ETV Bharat / state

ଚାଷୀଙ୍କ ପାଇଁ ଖୁସି ଖବର, ଏଣିକି ଫସଲବୀମା ପ୍ରିମିୟମ ଦେବେ ସରକାର

author img

By

Published : May 22, 2023, 4:47 PM IST

Etv Bharat
Etv Bharat

ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଏଣିକି ରାଜ୍ୟ ସରକାର ବହନ କରିବେ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

ଏଣିକି ଫସଲବୀମା ପ୍ରିମିୟମ ଦେବେ ସରକାର

ଭୁବନେଶ୍ବର: ଚାଷୀଙ୍କ ଲାଗି ଖୁସି ଖବର । ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଏଣିକି ରାଜ୍ୟ ସରକାର ବହନ କରିବେ । ଚଳିତ ବର୍ଷଠାରୁ ରାଜ୍ୟ ସରକାର ଏହା ଅର୍ଥ ବହନ କରିବାକୁ ଯାଉଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ ଅତନୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଭାଗ ସମୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ସମବାୟ ବିଭାଗର ସମୀକ୍ଷା କରିଛନ୍ତି । ବିଭାଗର ସମୀକ୍ଷା ପରେ ସାମ୍ବାଦିକମାନଙ୍କୁ ସମବାୟ ମନ୍ତ୍ରୀ ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ ଚଳିତ ବର୍ଷଠାରୁ ଚାଷୀମାନଙ୍କର ବୀମା ପ୍ରିମିୟମ ଅର୍ଥ ସରକାର ବହନ କରିବେ । ବର୍ତ୍ତମାନ ରାଜ୍ୟରେ ୧୦ରୁ ୧୨ ଲକ୍ଷ ଚାଷୀ ଫସଲ ବୀମାରେ ଅର୍ନ୍ତଭୁକ୍ତ ହେଉଛନ୍ତି । ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବୀମା ଅର୍ଥ ଦେବାକୁ ସମର୍ଥ ହେଉନାହାନ୍ତି । ସେମାନେ ଚାହିଁଲେ ମଧ୍ୟ ଏହା ପରିସରକୁ ଆସିପାରୁ ନାହାନ୍ତି । ତେଣୁ ତାହାକୁ ବିଚାର କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବର୍ତ୍ତମାନ ଫସଲ ବୀମାରେ ଯେକୌଣସି ଚାଷୀ ନିଜକୁ ପଞ୍ଜିକୃତ କରିପାରିବେ । ତେଣୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଅଧିକରୁ ଅଧିକ ଚାଷୀ ଏବେ ଫସଲବୀମା କରିପାରିବେ ।"

ଏହା ବି ପଢନ୍ତୁ- Odisha Cabinet Reshuffle: 3 ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ, ଜାଣନ୍ତୁ କାହା ପାଖରେ କେଉଁ ବିଭାଗ

ସମବାୟ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା କହିଛନ୍ତି, "ରାଜ୍ୟରେ ଫସଲବୀମା କାର୍ଯ୍ୟକାରୀ ପାଇଁ ତିନିଟି କମ୍ପାନୀ ସହିତ ରାଜିନାମା ହୋଇଥିଲା । ତାହାର ଅବଧି ଚଳିତ ବର୍ଷ ପୂରଣ ହୋଇଛି । ତେଣୁ ଟେଣ୍ଡର ଜରିଆରେ ଆଗାମୀ ତିନିବର୍ଷ ପାଇଁ ନୂଆ କମ୍ପାନୀ ଚିହ୍ନଟ କରାଯିବ । ଚାଷୀମାନଙ୍କୁ ଫସଲବୀମା ଅର୍ଥ ପ୍ରଦାନ ନେଇ ପୂର୍ବରୁ ଯେଉଁ ସମସ୍ୟା ରହିଥିଲା ତାହା ଆଉ ରହିବ ନାହିଁ । କାରଣ ଫସଲ କ୍ଷତି ଆକଳନ ପାଇଁ ଏବେ ସାଟେଲାଇଟ ଜ୍ଞାନକୌଶଳ ଉପଯୋଗ କରାଯାଉଛି । ଆସନ୍ତାବର୍ଷ ଏହା ଜରିଆରେ ୪୦% ଫସଲ କ୍ଷତି ଆକଳନ କରାଯିବାର ଥିବାବେଳେ ଏହା ପର ବର୍ଷ ୫୦% କରାଯିବ ।"

ସଚିବ ଆହୁରି ମଧ୍ୟ କହିଛନ୍ତି, "ଚଳିତ ଖରିଫ ଋତୁରୁ ସରକାର ବୀମା ଅର୍ଥ ପ୍ରଦାନ କରିବେ । ଅଧିକରୁ ଅଧିକ ଚାଷୀ କିଭଳି ଫସଲବୀମା ପରିସରକୁ ଆସିବେ ସେଥିପାଇଁ ସମଗ୍ର ରାଜ୍ୟରେ ଆଇଇସି କାର୍ଯ୍ୟକ୍ରମ ଚଳାଯିବ । ରାଜ୍ୟରେ ତ୍ରିସ୍ତରୀୟ ସ୍ବଳ୍ପ ମିଆଦି ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ଟି ପ୍ରାଥମିକ କୃଷି ଋଣ ସମବାୟ ସମିତି ଚାଷୀଙ୍କୁ ବିନା ସୁଧରେ ଚାଷ ଋଣ ଯୋଗାଇ ଦିଆଯାଉଛି ।"

ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦,୦୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି । ଯାହା ଫଳରେ ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ଵ ଅତିରିକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଏଥିରୁ ଉପକୃତ ହୋଇଛନ୍ତି । ରାଜ୍ୟରେ ବିଗତ ଆର୍ଥିକ ବର୍ଷରେ ୩୪.୫୭ ଲକ୍ଷ ଚାଷୀଙ୍କୁ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଛି । ୨୦୦୦-୦୧ ବର୍ଷରେ ୬.୪୦ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ୪୩୮.୩୬ କୋଟି ଟଙ୍କା ଋଣ ତୁଳନାରେ ଏହି ଅଭିବୃଦ୍ଧି ବିଭାଗର ସଫଳତାକୁ ସୂଚିତ କରୁଛି ।

ପ୍ୟାକ୍ସମାନଙ୍କ ଦ୍ଵାରା ସେବା ପ୍ରଦାନକୁ ଆହୁରି ଦକ୍ଷ ଓ ସ୍ଵଚ୍ଛ କରିବା ପାଇଁ ୨୨୯୫ଟି ପ୍ୟାକ୍ସର କୋର ବ୍ୟାଙ୍କିଂ ସଲ୍ୟୁସନ ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ କରାଯାଇଛି । ଯାହାକି ସାରା ଦେଶରେ ପ୍ରଥମ । ତୃଣମୂଳ ସ୍ତରରେ ସ୍ବଳ୍ପମିଆଦୀ ଋଣ ସେବା ବ୍ୟବସ୍ଥାର ସଂପ୍ରସାରଣ ପାଇଁ ୧୪୫୧ଟି ନୂତନ ପାକସ ସଂଗଠିତ କରାଯାଇଛି । କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ୬୬ଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମରେ ସ୍ଥାନିତ କରାଯାଇଛି । ଇ-ନାମ ପ୍ଲାଟଫର୍ମରେ ଏଫପିଓଙ୍କୁ ପଞ୍ଜୀକରଣ କରାଯାଇଛି । ଏ କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଆନ୍ତ-ମଣ୍ଡି ବାଣିଜ୍ୟ କାରବାରର ପରିମାଣରେ ପ୍ରଭୁତ ବୃଦ୍ଧି ଘଟି ଓଡ଼ିଶା ଦେଶରେ ୪ର୍ଥ ସ୍ଥାନ ହାସଲ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.