ETV Bharat / state

Odisha Cabinet Meeting; ଗୁରୁତ୍ବପୂର୍ଣ୍ଣ ୧୨ ପ୍ରସ୍ତାବ ସହ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ

author img

By ETV Bharat Odisha Team

Published : Nov 14, 2023, 9:52 PM IST

Updated : Nov 15, 2023, 4:02 PM IST

Odisha Cabinet Meeting; ଗୁରୁତ୍ବପୂର୍ଣ୍ଣ ୧୨ ପ୍ରସ୍ତାବ ସହ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ
Odisha Cabinet Meeting; ଗୁରୁତ୍ବପୂର୍ଣ୍ଣ ୧୨ ପ୍ରସ୍ତାବ ସହ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ

କ୍ୟାବିନେଟ ବୈଠକରେ ପାରିତ ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ୨ ଟି, ଶକ୍ତି, ଅବକାରୀ, ଜଙ୍ଗଲ ଏବଂ ପରିବେଶ, ସାଧାରଣ ପ୍ରଶାସନ, ସ୍ବାସ୍ଥ୍ୟ, ଗୃହ ଏବଂ ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଜଳ ସମ୍ପଦ, ଏବଂ ପୁର୍ତ୍ତ ବିଭାଗର ଗୋଟେ ଗୋଟେ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଅଧିକ ପଢନ୍ତୁ

୧୨ ପ୍ରସ୍ତାବ ସହ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ । କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବ ପାରିତ ହୋଇଛି ।

କ୍ୟାବିନେଟ ବୈଠକରେ ପାରିତ ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ୨ଟି, ଶକ୍ତି, ଅବକାରୀ, ଜଙ୍ଗଲ ଏବଂ ପରିବେଶ, ସାଧାରଣ ପ୍ରଶାସନ, ସ୍ବାସ୍ଥ୍ୟ, ଗୃହ ଏବଂ ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଜଳ ସମ୍ପଦ, ଏବଂ ପୁର୍ତ୍ତ ବିଭାଗର ଗୋଟେ ଗୋଟେ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ୫୯୨୯.୩୮ ଟଙ୍କା ମଞ୍ଜୁର ହୋଇଛି । ୨୬ କିଲୋମିଟର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିସୁଳିଆ ପର୍ଯ୍ୟନ୍ତ ନିର୍ମାଣ ହେବ । ବ୍ରହ୍ମପୁର ସହରରେ ଗମନାଗମନକୁ ଆହୁରି ସୁଦୃଢ଼ କରିବା ଲାଗି ବ୍ରହ୍ମପୁର ରିଂ ରୋଡ୍‌ ନିର୍ମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ୨୪ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରହିଥିବା ଏହି ପ୍ରକଳ୍ପ ପାଇଁ ୧୫୬.୫୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ବାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିକାଶ ପ୍ରକ୍ରିୟା ଆହୁରି ତ୍ବରାନ୍ବିତ ହେବ ।

ଅଧିକ ପଢନ୍ତୁ- Odisha Cabinet Meeting: 8 ବିଭାଗର 16 ପ୍ରସ୍ତାବକୁ ମଞ୍ଜୁରୀ

ଗଞ୍ଜାମରେ ଆହୁରି ସୁଦୃଢ଼ ହେବ ଜଳସେଚନ ବ୍ୟବସ୍ଥା । ଋଷିକୁଲ୍ୟା ନଦୀ ଉପରେ ଜାନିଭିଲି ବ୍ୟାରେଜ ନିର୍ମାଣ ହେବ । ଏହା ସହ ଏହାର ରକ୍ଷଣାବେକ୍ଷଣ ପାଇଁ କ୍ୟାବିନେଟ ବୈଠକରେ ୮୭.୫୪ କୋଟିର ପ୍ରକଳ୍ପ ଖର୍ଚ୍ଚ ମଞ୍ଜୁର ହୋଇଛି । ଏହି ପ୍ରକଳ୍ପ ଦ୍ଵାରା ୫୨,୬୭୫ ହେକ୍ଟର ଚାଷଜମି ଜଳସେଚିତ ହେବ । ଏହା ସହ ବ୍ରହ୍ମପୁର ମହାନଗରକୁ ଦୈନନ୍ଦିନ ୬୭.୫ ମିଲିୟନ ଲିଟର ପାନୀୟ ଜଳ ଯୋଗାଣ ସୁବିଧା ଉପଲବ୍ଧ ହେବ । ରାଜ୍ୟର ସରକାରୀ ହସ୍ପିଟାଲରେ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନ ସହ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଲକ୍ଷ୍ୟରେ ‘ଆମ ହସ୍ପିଟାଲ' ଯୋଜନାର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ । ପ୍ରଥମ ବର୍ଷରେ ୧୪୯ଟି ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୧,୮୫୮ଟି ସରକାରୀ ହସ୍ପିଟାଲର ରୂପାନ୍ତରଣ ପାଇଁ କ୍ୟାବିନେଟ୍‌ ୩୩୮୮.୭୩ କୋଟିର ବ୍ୟୟ ବରାଦକୁ ଅନୁମୋଦନ କରିଛି ।

ଗ୍ରାମାଞ୍ଚଳବାସୀଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ । ଏହି ଲକ୍ଷ୍ୟରେ ବଲାଙ୍ଗିର ସଇଁତଳାରେ ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ୩୦୭.୮୮ କୋଟି ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ଵାରା ସଇଁତଳାର ୧୧୬ଟି ଗ୍ରାମବାସୀଙ୍କ ପାଖରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ଉପକୃତ ହେବେ ୯୪, ୫୫୦ରୁ ଅଧିକ ଲୋକ । ଆସନ୍ତା ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ତହସିଲ ଅନ୍ତର୍ଗତ ଗୋଠପାଟଣା ମୌଜାରେ ଜାଭିୟର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ ସୋସାଇଟି ପକ୍ଷରୁ ଲୋୟୋଲା ବିଦ୍ୟାଳୟ ପ୍ରତିଷ୍ଠା ହେବ । ସେଥିପାଇଁ ଆବଶ୍ୟକ ୯ ଏକର ୪୦୦ ଡ଼ିସିମିଲ ଜମି ବିନା ପ୍ରିମୀୟମରେ ଲିଜ ସୂତ୍ରରେ ପ୍ରଦାନ କରାଯିବ । ଏଥିପାଇଁ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ସୋସାଇଟିକୁ ଜମିର ବଜାର ମୂଲ୍ୟର ୧୦% ହିସାବରେ ଏକକାଳୀନ ଇନସିଡେଣ୍ଟ ଚାର୍ଜ ଏବଂ ଜମିର ବଜାର ମୂଲ୍ୟର ୦.୨୫% ହିସାବରେ ବାର୍ଷିକ ଭୂ ରାଜସ୍ବ ଓ ଭୂ ରାଜସ୍ବର ୭୫% ହିସାବରେ ବାର୍ଷିକ ସେସ ଦେବାକୁ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 15, 2023, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.