ETV Bharat / state

ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି, ୨୦୨୪ ଫେବ୍ରୁଆରୀରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

author img

By ETV Bharat Odisha Team

Published : Dec 19, 2023, 9:05 PM IST

Etv Bharat
Etv Bharat

ଆଜି ଅନୁଷ୍ଠିତ ହୋଇଛି ତୃତୀୟ ଐତିହ୍ୟ କ୍ୟାବିନେଟ । ୨୦୨୪ ଫେବ୍ରୁଆରୀରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଅଧିକ ପଢନ୍ତୁ

୨୦୨୪ ଫେବ୍ରୁଆରୀରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ୨୦୨୪ ଫେବୃଆରୀରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ୩ ଦିନ ଧରି ଏହି ସମ୍ମିଳନୀ ଭୁବନେଶ୍ବରରେ ଆୟୋଜିତ ହେବ । ଏହି ସମ୍ମିଳନୀ ଜରିଆରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଲକ୍ଷ୍ୟ ରଖାଯାଇଛି । ଦେଶ ତଥା ବିଦେଶ ଭାଷାବିତ, ଗବେଷକ ଓ ପ୍ରତିଷ୍ଠିତ ବ୍ୟକ୍ତି ଏହି ସମ୍ମିଳନୀରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି ତୃତୀୟ ଐତିହ୍ୟ କ୍ୟାବିନେଟ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଭିସି ଯୋଗେ ନବୀନ ନିବାସରୁ ଯୋଡି ହୋଇଥିଲେ । ଐତିହ୍ୟ କ୍ୟାବିନେଟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ମୋହର ମାରିଛି । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ୨୦୨୪ ମସିହା ଫେବୃଆରୀ ମାସରେ ଆୟୋଜିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । 3 ଦିନ ବ୍ୟାପି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଏହି ସମ୍ମିଳନୀ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯିବ ।

ଏହା ବି ପଢନ୍ତୁ- କ୍ୟାବିନେଟ ନିଷ୍ପତ୍ତି; ବକେୟା ମୋଟର ଯାନ ଟିକସ ଛାଡ

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞମାନଙ୍କୁ ସମ୍ମିଳନୀରେ ସାମିଲ କରାଯିବ । ବିଷୟ ଭିତ୍ତିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯିବ । ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତ ଲାଗି ସେମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ଏହି ସମ୍ମିଳନୀ ସମୟରେ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ ନିଜ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଦ୍ବାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ବରାନ୍ବିତ ହେବ ।

ଏତଦ ବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନରେ ଉକ୍ତ ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ । ସମ୍ମିଳନୀ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ କମିଶନର ତଥା ଶାସନ ସଚିବ ସୁଜାତା କେ. ପାଣ୍ଡିଆନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.