ETV Bharat / state

‘ରେଳ ଦୁର୍ଘଟଣା ପାଇଁ ଉତ୍ତରଦାୟୀ ରେଳମନ୍ତ୍ରୀ ତୁରନ୍ତ ଦିଅନ୍ତୁ ଇସ୍ତଫା, ସିଆର୍‌ଏସ ରିପୋର୍ଟ ହେଉ ସାର୍ବଜନୀନ’

author img

By

Published : Jul 1, 2023, 11:13 PM IST

Updated : Jul 2, 2023, 7:48 AM IST

ରେଳ ଦୁର୍ଘଟଣା ନେଇ କଂଗ୍ରେସର ପ୍ରତିକ୍ରିୟା
ରେଳ ଦୁର୍ଘଟଣା ନେଇ କଂଗ୍ରେସର ପ୍ରତିକ୍ରିୟା

ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୂରିଛି । ଜୁନ ୨୮ ତାରିଖରେ ରେଳବାଇ ସୁରକ୍ଷା କମିଶନ (ସିଆର୍‌ଏସ) ତାଙ୍କର ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିବା ସହ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ରେଳ ଦୁର୍ଘଟଣା ନେଇ କଂଗ୍ରେସର ପ୍ରତିକ୍ରିୟା

ଭୁବନେଶ୍ବର: ବାହାନଗରା ହୃଦୟ ବିଦାରକ ଟ୍ରେନ ଟ୍ରାଜେଡି ସଂପର୍କରେ ଗତ ଜୁନ ୨୮ ତାରିଖରେ ରେଳବାଇ ସୁରକ୍ଷା କମିଶନ (ସିଆର୍‌ଏସ) ତାଙ୍କର ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ମାତ୍ର ଏହାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ସେହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ । ଏହି ରିପୋର୍ଟକୁ ଚାପିରଖି ରେଳମନ୍ତ୍ରୀ ନିଜର ଉତ୍ତରଦାୟିତ୍ବକୁ ଏଡାଇ ଦେବାପାଇଁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରେଳ ସୁରକ୍ଷା କମିଶନଙ୍କ ରିପୋର୍ଟରେ ବାହାନଗା ରେଳ ଦୁର୍ଘଟଣା କୌଣସି ଷଡ଼ଯନ୍ତ୍ର ପାଇଁ ନୁହେଁ, ବରଂ ଯାନ୍ତ୍ରିକ ବା ବୈଷୟିକ ତୃଟି ବୋଲି ଦର୍ଶାଯାଇଛି । ଏହାର ଅର୍ଥ ହେଉଛି ଖୋଦ ରେଳମନ୍ତ୍ରୀ ଏଥିପାଇଁ ଉତ୍ତରଦାୟୀ ଏବଂ ସେହି ଦୃଷ୍ଟିରୁ ଅଶ୍ବିନୀ ବୈଷ୍ଣବ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଆଜି କଂଗ୍ରେସ ପକ୍ଷରୁ ଦଳର ପ୍ରବକ୍ତା ସୁର୍ଦଶନ ଦାସ ଦାବି କରିଛନ୍ତି ।

ସୁଦର୍ଶନ କହିଛନ୍ତି, "ଇଷ୍ଟ୍‌ କୋଷ୍ଟ୍‌ ରେଲୱେର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ରେଳମନ୍ତ୍ରୀ ତାଙ୍କର ଉତ୍ତରଦାୟିତ୍ବରୁ ଖସିଯିବା ଦୁର୍ଭାଗ୍ୟଜନକ । ସିଷ୍ଟମ ଫେଲ୍‌ୱର୍‌ ଯଦି ବାହାନଗା ରେଲଦୁର୍ଘଟଣାର କାରଣ, ତେବେ ସେଥିପାଇଁ ଅନ୍ୟ କେହି ନୁହେଁ, ବରଂ ଖୋଦ ରେଳବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହିଁ ଦାୟୀ ।" ଜୁନ ୨ ତାରିଖର ଏହି ଭୟାବହ ଓ ହୃଦୟବିଦାରକ ରେଳ ଦୁର୍ଘଟଣା ପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାନଗା ଆସି ଘୋଷଣା କରିଥିଲେ ଯେ ଏହି ଦୁର୍ଘଟଣା ପାଇଁ ଦାୟୀ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସିଆର୍‌ଏସ ରିପୋର୍ଟ ଆଧାରରେ ବର୍ତ୍ତମାନ ଯେତେବେଳେ ଖୋଦ ତାଙ୍କର ମନ୍ତ୍ରୀ ଏଥିପାଇଁ ଉତ୍ତରଦାୟୀ, ସେତେବେଳ ପ୍ରଧାମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ, ଏବେ ବି ପରିଚିତଙ୍କୁ ଖୋଜୁଛି ମୃତଦେହ

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "ବର୍ତ୍ତମାନ ରେଳର ସର୍ବନିମ୍ନ ଭିତ୍ତିଭୂମି ଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ଅବସ୍ତାରେ ଅଛି । ରେଳ ବିଭାଗର ୨ ଲକ୍ଷ ୭୨ ହଜାର ପଦବୀ ଖାଲି ପଡ଼ିଛି । ରେଳ ଧାରଣା ଗୁଡ଼ିକର ମରାମତି ହେଉନାହିଁ । ଷ୍ଟେସନ ମାଷ୍ଟର, ସିଗ୍‌ନାଲ କର୍ମଚାରୀ, ସୁରକ୍ଷା କର୍ମଚାରୀ ମାନଙ୍କର ଘୋର ଅଭାବ ରହିଛି । ରେଳବାଇର ଅଫିସର ଓ କର୍ମଚାରୀମାନେ ଅଧିକ ସମୟ କାମ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ସେମାନେ ଗଭୀର ମାନସିକ ଚାପରେ କାର୍ଯ୍ୟ କରୁଛନ୍ତି । ଯାହାଫଳରେ ରେଳ ଦୁର୍ଘଟଣା ଘଟୁଛି ।" ବାହାନଗା ରେଳ ଦୁର୍ଘଟଣା ପରେ ପରେ ଏହି ମାସକ ଭିତରେ ୪ଟି ରେଳ ଦୁର୍ଘଟଣା ଏହାର ଜ୍ବଳନ୍ତ ଉଦାହରଣ ବୋଲି ସୁଦର୍ଶନ ଅଭିଯୋଗ ଆଣିବା ସହିତ ରେଳମନ୍ତ୍ରୀ ଏହି ଉତ୍ତରଦାୟିତ୍ବରୁ ନିଜକୁ ମୁକ୍ତ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି । ରଶ୍ମି ମହାପାତ୍ର ଏଥିରେ ଯୋଗଦେଇ ବିଜେପି ସରକାରର ରେଳବାଇକୁ ଘରୋଇକରଣ ନୀତିର ତୀବ୍ର ବିରୋଧ କରିଥିଲେ । ରେଳବାଇର ମୌଳିକ ଭିତ୍ତିଭୂମି ପ୍ରତି ଦୃଷ୍ଟି ନଦେଇ କେବଳ ବୁଲେଟ ଟ୍ରେନ ବା ବନ୍ଦେ ଭାରତ ଟ୍ରେନ ଚଳାଇବା ଓ ଷ୍ଟେସନ ଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ବ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 2, 2023, 7:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.