ETV Bharat / state

Mission 2024: ସଂଗଠନ ନକଲେ ବିଜେଡି ଉପରେ ପଡିବନି ବିଜେପି ପ୍ରଭାବ !

author img

By

Published : May 31, 2023, 9:02 PM IST

Etv Bharat
Etv Bharat

ମୋଦି ସରକାରକୁ ୯ ବର୍ଷ, ରାଜ୍ୟ ବିଜେପି ମାସେବ୍ୟାପୀ କରିବ ମହାଜନସମ୍ପର୍କ ଅଭିଯାନ । ୩୧ ମେ’ ରୁ ୩୦ ଜୁନ ପର୍ଯ୍ୟନ୍ତ ହେବ ମହାଜନସମ୍ପର୍କ ଅଭିଯାନ । ପ୍ରତି ଘରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି ଗେରୁଆ ଦଳ । ଓଡିଶାରେ ୩୭ ହାଜର ୬୦୬ ବୁଥ ପର୍ଯ୍ୟନ୍ତ ପହଞ୍ଚିବ ବିଜେପି । ୫ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ସହ ନିୟୋଜିତ ହେବେ କେନ୍ଦ୍ରୀୟ ନେତୃତ୍ବଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ଏବଂ ବୁଥ ସ୍ତରର କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ

‘ସଂଗଠନ ନକଲେ ବିଜେଡି ଉପରେ ପଡିବନି ବିଜେପି ପ୍ରଭାବ’

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ କାର୍ଯ୍ୟକ୍ରମ ହାତକୁ ନେଇଛି ରାଜ୍ୟ ବିଜେପି । କ୍ଷମତାକୁ ଆସିବା ଲାଗି ୩୧ ମେରୁ ୩୦ ଜୁନ ପର୍ଯ୍ୟନ୍ତ ରାଜ୍ୟରେ ଦଳ କରିବ ମହା ଜନସମ୍ପର୍କ ଅଭିଯାନ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାମିଲ କରି ରଣହୁଙ୍କାର ଦେବ ଦଳ । ବିଜେଡି କହିଛି ଲୋକ ଯାହା ମାଗୁଛନ୍ତି, ତାଠୁ ଅଧିକ ମୁଖ୍ୟମନ୍ତ୍ରୀ ଦେଉଛନ୍ତି । ଲୋକଙ୍କ ଆଶା, ଆକାଂକ୍ଷା ନବୀନ ପଟ୍ଟନୟକ ସବୁ ପୂରଣ କରିଛନ୍ତି । ତେଣୁ ଲୋକଙ୍କ ମତାମତ ବିଜେଡି ସପକ୍ଷରେ ଯିବ । ସେପଟେ ରାଜନୈତିକ ବିଶେଷଜ୍ଞଙ୍କ ମତ ହେଲା, କେନ୍ଦ୍ରୀୟ ନେତୃତ୍ବ ଓଡିଶା ଆସିଲେ କ୍ଷମତା ପରିବର୍ତ୍ତନ ହେବା ଆଶା ନାହିଁ । ସଂଗଠନ ନଥିବାରୁ ପୂର୍ବ ଅବସ୍ଥା ଭୋଗିବ ବିଜେପି ।

ମୋଦି ସରକାରକୁ ୯ ବର୍ଷ, ରାଜ୍ୟ ବିଜେପି ମାସେବ୍ୟାପୀ କରିବ ମହାଜନସମ୍ପର୍କ ଅଭିଯାନ । ୩୧ ମେ’ ରୁ ୩୦ ଜୁନ ପର୍ଯ୍ୟନ୍ତ ହେବ ମହାଜନସମ୍ପର୍କ ଅଭିଯାନ । ପ୍ରତି ଘରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି ଗେରୁଆ ଦଳ । ଓଡିଶାରେ ୩୭ ହାଜର ୬୦୬ ବୁଥ ପର୍ଯ୍ୟନ୍ତ ପହଞ୍ଚିବ ବିଜେପି । ୫ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ସହ ନିୟୋଜିତ ହେବେ କେନ୍ଦ୍ରୀୟ ନେତୃତ୍ବଙ୍କ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ଏବଂ ବୁଥ ସ୍ତରର କାର୍ଯ୍ୟକର୍ତ୍ତା । ଓଡିଶାରେ ୪ଟି ମହାସମାବେଶରେ ସାମିଲ ହେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ସହ ସବୁ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ଆସିବେ । କେନ୍ଦ୍ରମନ୍ତ୍ରୀମାନେ ୮ ଦିନ, ୮ ରାତି କ୍ଲଷ୍ଟରରେ ସମୟ ବିତାଇବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଏହାବି ପଢନ୍ତୁ- କେନ୍ଦ୍ରରେ ବିଜେପି ସରକାରକୁ ୯ବର୍ଷ ପୂର୍ତ୍ତି, ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବିଜେପିର ମହାଜନ ସମ୍ପର୍କ ଅଭିଯାନ ଉପରେ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ବିଜେପି ଘର ଘର ଗଲେ କଣ ହେବ । ଲୋକ ଯାହା ମାଗୁଛନ୍ତି, ତାଠୁ ଅଧିକ ମୁଖ୍ୟମନ୍ତ୍ରୀ ଦେଉଛନ୍ତି । ଏତେ ସବୁ ପାଇବେ ବୋଲି ଲୋକ ସ୍ବପ୍ନରେ ବି ଭାବି ନଥିଲେ । ତେଣୁ ଲୋକଙ୍କ ଆଶା, ଆକାଂକ୍ଷା ନବୀନ ପଟ୍ଟନାୟକ ସବୁ ପୂରଣ କରିଛନ୍ତି । କିଏ କାହା ବିରୋଧରେ ପ୍ରଚାର କରିବେ, ସେଇଟା ବଡ କଥା ନୁହେଁ । ଲୋକ ସଫଳତାକୁ ଦେଖି ଭୋଟ ଦିଅନ୍ତି, ଏହା ବଡ କଥା । ରାଜ୍ୟ ସରକାରଙ୍କ ବିପୁଳ ଜନପ୍ରିୟତା ଏବଂ ସଫଳତା ବିଷୟରେ ସମଗ୍ର ଓଡ଼ିଶାବାସୀ ଜାଣିଛନ୍ତି । କେଉଁ ଦଳ କଣ କରିବେ ଆମେ କିଛି କହିପାରିବୁନି । କିନ୍ତୁ ମୁଖ୍ୟମନ୍ତ୍ରୀ ୨୩ ବର୍ଷ ଭିତରେ ଯାହା କରିଛନ୍ତି, ଇତିହାସ ରଚନା ହୋଇଛି । ଭାରତର କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ କରି ପାରିନାହାନ୍ତି । ସେଥିପାଇଁ ଲୋକ ତାଙ୍କୁ ଆଖି ବୁଜି ଭୋଟ ଦେଉଛନ୍ତି ।

ଏହାବି ପଢନ୍ତୁ- Niti Aayog Meeting: କାହିଁକି ବୈଠକରେ ଯୋଗ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ ?

ସେପଟେ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁଙ୍କ କହିବା କଥା ହେଲା, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଆସିଲେ ଓଡିଶାରେ କିଛି ପରିବର୍ତ୍ତନ ହୋଇଯିବ; ସେଭଳି ସ୍ଥିତି ନାହିଁ । ୨୦୦୯, ୨୦୧୪, ୨୦୧୯ରେ ମଧ୍ୟ ପ୍ରଧାନମନ୍ତ୍ରୀ ଆସିଥିଲେ । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ, କିନ୍ତୁ ରାଜ୍ୟରେ କୌଣସି ପ୍ରଭାବ ପଡିନଥିଲା । ତାହାର କାରଣ ହେଉଛି ବିଜେପିର ନାହିଁ ତୃଣମୂଳ ସଂଗଠନ । ୨୦୧୪ରୁ ୨୦୧୯ ମଧ୍ୟରେ ବିଜେପି ସୃଷ୍ଟି କରିଥିବା ମହୋଲ, ଏବେ ଆଉ ନାହିଁ । ଓଡିଶାରେ କ୍ଷମତା ଦଖଲ ପାଇଁ ବିଜେପି ସିରିୟସ ନୁହେଁ ବୋଲି ଲୋକଙ୍କ ପାଖକୁ ବାର୍ତ୍ତା ଯାଇଛି । ଯାହାର ପ୍ରଭାବ ଗତ ନିର୍ବାଚନରେ ପଡିଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ୨୦୨୨ ରେ ପାଇଥିଲା ମାତ୍ର ୫ ପ୍ରତିଶତ ଭୋଟ । ବିଜେଡି ପାଇଥିଲା ୮୯ ପ୍ରତିଶତ ଭୋଟ ।

ବିଜେଡିକୁ କ୍ଷମତାଚ୍ୟୁତ କରିବା ଲାଗି ବିଜେପି ବଳ ଗୋଟାଉ ଥିବାବେଳେ ସମସ୍ୟା ହେଉଛି ଦଳର ଦୁର୍ବଳ ସଂଗଠନ । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଂଗଠନ ସୃଷ୍ଟି କରିବାକୁ ଅଣ୍ଟା ଭିଡିଛି ବିଜେପି । ଏଥିରେ ରାଜ୍ୟ ବିଜେପି କେତେ ସଫଳ ହେଉଛି ତାହାରି ଉପରେ ରାଜ୍ୟବାସୀଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.