ETV Bharat / state

କଂଗ୍ରେସ ସୁରକ୍ଷାର ମଙ୍ଗ ଧରିଛନ୍ତି ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ: ବିଜେଡି

author img

By ETV Bharat Odisha Team

Published : Dec 13, 2023, 8:57 PM IST

ବିଜେଡି ପ୍ରେସ୍‌ମିଟ୍‌
BJD Press Meet

BJD PressMeet: ମଦ ମାଫିଆଙ୍କ ଆଡ୍ଡାରେ ଆଇଟି ରେଡ୍‌ ଓ ବିପୁଳ ଟଙ୍କା ଜବତ ଘଟଣାରେ ଓଡ଼ିଶା ବିଜେପି ଓ ବିଜେଡି ମଧ୍ୟରେ ଦୋଷ ଲଦାଲଦି ଚାଲିଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଣ ପାଇଁ ଚୁପ ବୋଲି ଆଜି ପୂର୍ବାହ୍ନରେ ପ୍ରେସ୍‌ମିଟ୍‌ କରି ପ୍ରଶ୍ନ କରିଥିଲା ବିଜେପି । ଅପରାହ୍ଣରେ ଏହାର ଜବାବ ରଖି ରାଜ୍ୟ ବିଜେପିକୁ କଂଗ୍ରେସର ବି ଟିମ୍‌ କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଅଧିକ ପଢ଼ନ୍ତୁ

BJD Press Meet

ଭୁବନେଶ୍ବର: ଓଡିଶାରେ ମଦ ମାଫିଆଙ୍କ ଆଡ୍ଡା ଉପରେ ଆୟକର ବିଭାଗର ଚଢ଼ାଉ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ପୂର୍ବାହ୍ନରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ କରିଥିଲେ । ଅପରାହ୍ନରେ ଏହାର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଓଡିଶା କଂଗ୍ରେସକୁ ବଞ୍ଚାଇବା ପାଇଁ ବିଜେପି ନେତା ଡିଲ୍‌ କରୁଥିବା ସେ ଅଭିଯୋଗ କରିଛନ୍ତି । ରାଜ୍ୟ କଂଗ୍ରେସ ସୁରକ୍ଷାର ମଙ୍ଗ ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀ ଧରିଥିବା ସେ କହିଛନ୍ତି । ଡାହା ମିଛ କହି ବିଜେପି ଓଡିଶାକୁ ବଦନାମ କରୁଛି ବୋଲି ସ୍ବୟଂ ଅଭିଯୋଗ କରିଛନ୍ତି । କଂଗ୍ରେସର ବି-ଟିମ ସାଜିବାର ଜବାବ ବିଜେପିକୁ ଓଡିଶାବାସୀ ଦେବେ ବୋଲି ସ୍ବୟଂ କହିଛନ୍ତି ।

'କଂଗ୍ରେସର ପ୍ରବକ୍ତା ସାଜିଛି ରାଜ୍ୟ ବିଜେପି': ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବୟଂ ପ୍ରକାଶ କହିଛନ୍ତି, "ଆୟକର ବିଭାଗର ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ଓଡିଶା ବିଜେପି, କଂଗ୍ରେସକୁ ଢାଲ ସାଜି ସୁରକ୍ଷା ଦେଉଛି ବୋଲି ଦୁଇ ଦିନ ତଳେ ଆମେ କହିଥିଲୁ । କଂଗ୍ରେସକୁ ପ୍ରାଣ ପଣେ ବଞ୍ଚାଇବାକୁ ବିଜେପି ଉଦ୍ୟମ କରୁଛି । ଯାହା ଆଜି ପ୍ରମାଣିତ ହୋଇଛି । ଲାଗୁଛି ଓଡିଶା କଂଗ୍ରେସର ପ୍ରବକ୍ତା ହୋଇ ଓଡିଶା ବିଜେପି କାମ କରୁଛି ।" ଏଭଳି କରିବାକୁ ବିଜେପିକୁ ଲଜ୍ଜା କିପରି ଲାଗୁନି ବୋଲି ପ୍ରଶ୍ନ କରିଛନ୍ତି ସ୍ବୟଂ ପ୍ରକାଶ । ସେହିଭଳି କଂଗ୍ରେସକୁ ବଞ୍ଚାଇବାକୁ ରାଜ୍ୟ ବିଜେପି ନେତାମାନେ କାହିଁକି ଏତେ ବ୍ୟଗ୍ରତା ଦେଖାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶାରେ ମିଳିଲା କଳାଟଙ୍କାର ପାହାଡ, ବିଜେପିର ଶାଣିତ ପ୍ରଶ୍ନ କାହିଁକି ଚୁପ ମୁଖ୍ୟମନ୍ତ୍ରୀ

'ନିର୍ବାଚନରେ ସାହାଯ୍ୟ ପାଇଁ ହୋଇଛି ଡିଲ୍‌': ଜାତୀୟସ୍ତରରେ ବିଜେପିର ତୁଙ୍ଗ ନେତାମାନେ କଂଗ୍ରେସକୁ ଏହି ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର, ଗିରିରାଜ ସିଂହ ପ୍ରମୁଖ ଜବତ ଟଙ୍କାକୁ ନେଇ କଂଗ୍ରେସକୁ ସମାଲୋଚନା କରୁଛନ୍ତି । ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବିଜେପି ସାଂସଦ ଧାରଣାରେ ବସି କଂଗ୍ରେସ ଠାରୁ ଜବାବ ମାଗୁଛନ୍ତି । ଝାଡଖଣ୍ଡ ବିଜେପି ନେତା ଏହି ପ୍ରସଙ୍ଗରେ କଂଗ୍ରେସ ବିପକ୍ଷରେ ଆନ୍ଦୋଳନ କରୁଛନ୍ତି, ପ୍ରତିବାଦ ଚଳାଇଛନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ହୋଇଥିବା ଓଡିଶାର ଜଣେ ବିଜେପି ନେତା କଂଗ୍ରେସକୁ ପ୍ରାଣପଣେ ସୁରକ୍ଷା ଯୋଗାଇଦେବାକୁ ପ୍ରତିଜ୍ଞା କରିବା ଭଳି ଲାଗୁଛି ବୋଲି କହିଛନ୍ତି ସ୍ବୟଂ ପ୍ରକାଶ । ନିର୍ବାଚନରେ ସାହାଯ୍ୟ କରିବାକୁ କୁଆଡେ ଏନେଇ ଏକ ଡିଲ୍‌ ହୋଇଛି ବୋଲି ସେ ଶୁଣିବାକୁ ପାଉଥିବା କହିଛନ୍ତି ।

'ଓଡ଼ିଶାବାସୀଙ୍କୁ ବୋକା ବନାଉଛି ବିଜେପି': ସେ ଆହୁରି କହିଛନ୍ତି, "ବିଜେପିର ଜାତୀୟ ନେତାମାନେ କହୁଛନ୍ତି, ଜବତ ହୋଇଥିବା ଟଙ୍କା ଛତିଶଗଡ ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ରଖାଯାଇଥିଲା, ଯାହା ହୋଇପାରିନଥିଲା । ଆମେ ଆହ୍ବାନ ଦେଉଛୁ, ବିଜେପିର ରାଜ୍ୟ ନେତା ସାହାସ ଦେଖାଇ କୁହନ୍ତୁ, ତାଙ୍କର ଜାତୀୟସ୍ତରର ନେତା ଦେଉଥିବା ବୟାନ ଭୁଲ । ସେମାନେ କହିପାରିବେ କି ? ପଡୋଶୀ ଝାଡଖଣ୍ଡର ବିଜେପି ନେତା, କଂଗ୍ରେସକୁ ସମାଲୋଚନା କରି ଯେଉଁ ତଥ୍ୟ ଉପସ୍ଥାପନ କରୁଛନ୍ତି, ତାହା ମିଛ ଉପରେ ଆଧାରିତ ? ରାଜ୍ୟ ବିଜେପିର ନେତାଏ ନିଜର ଫେକ୍‌ ନ୍ୟୁଜ ଫ୍ୟାକ୍ଟ୍ରିରେ ସର୍ବଦା ମିଛ ଖବର ପ୍ରସ୍ତୁତ କରିବାରେ ବ୍ୟସ୍ତ ରୁହନ୍ତି । ଜାତୀୟସ୍ତରରେ ଓ ପଡୋଶୀ ରାଜ୍ୟରେ ନିଜ ଦଳର ନେତା କଣ କହୁଛନ୍ତି ସେମାନେ ଜାଣି ମଧ୍ୟ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତି । ବୋଧହୁଏ ସେମାନେ ଭାବନ୍ତି, ଓଡିଶାବାସୀ କିଛି ଜାଣିପାରୁନାହାନ୍ତି । ଏଭଳି ହୀନ ରାଜନୀତି ଜରିଆରେ ଡାହା ମିଛ କହି ସେମାନେ କଣ ଲାଭ ପାଉଛନ୍ତି ? ସଚେତନ ଓଡିଶାବାସୀଙ୍କୁ ବୋଧହୁଏ ରାଜ୍ୟ ବିଜେପିର କିଛି ନେତା ବୋକା ଭାବିବା ଆରମ୍ଭ କରିଛନ୍ତି । ତେଣୁ ଡାହା ମିଛ ଆଉ ମନଗଢା କାହାଣୀ କହି, ଓଡିଶାକୁ ନିନ୍ଦିତ କରିବା ପୂର୍ବରୁ ବୋଧହୁଏ ଏମାନେ ନିଜର ଲାଜ ସରମ ବିକ୍ରି କରି ଦେଇଆସିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କଡା ଜବାବ ଦେଲା ବିଜେପି, 'ନବୀନ ନୁହେଁ ମଦ ଓଡ଼ିଶା କରିଛି ବିଜେଡି'

'କଂଗ୍ରେସର ବି ଟିମ୍‌ ସାଜିଛି ବିଜେପି': ସ୍ବୟଂ ପ୍ରକାଶ କହିଛନ୍ତି, "ଆମେ ସେଥିପାଇଁ ବାରମ୍ବାର କହିଛୁ, ଓଡିଶା ବିଜେପି ନେତାମାନେ ଓଡିଶାକୁ ବଦନାମ କରିବାକୁ କୌଣସି ମଉକା ହାତଛଡା କରିବାକୁ ଚାହାନ୍ତି ନାହିଁ । ଆଉ ଏହା ତାର ଅନ୍ୟ ଏକ ଉଦାହରଣ । ଡାହା ମିଛ କହି ଓଡିଶାକୁ ବଦନାମ କଲେ କଣ ରାଜ୍ୟ ବିଜେପି ନେତାଙ୍କୁ ଖୁସି ମିଳୁଛି ? ମିଛ କହିବା ଆଗରୁ ଟିକେ ଉପସ୍ଥିତ ବୁଦ୍ଧି ଖଟାଇଲେ ବିଜେପି ରାଜ୍ୟ ମୁଖପାତ୍ରଙ୍କୁ ଏଭଳି ଲଜ୍ଜିତ ହେବାକୁ ପଡିନଥାନ୍ତା । ଏଭଳି ହାସ୍ୟାସ୍ପଦ କଥା ପାଇଁ ରାଜ୍ୟବାସୀ ତ ବିଜେପି ଉପରେ ଯାହା ହସୁଛନ୍ତି, ରାଜ୍ୟ ବିଜେପିର କିଛି ନେତା ମଧ୍ୟ ଲଜ୍ଜିତ ଅନୁଭବ କରୁଛନ୍ତି । ଏହି ପ୍ରକାରର ରାଜନୀତି ଆପଣମାନେ କରି ଚାଲନ୍ତୁ, ଲୋକେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଚାଲିବେ । ଲୋକଙ୍କୁ ବୋକା ବନାଇବାର ଏହି ପ୍ରୟାସ ଏବଂ କଂଗ୍ରେସର ବି ଟିମ ହୋଇ କାର୍ଯ୍ୟ କରିବାର ଜବାବ ଜନତା ଆଗାମୀ ଦିନରେ ଦେବେ । ଯେଉଁଭଳି ଗତ ପଞ୍ଚାୟତ ନିର୍ବାଚନରେ ଓଡିଶାରେ ବିଜେପିକୁ ଭୋଟ ହାରରେ ତୃତୀୟ ସ୍ଥାନକୁ ଠେଲି ଦୃଢ ଜବାବ ଦେଇଥିଲେ, ସେହିଭଳି ଜବାବ ଆଗାମୀ ଦିନରେ ମଧ୍ୟ ମିଳିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.