ETV Bharat / state

PMFBY: ୨୦୨୫-୨୬ ଯାଏଁ ଜାରି ରହିବ ନୂତନ ଫସଲ ବୀମା ଚକ୍ର

author img

By

Published : Jul 14, 2023, 8:43 AM IST

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା

ଖରିଫ ୨୦୨୩ରୁ ରବି ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରହିବ ନୂତନ ଫସଲ ବୀମା ଯୋଜନା । ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଭୁବନେଶ୍ବର: ଖରିଫ ୨୦୧୬ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ) କାର୍ଯ୍ୟକାରୀ ହେଉଛି । ପାଣିପାଗର ଅନିଶ୍ଚିତତା କାରଣରୁ ଚାଷୀମାନଙ୍କ ଫସଲ ଉତ୍ପାଦନରେ କ୍ଷତିକୁ ଏହି ଫସଲ ବୀମା ଯୋଜନା ସୁରକ୍ଷା ପ୍ରଦାନ କରିଥାଏ । ଏହି ବୀମା ଯୋଜନା ଅଧୀନରେ ବିହନ ବୁଣିବାରେ ବାଧା, ଉତ୍ପାଦନର ମଧ୍ୟଭାଗରେ ପ୍ରତିକୂଳ ପରିସ୍ଥିତି ଦେଖାଦେବା, ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ଯୋଗୁଁ କୃଷକଙ୍କ ଅନ୍ତିମ ଅମଳ କ୍ଷତି ଇତ୍ୟାଦି ବୀମାଭୁକ୍ତ ହୋଇଥାଏ । ତେବେ ଖରିଫ ୨୦୨୩ରୁ ରବି ୨୦୨୫-୨୬ ପର୍ଯ୍ୟନ୍ତ ନୂତନ ଫସଲ ବୀମା ଚକ୍ର ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଫସଲ ବୀମା ପ୍ରିମିୟମର କୃଷକଙ୍କ ଅଂଶ ରାଜ୍ୟ ସରକାର ନିଜସ୍ବ ସମ୍ବଳରୁ ବହନ କରିବେ । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସଂକଳ୍ପନାମା ଜାରି କରାଯାଇଛି ।

ଭାରତ ସରକାରଙ୍କ ଦ୍ବାରା ପ୍ୟାନେଲଭୁକ୍ତ ବୀମା କମ୍ପାନୀ ଗୁଡ଼ିକ ମଧ୍ୟରେ ଏକ ଖୋଲା ବିଡିଂ ପ୍ରକ୍ରିୟା ଜରିଆରେ ପ୍ରତି ତିନି ବର୍ଷରେ ଥରେ ମନୋନୀତ ବୀମା କମ୍ପାନୀ ଗୁଡ଼ିକ ଦ୍ବାରା ଏହି ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥାଏ । କୃଷକମାନେ ସାଧାରଣତଃ ଖରିଫ ପାଇଁ ବୀମାଭୁକ୍ତ ରାଶିର ୨ ପ୍ରତିଶତ ଏବଂ ରବି ଫସଲ ପାଇଁ ୧.୫ ପ୍ରତିଶତ ଏବଂ ବାଣିଜ୍ୟକ ଫସଲ ପାଇଁ ୫ ପ୍ରତିଶତ ପ୍ରିମିୟମ ଦେଇଥାନ୍ତି । ପ୍ରିମିୟମର ଅବଶିଷ୍ଟ ଅର୍ଥରାଶି ସବସିଡି ଭାବେ ପ୍ରଦାନ କରାଯାଇଥାଏ । ଏହି ସବସିଡି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମାନ ଅନୁପାତରେ ଦେଇଥାନ୍ତି । ନୂତନ ବୀମାଚକ୍ର ଖରିଫ ଆରମ୍ଭ ହୋଇଛି । ରାଜ୍ୟ ସରକାର ଉପରୋକ୍ତ ଫସଲ ବୀମା ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ପୂର୍ବତଟ ରେଳପଥରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ, ଭିଡ଼ ନିୟନ୍ତ୍ରଣ ପାଇଁ ସେବା ବୃଦ୍ଧି

ଏହି ନୂତନ ଫସଲ ବୀମାଚକ୍ର ପାଇଁ ଇ-ଟେଣ୍ଡର ମାଧ୍ୟମରେ ଚାରୋଟି ବୀମା କମ୍ପାନୀ ଚୟନ କରାଯାଇଛି । ସେଗୁଡ଼ିକ ହେଉଛି ଏଗ୍ରିକଲଚରାଲ ଇନସୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ, ଏସବିଆଇ ଜେନେରାଲ ଇନସୁରାନ୍ସ କମ୍ପାନୀ ଲିମିଟେଡ, ଫିଉଚର ଜେନେରାଲି ଇଣ୍ଡିଆ ଇନସୁରାନ୍ସ ଲିଃ ଏବଂ ରିଲିଆନ୍ସ ଜିଆଇସି ଲିମିଟେଡ । ଏହି ଫସଲ ବୀମା ଯୋଜନା ଅଧିନରେ ପ୍ରାୟ ୧୦ରୁ ୧୨ ଲକ୍ଷ ଚାଷୀମାନଙ୍କ ୧୦ ଲକ୍ଷ ହେକ୍ଟର ପରିମିତ ଚାଷଜମିକୁ ବୀମାଭୁକ୍ତ କରାଯାଉଛି । ରାଜ୍ୟର ଚାଷୀଭାଇମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ବୀମାଭୁକ୍ତ କୃଷକ ସଂଖ୍ୟା ଏବଂ ଚାଷଜମିର ପରିମାଣ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ।

ଏହି ଖରିଫ ଋତୁରୁ ରାଜ୍ୟ ସରକାର ଫସଲ ବୀମା ଯୋଜନା ଅଧିନରେ ବୀମା ପ୍ରିମିୟମ କୃଷକଙ୍କ ଅଂଶ ନିଜସ୍ୱ ଉତ୍ସରୁ ବହନ କରିବେ । ଏହାଦ୍ବାରା ପ୍ରିମିୟମ ଅର୍ଥ ଅଭାବରୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ । ଏହି ଯୋଜନା ଅଧିନରେ ରାଜ୍ୟ ସରକାର ନିଜସ୍ବ ସବସିଡି ଅଂଶ ସହ ଚାଷୀଙ୍କ ପ୍ରିମିୟମ ଅଂଶ ବହନ କରିବେ । ପ୍ରତ୍ୟେକ ଚାଷୀଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଉପରେ ଏହି ସୁବିଧା ମିଳିବ । ଏହାଦ୍ବାରା ରାଜ୍ୟର ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇପାରିବେ । ଏହି ସୁବିଧା ପାଇବା ନିମନ୍ତେ ଚାଷୀମାନଙ୍କୁ ଯୋଜନା ଅଧିନରେ ପଞ୍ଜିକରଣ କରିବାକୁ ପଡ଼ିବ । ସେମାନଙ୍କ ବ୍ୟାଙ୍କ ଖାତାକୁ ସଚଳ ଓ କାର୍ଯ୍ୟକ୍ଷମ କରିବା ପାଇଁ ଟୋକନ ମନି ବାବଦରେ ଏକ ଟଙ୍କା ଦେବାକୁ ପଡ଼ିବ । ୨ ହେକ୍ଟରରୁ ଅଧିକ ଚାଷଜମି ଥିବା କୃଷକମାନଙ୍କୁ ୨ ହେକ୍ଟର ବାଦ ଅନ୍ୟ ଜମି ପାଇଁ ପ୍ରିମିୟମ ଅଂଶ ଦେବାକୁ ପଡ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.