ETV Bharat / state

ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା: ମୁଖ୍ୟମନ୍ତ୍ରୀ

author img

By

Published : May 18, 2023, 9:55 PM IST

Etv Bharat
Etv Bharat

ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୧୩ ମାର୍ଚ୍ଚ ୫ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସେବା ଯୋଗାଉଛି । ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ଏହା ମାଗଣା ସେବା ଯୋଗାଇ ଦେଇ ଆସୁଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି । ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ୯୨ଟି ନୂଆ ଜରୁରୀକାଳୀନ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ ଯୋଗାଇ ଦେବାପାଇଁ ବ୍ୟବସ୍ଥା ହୋଇଛି । ସେଥିମଧ୍ୟରୁ ୨୪ଟି ନୂଆ ଆମ୍ବୁଲାନ୍ସ କିଣାଯାଇ ସାରିଛି । ଏଥି ପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ଏହା ବି ପଢନ୍ତୁ- ଭୁବନେଶ୍ବର ରେଳ ଷ୍ଟେସନ କେବେ ହେବ ବିଶ୍ୱସ୍ତରୀୟ: ପିସିସି ସଭାପତି

ସେହିପରି ୨୯୯ଟି ମୌଳିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସକୁ ରୂପାନ୍ତରିତ କରାଯାଇ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସରେ ପରିଣତ (BLS converted to ALS) କରାଯାଇ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି । ଏହି ଉନ୍ନତିକରଣ ପରେ ରାଜ୍ୟରେ ମୋଟ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୪୧୧ରେ ପହଞ୍ଚିଛି । ଏହି ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ମୋଟ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଦ୍ବାରା ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ଗୋଟିଏ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇପାରିବ ।

ଏହା ବ୍ୟତୀତ ଗର୍ଭବତୀ ମାଆ ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ଆଣିବା ଲାଗି ୫୦୦ଟି ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୮ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବିଭିନ୍ନ ଆମ୍ବୁଲାନ୍ସ ସେବା ଦ୍ବାରା ଉପକୃତ ହୋଇଛନ୍ତି । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, 5T ସଚିବ ଭି.କେ ପାଣ୍ଡିଆନ, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.