ କରିବ ନାହିଁ ବୋଲି କହିଛି ଭାରତୀୟ ରେଲୱେ । ସିବିଆଇ ତଦନ୍ତ ଜାରି ଥିବାରୁ ରିପୋର୍ଟ ସାର୍ବଜନିନ ନକରିବାକୁ ନିଷ୍ପତ୍ତି ନେଇଛି । CRSରେ ମାନବୀୟ ତ୍ରୁଟି ଯୋଗଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ରିଲେ ରୁମ ଷ୍ଟାଫଙ୍କ ତ୍ରୁଟି କାରଣ ଥିବା କୁହାଯାଉଛି ।

ଏବେ ବି ମିଳିନି ମୃତକଙ୍କ ପରିଚୟ: ଦୁର୍ଘଟଣାରେ ମୋଟ 293ଜଣଙ୍କର ମୃତ୍ୟୁ ହୋଇଥିଲା । ଅଘଟଣ ଦିନ 288ଜଣଙ୍କର ମୃତ୍ୟୁ ହୋଇଥିଲା ପରେ ଚିକିତ୍ସାଧୀନ ଅବସ୍ଥାରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଦିନ ମୃତ 288ଜଣଙ୍କ ମଧ୍ୟରୁ 207 ଜଣଙ୍କର ପରିଚୟ ମିଳିଥିଲା । ସମ୍ପର୍କୀୟ ସେମାନଙ୍କ ମୃତଦେହ ନେଇଥିଲେ । ଏହାପରେ ଭୁବନେଶ୍ବର ଏମ୍ସରେ ପରିଚୟ ମିଳିନଥିବା 81ଟି ମୃତଦେହ ରହିଥିଲା । ସେଥିରୁ DNA ଟେଷ୍ଟ ଦ୍ବାରା 29ଜଣଙ୍କ ପରିଚୟ ମିଳିବା ପରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଏବେ ବି 52ଟି ମୃତଦେହ ପରିଚୟ ଅପେକ୍ଷାରେ ରହିଛି ।

ଏହା ବି ପଢନ୍ତୁ....‘ରେଳ ଦୁର୍ଘଟଣା ପାଇଁ ଉତ୍ତରଦାୟୀ ରେଳମନ୍ତ୍ରୀ ତୁରନ୍ତ ଦିଅନ୍ତୁ ଇସ୍ତଫା, ସିଆର୍‌ଏସ ରିପୋର୍ଟ ହେଉ ସାର୍ବଜନୀନ’

ଇତିହାସରେ ଭୟଙ୍କର ଦୁର୍ଘଟଣା ଥିଲା ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା । ଲୌହ ଦାନବର କୃରତାରେ ରକ୍ତରେ ଭିଜିଥିଲା ଟ୍ରାକ । ସେ କାଳରାତିରୁ ବର୍ତ୍ତି ଯାଇ ନୂଆ ଜୀବନ ପାଇଥିବା ରେଳ ଯାତ୍ରୀ ଭଗବାନ ଓ ଭାଗ୍ୟକୁ ଧନ୍ୟବାଦ ଦେଇଛନ୍ତି । ଦିନ ଯିବ ଟ୍ରାକରେ ଟ୍ରେନ ଗଡିବ ଜୀବନ ସ୍ବାଭାବିକ ହେବ ହେଲେ ସେ ବାହାନଟା ମାଟି ସବୁବେଳେ ନିନ୍ଦା ମୁଣ୍ଡାଇବ । ଏପରି ଭୟଙ୍କର ଦୁର୍ଘଟଣା ଆଉ କେବେ ନ ହେଉ ଏତିକି କାମନା ।

Last Updated :Jul 2, 2023, 11:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.