ETV Bharat / state

ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 19, 2023, 10:25 AM IST

Odisha news governor
Odisha news governor

ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରଘୁବର ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଓଡିଶାର ନୂଆ ରାଜ୍ୟପାଳ ହେଲେ ରଘୁବର ଦାସ । ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରଘୁବର ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିବାରୁ ରଘୁବର ଦାସଙ୍କୁ ମୋର ଶୁଭେଚ୍ଛା । ରାଜ୍ୟର ବିକାଶ ତଥା ଲୋକଙ୍କ କଲ୍ୟାଣ ଦିଗରେ ତାଙ୍କ ସହ କାର୍ଯ୍ୟ କରିବାକୁ ମୁଁ ଉତ୍ସାହିତ ଅଛି। ତାଙ୍କର କାର୍ଯ୍ୟକାଳ ସଫଳ ହେଉ ବୋଲି ମୁଁ କାମନା କରୁଛି।

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର ଦାସ । ରଘୁବରଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରା ରାଜ୍ୟର ରାଜ୍ୟପାଳ ଓ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି । ଉଭୟ ରାଜ୍ୟପାଳ ଖୁବଶୀଘ୍ର ଦାୟିତ୍ବ ନେବେ, ସେହି ଦିନଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ତୁଳାଉଛନ୍ତି ଦାୟିତ୍ବ । ଗତ ମେ ମାସ 30 ତାରିଖରୁ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।

ଏହା ମଧ୍ୟ ପଢନ୍ତୁ-New Governor of Odisha: ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ

1955 ମସିହା 3 ମେ'ରେ ଜନ୍ମ ଗ୍ରହଣ କରିଥିଲେ ରଘୁବର । ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ବ ତୁଳାଇଛନ୍ତି । ସେ 4 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ରଘୁବର ପୁରା 5 ବର୍ଷ ନିଜ କାର୍ଯ୍ୟକାଳ ପୂରଣ କରିଛନ୍ତି । ବର୍ତ୍ତମାନ ବିଜେପିର ଜାତୀୟ ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ରଘୁବର ପ୍ରଥମ ଥର ପାଇଁ ଅବିଭାଜିତ ବିହାରର ପୂର୍ବ ଜାମସେଦପୁର(ବର୍ତ୍ତମାନ ଝାଡଖଣ୍ଡରେ) ଆସନରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ 2004 ମସିହାରେ ଝାଡ଼ଖଣ୍ଡ ବିଜେପିର ମୁଖ୍ୟ ଭାବେ କାମ କରିଥିଲେ ।

ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟର ଜଣେ ଲୋକପ୍ରିୟ ରାଜ୍ୟପାଳ ଭାବେ ପରିଚିତ । ନିଜ କାର୍ଯ୍ୟକାଳକୁ ଅତି ଚମତ୍କାର ଢଙ୍ଗରେ ଶେଷ କରିଛନ୍ତି ଗଣେଶୀ ଲାଲ । 5 ବର୍ଷରେ ପ୍ରାୟ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବା ସହିତ ବହୁ ଦିଗଦର୍ଶନ ସରକାର ଓ ରାଜ୍ୟବାସୀଙ୍କୁ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.