ETV Bharat / state

Odia Signboards Mandatory: ଓଡିଆ ନାମଫଳକ ବାଧ୍ୟତାମୂଳକ, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

author img

By

Published : Apr 7, 2023, 10:41 AM IST

ଓଡିଆରେ ନାମ ଫଳକ ବାଧ୍ୟତାମୂଳକ କରାଯାଇଛି । ଏହାକୁ ନମାନିଲେ ତଣ୍ଡ ଗଣିବାକୁ ପଡିବ । ତେଣୁ ସମସ୍ତେ ସଜାଗ ହୋଇଯାଆନ୍ତୁ ବୋଲି ନିର୍ଦ୍ଦେଶ ହୋଇଛି । ଅଧିକ ପଢନ୍ତୁ

meeting on odia nameplate
ଓଡିଆରେ ନାମ ଫଳକ ବାଧ୍ୟତାମୂଳକ

ଭୁବନେଶ୍ବର: ସାବଧାନ ! ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଇଂରାଜୀରେ ନାମ ଫଳକ ଲେଖିଥିଲେ ହୋଇଯାନ୍ତୁ ସତର୍କ । ଚଳିତ ମାସରୁ ଖିଲାପକାରୀଙ୍କ ବିରୋଧରେ ଗ୍ରହଣ ହେବ କାର୍ଯ୍ୟାନୁଷ୍ଠାନ । 7 ଦିନିଆ ନୋଟିସ ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜୋରିମାନା ସହ ଲାଇସେନ୍ସ ରଦ୍ଦ କରାଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।

ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମ ଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି । ଏଥି ନିମିତ୍ତ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଦ୍ଵାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ 1956ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ଏଯାବତ ରାଜ୍ୟର ପୌରାଞ୍ଚଳରେ ମୋଟ 52000 ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ 47000 ପ୍ରତିଷ୍ଠାନରେ ଓଡ଼ିଆର ନାମଫଳକ ଲେଖାଯାଇଛି । କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ବିରୋଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଛି ।

ତେବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ସାମିଲ ଥିଲେ । ବୈଠକରେ ପରିବର୍ତ୍ତିତ ଅଧିନିୟମର କଡାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରମ ଆୟୁକ୍ତ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲଗାଇବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏହାର କଡାକଡି ନିରୀକ୍ଷଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମାସରୁ ଖିଲାପକାରୀଙ୍କୁ 7 ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା/ ଲାଇସେନ୍ସ ରଦ୍ଦ କରାଯିବ ।

ପ୍ରଥମଥର ଖିଲାପକାରୀଙ୍କୁ 5000 ଟଙ୍କା ଜୋରିମାନା ଦେବାକୁ ପଡିବ । ଦ୍ୱିତୀୟଥର ଖିଲାପକାରୀଙ୍କୁ 25000 ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ କରିବେ । ବୈଠକରେ ସମୀକ୍ଷା କରିବା ସହିତ ବିବରଣୀ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗଙ୍କୁ ପ୍ରଦାନ କରିବା ନିମିତ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.