ETV Bharat / state

କ୍ୟାବିନେଟ ନିଷ୍ପତ୍ତି: ଚୌଦ୍ବାର ଓ ନିଲ ଡୁଙ୍ଗରୀରେ ଶିଳ୍ପ; 6600 କୋଟି ହେବ ନିବେଶ

author img

By ETV Bharat Odisha Team

Published : Dec 5, 2023, 11:02 PM IST

20194815
20194815

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, କଟକ ଜିଲ୍ଲାର ଚୌଦ୍ବାରରେ 3000 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଏକ ସମନ୍ବିତ ବୟନ ଶିଳ୍ପର ପୁନଃ ପ୍ରତିଷ୍ଠା ହେବ । ଏହା ସହିତ 10,000 ସିଧାସଳଖ ନିଯୁକ୍ତି ଓ ସମାନ ସଂଖ୍ୟକ ପରୋକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । ଅଧିକ ପଢନ୍ତୁ

କ୍ୟାବିନେଟ ନିଷ୍ପତ୍ତି: ଚୌଦ୍ବାର ଓ ନିଲ ଡୁଙ୍ଗରୀରେ ଶିଳ୍ପ; 6600 କୋଟି ହେବ ନିବେଶ

ଭୁବନେଶ୍ବର: ଓଡିଶାକୁ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ଏହାର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ ନିମନ୍ତେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ଅନୁସାରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଏକ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଜରିଆରେ ୱେଲସ୍ପନ କମ୍ପାନୀ ସମୁହକୁ କଟକର ଚୌଦ୍ବାର ଏବଂ ସମ୍ବଲପୁରର ନିଲ ଡୁଙ୍ଗରୀରେ ବହୁପ୍ରତିକ୍ଷିତ ଶିଳ୍ପ ସମୁହ ପ୍ରତିଷ୍ଠା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ବାରା 6600 କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ କାରଖାନା ପ୍ରତିଷ୍ଠା ସହ ପ୍ରାୟ 20,000 ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ଅଧିକ ପଢନ୍ତୁ- କ୍ୟାବିନେଟ ବୈଠକ; ୮ ବିଭାଗର ୧୦ ପ୍ରସ୍ତାବକୁ ମୋହର

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, କଟକ ଜିଲ୍ଲାର ଚୌଦ୍ବାରରେ 3000 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଏକ ସମନ୍ବିତ ବୟନ ଶିଳ୍ପର ପୁନଃ ପ୍ରତିଷ୍ଠା ହେବ । ଏହା ସହିତ 10,000 ସିଧାସଳଖ ନିଯୁକ୍ତି ଓ ସମାନ ସଂଖ୍ୟକ ପରୋକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । ପୁରୁଣା ଐତିହ ଫେରାଇ ଆଣିବାରେ ଏହା ସହାୟକ ହେବ । ଉକ୍ତ ଶିଳ୍ପ ଏକ ସମନ୍ବିତ ପରିଯୋଜନା । ଏଠାରେ ସୁତାରୁ ଆରମ୍ଭ କରି କପଡା ପ୍ରସ୍ତୁତ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ । ଯାହା ଦ୍ବାରା ସ୍ଥାନୀୟ କୁଶଳୀ ଲୋକଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଏହା ବ୍ୟତିତ ୱେଲସ୍ପନ କମ୍ପାନୀ ସମୁହ ବୟନ ଶିଳ୍ପ ପରିଯୋଜନା ପରିସୀମାରେ ଏକ ଅତ୍ୟାଧୁନିକ ଗୋଦାମ ଘର ପ୍ରତିଷ୍ଠା କରିବ । ଏହା ଦ୍ବାରା କ୍ୟାପିଟିଭ ଓ ବାଣିଜ୍ୟିକ ସେବା ପ୍ରଦାନ କରିବ । ଏହା ସହ ବ୍ୟାପକ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ପୁନଶ୍ଚ ଚୌଦ୍ବାରରେ ବୟନ ଶିଳ୍ପ ପ୍ରତିଷ୍ଠାର ଅନ୍ୟ ଏକ ଗୁରୁତ୍ବପୁର୍ଣ୍ଣ ଦିଗ ହେଇଛି କୃଷକର ଉନ୍ନତି ଓ କୃଷିଜାତ ଦ୍ରବ୍ୟ ର ଉତ୍ପାଦନ ବୃଦ୍ଧି କରିବା । ମୁଖ୍ୟତଃ ବୟନ ଶିଳ୍ପର କଞ୍ଚାମାଲ ହିସାବରେ କପାକୁ ବ୍ୟବହାର କରାଯାଏ । ତେଣୁ କପା ଉତ୍ପାଦନ ଜିଲ୍ଲା ଭାବରେ କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଆଦି ଜିଲ୍ଲା ମାନଙ୍କୁ ହିସାବକୁ ନିଆଯିବ । ସେଠାକାର କୃଷକ ମାନଙ୍କ ଦ୍ବାରା ଉତ୍ପାଦିତ କପାକୁ ଉଚିତ ମୁଲ୍ୟ ଦେୟରେ କିଣି ସେମାନଙ୍କୁ କପା ଚାଷ ପାଇଁ ଉତ୍ସାହିତ କରିବ । ଏହା ସହିତ ସେମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ଉକ୍ତ ଶିଳ୍ପ ଯଥେଷ୍ଟ ସହାୟକ ହେବ ।

ଅଧିକ ପଢନ୍ତୁ- କ୍ୟାବିନେଟ ନିଷ୍ପତ୍ତି; ବକେୟା ମୋଟର ଯାନ ଟିକସ ଛାଡ

ସେହିପରି ୱେଲସ୍ପନ କମ୍ପାନୀ ସମୁହ ସମ୍ବଲପୁର ଜିଲ୍ଲାର ନିଲ ଡୁଙ୍ଗୁରୀରେ ଏକ ପ୍ଲାଷ୍ଟିକ ପ୍ରସ୍ତୁତକାରୀ ଓ ଡି.ଆଇ ପାଇପ କାରଖାନା ପାଇଁ କାର୍ଯ୍ୟ କରିବ । ଉକ୍ତ କାରଖାନା 3600 କୋଟି ଟଙ୍କାର ପୁଞ୍ଜି ବିନିମୟରେ ପ୍ରତିଷ୍ଠା ହୋଇ ବହୁଳ ନିଯୁକ୍ତି ସୃଷ୍ଟି କରିବ । ଏହା ମଧ୍ୟ ବିଜୁ ଅର୍ଥନୈତିକ କରିଡର ଅନ୍ତର୍ଗତ ଏକ ପରିଯୋଜନା । ଏହା ଦ୍ବାରା ଅନ୍ୟ ଆନୁଷଙ୍ଗିକ ଛୋଟ ଛୋଟ ଶିଳ୍ପ ଗଢି ଉଠିବ । ଅଧିକ ସ୍ଥାନୀୟ ନିଯୁକ୍ତିର ସୁଯୋଗ ଆଣିବ । ଉକ୍ତ ପରିଯୋଜନା ଗୁଡିକ ଓଡିଶା ସରକାରଙ୍କ ପାଇଁ ଏକ ବସିୟୁତନାମା ସଦୃଶ । ଏହା ଦ୍ବାରା ନିଶ୍ଚିନ୍ତ ନିଯୁକ୍ତି, ଦକ୍ଷତା ବୃଦ୍ଧି ସହିତ ପୋଷଣୀୟ ବିକାଶ ଅଣାଯାଇପାରିବ । ଏହି ସମନ୍ବିତ ଯୋଜନା ନିଶ୍ଚିନ୍ତ ଭାବେ ଓଡିଶାର ଶିଳ୍ପ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସହାୟକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.