ETV Bharat / state

ପୁରୀ ଜିଲ୍ଲାରେ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଖର୍ଚ୍ଚ ହେବ ୧୪ କୋଟି

author img

By ETV Bharat Odisha Team

Published : Dec 16, 2023, 1:41 PM IST

ପୁରୀ ଜିଲ୍ଲାରେ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଖର୍ଚ୍ଚ ହେବ ୧୪ କୋଟି
ପୁରୀ ଜିଲ୍ଲାରେ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଖର୍ଚ୍ଚ ହେବ ୧୪ କୋଟି

Multi cyclone center in Puri district: ପୁରୀ ଜିଲ୍ଲାରେ ନିର୍ମାଣ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ । ୪ଟି ବ୍ଲକର ୭ଟି ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଖର୍ଚ୍ଚ ହେବ ୧୪ କୋଟି ଟଙ୍କା । ଅଧିକ ପଢ଼ନ୍ତୁ,

ଭୁବନେଶ୍ବର: ପୁରୀ ଜିଲ୍ଲାରେ ନିର୍ମାଣ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ । ପୁରୀ ଜିଲ୍ଲାର ୪ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ ଏବଂ ପୁରୀ ସଦର ବ୍ଲକରେ ନିର୍ମାଣ ହେବ ଏହି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ । ଏଥିପାଇଁ ଖର୍ଚ୍ଚ ହେବ ୧୪ କୋଟି ଟଙ୍କା ।

ଏହା ମଧ୍ଯ ପଢ଼ନ୍ତୁ:କଂଗ୍ରେସ ସାଂସଦ ଧୀରଜ ସାହୁ ଗାନ୍ଧୀ ପରିବାରର ଏଟିଏମ: ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଜିଲ୍ଲାରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବ ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନଶୁଣାଣି ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । 5T ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ପୁରୀ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା । ଜନଶୁଣାଣି ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଓ ବଡ଼ନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡ଼ା ପଞ୍ଚାୟତରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଫଳରେ ୭ଟି ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ । ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ: ମହିଳାଙ୍କୁ ଉଲଗ୍ନ କରି ପରେଡକୁ ନେଇ ପ୍ରତିବାଦ, ବେଙ୍ଗାଲୁରୁରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ପୁରୀ ଜିଲ୍ଲାରେ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରି ବ୍ଲକର ବୁଦ୍ଧିସାହି, ରେବଣା-ନୂଆଗାଁ ଓ ବଡ ଦିଆଣ୍ଡି, କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା, ଖୋଲାମୁହାଣ ଓ ବାଲିନାସୀ, କଣାସ ବ୍ଲକର ନନ୍ଦିଗୋଡା ଓ ପୁରୀ ସଦର ବ୍ଲକର ରାଇଗୋରଡା ଓ ନୂଆପଡା ଗ୍ରାମବାସୀ ଉପକୃତ ହେବେ । ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ହେଉଛି ଏକ ବାତ୍ୟା ପ୍ରବଣ ଜିଲ୍ଲା । ବର୍ତ୍ତମାନ ୭ଟି ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରାଯାଇଥିବା ବେଳେ,ଜିଲ୍ଲାର ଅନ୍ୟସ୍ଥାନଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ମଧ୍ଯ ଆସିଛି । ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ଯ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ଏଥିପାଇଁ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.