ETV Bharat / state

ଆଜିଠୁ ବନକର୍ମଚାରୀଙ୍କ ଆନ୍ଦୋଳନ, ଡ୍ୟୁଟିରେ ରହି ବି କରିବେନି ପାଟ୍ରୋଲିଂ

author img

By

Published : Jun 19, 2023, 6:28 AM IST

ଆନ୍ଦୋଳନକୁ ଓହ୍ଲାଇବେ ବନକର୍ମଚାରୀ
ଆନ୍ଦୋଳନକୁ ଓହ୍ଲାଇବେ ବନକର୍ମଚାରୀ

ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ବନକର୍ମଚାରୀ । ଡ୍ୟୁଟିରେ ରହି ପାଟ୍ରୋଲିଂ ନକରି ପ୍ରତୀକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଆନ୍ଦୋଳନକୁ ଓହ୍ଲାଇବେ ବନକର୍ମଚାରୀ

ଭୁବନେଶ୍ବର: ଆଜି(ସୋମବାର)ଠୁ ବନକର୍ମଚାରୀଙ୍କ ପ୍ରତୀକ ଆନ୍ଦୋଳନ ଡାକରା ଦିଆଯାଇଛି । ବନକର୍ମଚାରୀଙ୍କୁ ହତ୍ୟା ଘଟଣାର ପ୍ରତିବାଦ ପାଇଁ ସଂଘର ଏଭଳି ନିଷ୍ପତ୍ତି ନେଇଛି । ଡ୍ୟୁଟିରେ ରହି ପାଟ୍ରୋଲିଂ ନକରି ପ୍ରତୀକ ଆନ୍ଦୋଳନ କରିବାକୁ କହିବା ସହ ୫ ଦଫା ଦାବି ନେଇ ଜୁଲାଇ ୮ ପର୍ଯ୍ୟନ୍ତ ପ୍ରତୀକ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ସଂଘ । ଦାବି ପୂରଣ ନହେଲେ ଜୁଲାଇ ୧୦ରୁ ଲୋୟର ପିଏମଜିରେ ସମୂହ ଆନ୍ଦୋଳନ ପାଇଁ ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏନେଇ ସଂଘ ତରଫରୁ ୨୯ଟି ଜୋନର କର୍ମକର୍ତ୍ତାଙ୍କୁ ନେଇ କରାଯାଇଥିବା ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଗତ ମେ 22 ତାରିଖରେ ବନବିଭାଗ କର୍ମଚାରୀ ବିମଳ ଜେନାଙ୍କ ହତ୍ୟା ଏବଂ ପରେ ମାଥି ହାସଦାଁଙ୍କୁ ମଧ୍ୟ ୧୬ ଜୁନରେ ହତ୍ୟା କରାଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ସଂଘ । ଆଜି(ସୋମବାର) ଠାରୁ ୫ ହଜାର ୩୭୬ ଫରେଷ୍ଟଗାର୍ଡ, ୨ ହଜାର ୫୩୦ ଫରେଷ୍ଟର, ୨୮୨ ଜଣ ଡେପୁଟି ରେଞ୍ଜର ପ୍ରତୀକ ଭାବରେ ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି । ଅର୍ଥାତ୍ ଡ୍ୟୁଟିରେ ରହି ମଧ୍ୟ ପାଟ୍ରୋଲିଂ କରିବେ ନାହିଁ । ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ପ୍ରତୀକ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ତେବେ ଏହି ସମୟ ମଧ୍ୟରେ ଯେଉଁ ୫ ଦଫା ଦାବି ରହିଛି ତାହା ଯଦି ସରକାର ପୂରଣ ନକରନ୍ତି ତେବେ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ସମୂହ ଆନ୍ଦୋଳନକୁ ଓହ୍ଲାଇବ ସଂଘ । ତେବେ ହେଉଛି ୫୦ଟି ସ୍ଥାନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ୱେଲଫେୟାର ଫଣ୍ଡ, ସର୍କଲ ରି ଅର୍ଗାନାଇଜେସନ୍ , ରେଞ୍ଜ୍ ସେକ୍ସନ ଏବଂ ବିଟ୍ ଗୁଡିକର ରିଭିଜନ୍ ସହ ଆଡିକ୍ଟେଡ୍ ନମ୍ବର ବଢାଇବା ଭଳି ୫ଟି ପ୍ରମୁଖ ଦାବି ରହିଛି ।

ପ୍ରମୁଖ ଦାବି ଗୁଡିକ ହେଲା:

1. 2009ରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସେମାନଙ୍କୁ 50ଟି ଲୋକେସନରେ ରଖାଯିବା ଆବଶ୍ୟକ । ହେଲେ ଆଜି ପର୍ଯ୍ୟନ୍ତ ରଖାଯାଇ ନାହିଁ, ସେମାନଙ୍କୁ ତୁରନ୍ତ ବିଭିନ୍ନ ସ୍ଥାନରେ ରଖିବାର ବ୍ୟବସ୍ଥା କରାଯାଉ।


2. ୱେଲଫେୟାର ଫଣ୍ଡ ଗଠନ ହୋଇନାହିଁ । ତେବେ ଏହାକୁ ଖୁବ ଶୀଘ୍ର କରାଯାଉ ।

3.ସର୍କଲ ରିଅର୍ଗାନାଇଜେସନ କରାଯାଉ ।


4.ରେଞ୍ଜ ସେକ୍ସନ ବିଟ ରିଭିଜନ୍ କରିବାର ଆଵଶ୍ୟକତା ରହିଛି, ତାହା ବର୍ତ୍ତମାନ ସମୟରେ ହୋଇପାରିନାହିଁ ।


5. ସହାୟତା ରାଶି ତେଲେଙ୍ଗାନା ସରକାରଙ୍କ ଭଳି ଦିଆଯାଉ ।

ଏହିଭଳି ୫ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ ଓଡିଶା ଅଣଗେଜେଟେଡ୍ ବନସେବା ସଂଘ । ଏନେଇ ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର କହିଛନ୍ତି ଯେ, "ଶିକାରୀ ମର କିମ୍ବା ମାର ଅବସ୍ଥାରେ ରହୁଛନ୍ତି । ତାଙ୍କ ନିକଟରେ ବିଭିନ୍ନ ପ୍ରକାରର ହତିଆର ରହିଛି, ବନ୍ଧୁକ ଅଛି, ଆମ ନିକଟରେ କିଛି ନାହିଁ । ଯାହା ଫଳରେ ଶିକାରୀଙ୍କ ଆଗରେ ମୃତ୍ୟୁବରଣ କରିବା ସୁନିଶ୍ଚିତ ।" ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.