ETV Bharat / state

Driver Strike Impact: ଟାଙ୍କିରେ ମିଳୁନି ପେଟ୍ରୋଲ, କଳାବଜାରୀ ଆଶଙ୍କା

author img

By

Published : Mar 17, 2023, 4:53 PM IST

Driver Strike Impact
Driver Strike Impact

ଡ୍ରାଇଭର ଆନ୍ଦୋଳନ ଯୋଗୁଁ ରାଜ୍ୟରେ ତେଲକୁ ନେଇ ହାହାକାର । ବିଭିନ୍ନ ଟାଙ୍କି ସମ୍ମୁଖରେ ଲମ୍ବା ଲାଇନ ଲାଗୁଛି । ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ଅଧିକ ପଢନ୍ତୁ

ଟାଙ୍କିରେ ମିଳୁନି ପେଟ୍ରୋଲ

ଭୁବନେଶ୍ବର: ରାଜ୍ୟରେ ପେଟ୍ରୋଲ ନେଇ ହାହାକାର । ତେଲ ଟାଙ୍କିରେ ମିଳୁନି ପେଟ୍ରୋଲ । ଅଧିକାଂଶ ଟାଙ୍କିରେ ତେଲ ବିକ୍ରି ବନ୍ଦ ରହିଥିବା ବେଳେ ଏକାଧିକ ଟାଙ୍କି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଫଳରେ ଲୋକ ତେଲ ନ ପକାଇ ଟାଙ୍କିରୁ ଫେରି ଆସୁଥିବା ଦେଖିବାକୁ ମିଳିଛି । ଅନେକ ଲୋକ ତେଲ ପକାଇବା ପାଇଁ ୧୦ରୁ ୧୨କିମି ଯିବାକୁ ପଡୁଛି । ଏଭଳି ସ୍ଥିତିରେ ପେଟ୍ରୋଲ କଳା ବଜାରୀ ଆଶଙ୍କା ରହିଥିବା କୁହାଯାଉଛି ।

ଆନ୍ଦୋଳନ ଯୋଗୁଁ ଟାଙ୍କିରେ ତେଲ ମିଳୁନଥିବାରୁ ଆଗାମୀ ଦିନରେ ମିଳିବ କି ନାହିଁ ସେ ନେଇ ଚିନ୍ତାରେ ଲୋକେ । ଏଥିଲାଗି କିଛି ଲୋକେ ଆଗୁଆ ତେଲ ଷ୍ଟକ କରି ରଖୁଥିବା ମଧ୍ୟ କହିଛନ୍ତି । ଯେଉଁଠି ତେଲ ମିଳୁଛି ତାହା ଆଗରେ ଲମ୍ବା ଲାଇନ ଲାଗିଛି । ସେହିପରି ଯେଉଁ ଗ୍ରାହକ ତେଲ ପକାଉଛି ଏକା ଥରକେ ୫୦୦ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ତେଲ ପକାଉଛି । ଅନ୍ୟପଟେ କିଛି ଗ୍ରାହକ ଦୀର୍ଘ ୨ଘଣ୍ଟା ଧରି ଅପେକ୍ଷା କରିବା ପରେ ଗାଡ଼ିରେ ତେଲ ପକାଉଛନ୍ତି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ୫୯ପ୍ରତିଶତ ଟାଙ୍କିରେ ତେଲ ମିଳୁନାହିଁ ।

ଫଳରେ ସହରରେ ତେଲକୁ ନେଇ ଲୋକେ ଚିନ୍ତାରେ ରହିଛନ୍ତି । ତେଲ ନ ମିଳିବା ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏନେଇ ପ୍ରତିକ୍ରିୟା ଦେଇ ରଖିଛନ୍ତି । ସେ କହିଛନ୍ତି, "ବିଶେଷ କରି ଅଧିକାଂଶ ଟାଙ୍କିରେ ୩ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ଥାଏ । ଛୋଟ ଟାଙ୍କିରେ ୨ଦିନ ଏବଂ ବଡ଼ ଟାଙ୍କି ୩ଦିନରୁ ଅଧିକ ରଖିଥାନ୍ତି । ଟାଙ୍କିରେ ୧୨ହଜାର ଲିଟର କ୍ଷମତା ଆଧାରରେ ପେଟ୍ରୋଲ ପମ୍ପ ମହଜୁଦ ରହିଥାଏ । ଯଦି ତେଲ ମିଳୁନାହିଁ ସେଥିଲାଗି ଚିନ୍ତାଗ୍ରସ୍ତ ହେବାର ଆବଶ୍ୟକତା ନାହିଁ । ଯୋଗାଣ ବିଭାଗ ଏନେଇ ଏକ କଣ୍ଟ୍ରୋଲ ରୁମ୍ କରି ସମସ୍ତ ଜିଲ୍ଲାପାଳମାନଙ୍କୁ ସହ ଯୋଗାଯୋଗରେ ରହିଛି ।"

ଏହା ବି ପଢନ୍ତୁ- Budget Session: CMO ରିଟାୟାର୍ଡ ଅଫିସରଙ୍କ କ୍ଲବ କହିଲେ ଜୟନାରାୟଣ, ଜବାବ ଦେଲେ ଅରୁଣ

ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ରାସ୍ତାରେ ଫସି ରହିଥିବା ଟ୍ୟାଙ୍କର ସହ ମଧ୍ୟ ଯୋଗାଯୋଗ କରାଯାଉଛି । ଦିନକୁ ୫୦୦ ଟାଙ୍କି ଡିପୋରୁ ମୁଭମେଣ୍ଟ ହୋଇଥାଏ । ବାଲେଶ୍ବର ଓ ପାରାଦ୍ବୀପ, ଜଟଣୀ ତେଲ ଡିପୋରୁ ଆବଶ୍ୟକୀୟ ଦୃଷ୍ଟିରୁ ୧୦୦ରୁ ୧୫୦ ଟ୍ୟାଙ୍କର ବିଭିନ୍ନ ଜିଲ୍ଲାକୁ ଡିପୋରୁ ପଠାଯିବା ଆରମ୍ଭ ହେଲାଣି । ବିଶେଷ କରି ଭୁବନେଶ୍ବରକୁ ଅଧିକ ଟ୍ୟାଙ୍କର ପଠାଯାଇଛି । ତାହା ୨ରୁ ୩ ଦିନ ଭିତରେ ପହଞ୍ଚିବା ପରେ ତେଲ ବିକ୍ରି ସ୍ବଭାବିକ ହୋଇଯିବ ବୋଲି ସେ କହିଛନ୍ତି । ଏଣୁ ଲୋକଙ୍କୁ ସେ ନିବେଦନ କରିଛନ୍ତି ଏ ସମୟରେ ସହଯୋଗ କରନ୍ତୁ ।

ଏପରି ସମୟରେ ଜନସାଧାରଣ ୪ରୁ ୫ ଦିନ ପର୍ଯନ୍ତ ପାଇଁ ତେଲ ମହଜୁଦ ନ କିଣି ନିଜ ଭାଇବନ୍ଧୁ ପରିଜନଙ୍କ ପାଇଁ ଚିନ୍ତା କରି ସମସ୍ତେ କିପରି ତେଲ ପାଇବେ ସେ ନେଇ ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ । ଅଯଥାରେ ଭୟଭୀତ ନ ହୋଇ ତେଲ କିପରି ସମସ୍ତେ ପାଇବେ ସେ ନେଇ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ସଞ୍ଜୟ । ଅନ୍ୟପଟେ ତେଲ କଳାବଜାରୀ ନେଇ ଆଶଙ୍କା ବଢିଲାଣି । ଏଭଳି ସ୍ଥିତିର ଫାଇଦା ଉଠାଇବା ଲାଗି ଅସାଧୁ ଲୋକ ତେଲ ନେଇ ଖୁଲମଖୁଲା ବାହାରେ ବିକ୍ରି କରିବାର ସମ୍ଭାବନା ରହିଛି ।

ଏଣୁ ରାସ୍ତାକଡ଼ରେ ଅଧିକ ଦରରେ ବିକ୍ରି ହେବାର ଆଶଙ୍କା ରହିଛି । ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମଧ୍ୟ କଳାବଜାରୀ ଉପରେ ନଜର ରଖିବାକୁ ସଜବାଜ ହୋଇଛନ୍ତି। ରାଜ୍ୟରେ ୧୬୫୦ ଟି ପେଟ୍ରୋଲ ପମ୍ପ ରହିଛି। ବିଶେଷ କରି ଭୁବନେଶ୍ବରରେ ୪୦ରୁ ଊର୍ଦ୍ଧ୍ବ ପେଟ୍ରୋଲ ପମ୍ପ ରହିଛି । ୨୭ଲକ୍ଷ ୫୦ ହଜାର ଲିଟର, ୬୦ଲକ୍ଷ ଲିଟର ଡିଜେଲ ନିତିଦିନ ବିକ୍ରି ହୋଇଥାଏ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.