ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି: ଚାଷୀଙ୍କ ଖାତାକୁ ଗଲା ୯୦୦ କୋଟି କାଳିଆ ଟଙ୍କା

author img

By ETV Bharat Odisha Team

Published : Sep 20, 2023, 8:48 PM IST

ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି
ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଖାଇ ଭେଟି । ୪୪ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୦୦ କୋଟି କାଳିଆ ଟଙ୍କା । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଖାଇ ଭେଟି । ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା । ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ କାଳିଆ ସହାୟତା ପାଇଛନ୍ତି । ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୯୦୦ କୋଟି ଟଙ୍କାର ସହାୟତା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ରବି ଫସଲ ପାଇଁ ଏହି କାଳିଆ ସହାୟତା ଦିଆଯାଇଛି । ପ୍ରତ୍ୟେକ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟଙ୍କୁ ୨୦୦୦ ଟଙ୍କା ଦିଆଯାଇଛି । ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୬୮ ହଜାର ୭୫୦ ଜଣ ଭୂମିହୀନ ଚାଷୀ ଅଛନ୍ତି ।

କାଳିଆ ସହାୟତା ରାଶି ପ୍ରଦାନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ପଶ୍ଚିମ ଓଡ଼ିଶାର ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ ଆମର ଗୌରବ । ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ବାଭିମାନର ବଞ୍ଚି ରୁହନ୍ତୁ । ବିକାଶରେ ସଫଳତାରେ ଚାଷୀ ସାମିଲ ହୁଅନ୍ତୁ । ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧୨,୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । କାଳିଆ ସହାୟତାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧାସଳଖ ସହାୟତା ଦିଆଯାଉଛି । ଏହାଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ : ଆସିଲା ନିର୍ବାଚନ: ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତ

ଏହାପୂର୍ବରୁ ଗତ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସରେ ଚାଷୀଙ୍କୁ କାଳିଆ ସହାୟତା ମିଳିଥିଲା । ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଥିଲା । ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୮୭୭ କୋଟି ଟଙ୍କା ଯାଇଥିଲା । କହିରଖୁଛୁ କି, ଚାଷୀଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ୨୦୧୮ ମସିହାରେ କାଳିଆ ଯୋଜନାର ଆରମ୍ଭ କରିଥିଲେ । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର କୃଷକଙ୍କୁ ସଶକ୍ତିକରଣ ପାଇଁ ପ୍ରେରଣା ଦେବା ସହ କୃଷିର ଅଭିବୃଦ୍ଧି ଓ ବିକାଶ କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.