ETV Bharat / state

ନୈତିକତା ଆଧାରରେ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ରାଜ୍ୟ ବିଜେପି ସଭାପତି

author img

By ETV Bharat Odisha Team

Published : Dec 14, 2023, 5:53 PM IST

ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ରାଜ୍ୟ ବିଜେପି ସଭାପତି
ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ରାଜ୍ୟ ବିଜେପି ସଭାପତି

Odisha BJP demands CM's resignation: ରାଜ୍ୟରେ ମଦ ଦୁର୍ନୀତିକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ । ବିଜେଡ଼ିର ସ୍ପଷ୍ଟୀକରଣ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି । ଅଧିକ ପଢନ୍ତୁ

ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ରାଜ୍ୟରେ ମଦ ଦୁର୍ନୀତିକୁ ନେଇ ବଢୁଛି ରାଜନୀତି । ଏନେଇ କଂଗ୍ରେସ ନୀରବ ଥିବାବେଳେ ଉଭୟ ବିଜେପି ଏବଂ ବିଜେଡି ପରସ୍ପର ଦୋଷ ଲଦାଲଦି ହେଉଛନ୍ତି । ଆଜି ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଆୟକର ବିଭାଗ ମଦ ବ୍ୟବସାୟୀଙ୍କ ଠାରୁ ଜବତ କରିଥିବା 350 କୋଟିରୁ ଊର୍ଦ୍ଧ୍ବ ଟଙ୍କା କାହାର ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସଭାପତି । ଏହା ମଦ ବେପାରୀଙ୍କ ଟଙ୍କା ନୁହେଁ ବିଜେଡିର ଦଳୀୟ ପାଣ୍ଠି ବୋଲି ଆରୋପ ଆଣିଛନ୍ତି ।

ରାଜ୍ୟ ସରକାରଙ୍କ ଇଓଡବ୍ଲ୍ୟୁ, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଭଳି ସଂସ୍ଥା ଥିବା ସତ୍ତ୍ବେ ଏତେ ମାତ୍ରାର କଳାଟଙ୍କା ସମ୍ପର୍କରେ କିପରି ଜାଣିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଆଇନ ତା ବାଟରେ ଯିବ। ହେଲେ ଏହି ପ୍ରସଙ୍ଗରେ ସେ ମୁହଁ ନ ଖୋଲିବା ଅନ୍ୟ ଦିଗକୁ ଇଙ୍ଗିତ କରୁଛି । ଏହା ସହ ମଦ ଦୁର୍ନୀତିର ଗନ୍ତାଘର ବୌଦ୍ଧ ଡିଷ୍ଟିଲେରୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ସ୍ବୟଂ ମୁଖ୍ୟ ମନ୍ତ୍ରୀ ଗୃହ ବିଭାଗର ଦାୟିତ୍ବରେ ଥିବା ବେଳେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା କଳାଟଙ୍କା ଠାବ ଘଟଣା ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ନିର୍ମଳ ଭାବମୂର୍ତ୍ତିକୁ କାଠଗଡାରେ ଆଣି ଠିଆ କରିଛି । ଏନେଇ ବିଜେଡ଼ିର ସ୍ପଷ୍ଟୀକରଣ ଦାବି କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ ... କଂଗ୍ରେସ ସୁରକ୍ଷାର ମଙ୍ଗ ଧରିଛନ୍ତି ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ: ବିଜେଡି

ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡ଼ି ବାଣ୍ଟିଥାନ୍ତା ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି । ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାର ସହ ଜଡିତ ଦେଶୀ ମଦ ଭାଟିରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ରାଜ୍ୟ ନୁହଁ ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଦେଶବାସୀଙ୍କୁ ବିକାଶର ଗ୍ୟାରେଣ୍ଟି ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିଗ୍ରସ୍ତ ଲୋକଙ୍କ ଠାରୁ ଗୋଟି ଗୋଟି ଟଙ୍କା ଅସୁଲ କରିବାର ଗ୍ୟାରେଣ୍ଟି ଦେଉଛନ୍ତି ।

ଯଦି ମୁଖ୍ୟମନ୍ତ୍ରୀ ନିଜେ ସ୍ବଚ୍ଛ ବୋଲି ଡିଣ୍ଡିମ ପିଟୁଛନ୍ତି ତାହାଲେ ନିଜର ଓ ଦଳର ସ୍ବଚ୍ଛତା ଏବଂ ଓଡ଼ିଶାର ସ୍ବାର୍ଥ ପାଇଁ ଏଭଳି କଳା କାରନାମାର ସିବିଆଇ ଦ୍ବାରା ତଦନ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ ବୌଦ୍ଧ ଡିଷ୍ଟିଲେରୀ ପ୍ରାଇଭେଟ ଲିମିଟେଡରେ ପୁଣି ଆୟକର ବିଭାଗର ରେଡ୍ ହୋଇଛି । ଆଜି ଆୟକର ବିଭାଗର ୨ଟି ଟିମ୍ କମ୍ପାନୀରେ ଚଢ଼ାଉ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.