କେନ୍ଦ୍ରରେ ବିଜେପି ସରକାରକୁ ୯ବର୍ଷ ପୂର୍ତ୍ତି, ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

author img

By

Published : May 29, 2023, 6:39 PM IST

ବିଜେପି ସରକାରର ୯ ବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ରରେ ବିଜେପି ସରକାରକୁ ୯ ବର୍ଷ ପୂର୍ତ୍ତିକୁ ନେଇ ଭୁବନେଶ୍ବରରେ ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ ଜି କିଷାନ ରେଡ୍ଡୀ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୯ ବର୍ଷର ବିଜେପି ସରକାରର ଉପଲବ୍ଧିି ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବିଜେପି ସରକାରର ୯ ବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ରରେ ବିଜେପି ସରକାରକୁ ୯ ବର୍ଷ ପୂର୍ତ୍ତିକୁ ନେଇ ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ୯ ବର୍ଷର ଉପଲବ୍ଧି ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ଓ ଭାରତର ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି କିଷାନ ରେଡ୍ଡୀ ।

୨୦୨୪ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଲା ବିଜେପି । ଭ୍ରଷ୍ଟାଚାର ବଡ ମୁଦ୍ଦା ଥିଲା । ଦକ୍ଷ ନେତୃତ୍ବର ଆବଶ୍ୟକତା ଥିଲା । ଭ୍ରଷ୍ଟାଚାର ମୁକ୍ତ ଭାରତ ନାରା ସହ ୨୦୧୪ ନିର୍ବାଚନ ଲଢିଥିଲା ବିଜେପି । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲା ବେଳେ ରିମୋଟ କଣ୍ଟ୍ରୋଲ ସରକାର ଥିଲା ବୋଲି ବିଜେପି ଅଭିଯୋଗ କରିଛି । ସୋନିଆ ଗାନ୍ଧୀ କ୍ୟାପ ଖୋଲି ପେନ୍ ଦେଉଥିଲେ ଓ ମନମୋହନ କେବଳ ଫାଇଲରେ ସାଇନ୍ କରୁଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜି କିଷାନ ରେଡ୍ଡୀ । ତେବେ ୯ ବର୍ଷ ପୂର୍ବେ ଦେଶର ଲୋକଙ୍କ ଆଗରେ ବିଜେପି ସରକାର ଦ୍ବାରା ୨୦୧୪ରେ ୨ଟି ପ୍ରମୁଖ ପ୍ରସଙ୍ଗ ନେଇ ଆସିଥିଲା । ଭ୍ରଷ୍ଟାଚାର ଏବଂ ଦକ୍ଷ ନେତୃତ୍ବର ମୁଦ୍ଦା ନେଇ ସରକାରକୁ ଆସିଥିଲା ବିଜେପି ।

୯ ବର୍ଷ ଭିତରେ ବିଜେପି ସରକାରର ଉପଲବ୍ଧିି: ମୋଦି ସରକାରଙ୍କ ସଫଳତା ବଖାଣିବାକୁ ଯାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "କୋଭିଡ୍ ସମୟରେ ସ୍ବଦେଶୀ ଟୀକା ପ୍ରସ୍ତୁତ କରାଯାଇଛି । ବିଶ୍ବର ସର୍ବ ବୃହତ୍ ଟୀକାକରଣ ଅଭିଯାନ ସଫଳତାର ସହ ହୋଇଛି । ୨୨୦ କୋଟି ମାଗଣା ଟୀକା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର । ୩ କୋଟି ୫୦ ଲକ୍ଷ ଘର । ସେଥିରେ ୬୫ ପ୍ରତିଶତ ମହିଳାଙ୍କୁ ପକ୍କା ଘର ମିଳିଛି । ମହିଳାଙ୍କୁ ମିଳିଛି ସମ୍ମାନ । ସ୍ବଚ୍ଛ ଭାରତ ଯୋଜନାରେ ୧୧ କୋଟି ୭୨ ଲକ୍ଷ ଶୌଚାଳୟ, ୨୦୨୩ ସୁଦ୍ଧା ଗ୍ରାମାଞ୍ଚଳରେ ୧୦୦ ପ୍ରତିଶତ ଶୌଚାଳୟ । ୧୨ କୋଟିରୁ ଅଧିକ ଘରକୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ । ଉଜ୍ଵଳା ଯୋଜନା ମାଧ୍ୟମରେ ୯ କୋଟି ୬୦ ଲକ୍ଷରୁ ଅଧିକ ପରିବାରକୁ ମିଳିଛି ମାଗଣା ଗ୍ୟାସ ସଂଯୋଗ । କୋଭିଡ ସମୟରେ ୮୦ କୋଟି ପରିବାରଙ୍କୁ ମାଗଣା ରାସନ ଦେଇଛନ୍ତି ମୋଦି ସରକାର । ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତା । ହେଲେ ଓଡ଼ିଶା ଏଥିରୁ ବଞ୍ଚିତ । ୧ ଟଙ୍କାରେ ସାନିଟାରୀ ପ୍ୟାଡ ଯୋଗାଇ ଦିଆଯାଉଛି । ୯,୩୦୦ ଶହରୁ ଅଧିକ ଜନୌଷଧି କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ଔଷଧ । ୮ ବର୍ଷ ଭିତରେ ଥରେ ମଧ୍ୟ ସାର ଦର ବୃଦ୍ଧି କରାଯାଇନାହିଁ । ଚାଷୀଙ୍କୁ ଯଥେଷ୍ଟ ପରିମାଣରେ ସାର ଯୋଗାଇ ଦିଆଯାଉଛି । ପିଏମ କିଷାନ ଯୋଜନାରେ ବିହନ କିଣିବା ପାଇଁ ଆଉ ଦରକାର ହେଉନି ଋଣ । ପ୍ରତି ବର୍ଷ ୬ ହଜାର ଟଙ୍କାର ସହାୟତା ଦେଉଛି କେନ୍ଦ୍ର । ଉଚ୍ଚଶିକ୍ଷା କ୍ଷେତ୍ରରେ ଅର୍ଥନୈତିକ ଅନଗ୍ରସର ବା EWS ମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ । ପଛୁଆ ବର୍ଗ କମିଶନ ଗଠନ କରିବା ସହ ସାମ୍ବିଧାନିକ ଅଧିକାର ପ୍ରଦାନ କରାଗଲା । ଦିବ୍ୟାଙ୍ଗ ବର୍ଗ ସଂରକ୍ଷଣ ୭ରୁ ୨୧କୁ ବୃଦ୍ଧି କରାଯାଇଛି ।"

ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉପଲବ୍ଧି: ଏନେଇ ସେ ସୂଚନା ଦେଇ କହିଛନ୍ତି, "ପୋର୍ଟ, ବିମାନ ବନ୍ଦର, ପିଏମ ଗତିଶକ୍ତି ଦ୍ଵାରା ଭିତ୍ତିଭୂମି, ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ । ଏବେ ସୁଦ୍ଧା ୨୦ଟି ଟ୍ରେନ ଚାଲୁ ହେଲାଣି । 74 ନୂଆ ଏୟାର ପୋର୍ଟ ପ୍ରତିଷ୍ଠା ହୋଇଛି । ୯ ବର୍ଷ ଭିତରେ ୫୩, ୮୬୮ କିମି ନୂଆ ଜାତୀୟ ରାଜପଥ ନିର୍ମାଣ ହୋଇଛି । ୯ ବର୍ଷ ଭିତରେ ୧୫ଟି ସହରରେ ମେଟ୍ରୋ ଟ୍ରେନ । ୮୬୦ କିମି ମେଟ୍ରୋ ଲାଇନ୍ ହୋଇଛି । ୯ ବର୍ଷରେ ୭୦୦ ମେଡିକାଲ କଲେଜ । ୯ ବର୍ଷରେ ୬୯ ହଜାର ୬୬୩ ମେଡିକାଲ ସିଟ୍‌ । ୧୫ଟି ନୂଆ ଏମ୍ସ, ୯ ବର୍ଷରେ ୭ଟି ନୂଆ ଆଇଆଇଟି, ୭ଟି ନୂଆ ଆଇଆଇମ, ବିଶ୍ଵର ପ୍ରଥମ ଲିକୁଇଡ ନାନୋ ୟୁରିଆ ପ୍ଲାଣ୍ଟ, ରେଳ ଷ୍ଟେସନ ଗୁଡ଼ିକୁ ବିଶ୍ଵସ୍ତରୀୟ କରାଯାଇଛି । କାଶ୍ମୀରରେ ବିଶ୍ବର ସର୍ବୋଚ୍ଚ ବ୍ରିଜ । ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି, ଦୀର୍ଘତମ ଜାତୀୟ ରାଜପଥ ଅଟଳ ଟନେଲ କରିଛି ବିଜେପି ସରକାର ।"

ଐତିହାସିକ ପଦକ୍ଷେପ: ୯ ବର୍ଷରେ ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଡିଜିଟାଲ ଇଣ୍ଡିଆ ବିପ୍ଳବ । ଡିବିଟି, ଜନଧନ, ଆଧାର, 5G ସେବା । ରପ୍ତାନୀ ବଢିଛି । ମୋବାଇଲ, ଅଟୋମୋବାଇଲ ମାନୁଫାକ୍‌ଚରିଂ ବଢିଛି, ୧୦୦ରୁ ଊର୍ଦ୍ଧ୍ବ ୟୁନିକର୍ଣ୍ଣ, ୧ ଲକ୍ଷରୁ ଅଧିକ ଷ୍ଟାଟଅପ୍ କମ୍ପାନୀ ଗଢି ଉଠିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ୪ ଦଶନ୍ଧି ପରେ ନୂଆ ଶିକ୍ଷାନୀତି ପ୍ରଣୟନ । କୌଶଳ ବିକାଶ ତାଲିମ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି । କ୍ରୀଡା କ୍ଷେତ୍ରରେ ଗୁରୁତ୍ଵ । ପର୍ଯ୍ୟଟନ ବିକାଶ ଏବଂ ଐତିହ୍ୟ ସୁରକ୍ଷା ଓ ପୁନରୁଦ୍ଧାର । ଅଯୋଧ୍ୟାରେ ରାମ ମନ୍ଦିର, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ।"

ସେହିଭଳି ଦେଶ ସୁରକ୍ଷା ପାଇଁ ନାସନାଲ ସିକ୍ୟୁରିଟି ପାରାମାଉଣ୍ଟ, ସର୍ଜିକାଲ ଏବଂ ଏୟାର ଷ୍ଟ୍ରାଇକ, ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସୀମାବର୍ତ୍ତି ଅଞ୍ଚଳରେ ରାସ୍ତା ଏବଂ ବ୍ରିଜ ନିର୍ମାଣ । ସିରିଆ, ଆଫଗାନିସ୍ଥାନ ଭଳି ଦେଶରୁ ବିପଦ ସମୟରେ ୨୦ ହଜାରରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । କୋଭିଡ ସମୟରେ ୨ କୋଟି ୯୭ ଲକ୍ଷ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । G20 ବୈଠକରେ ଭାରତ ଅଧ୍ୟକ୍ଷତା କରିବା ମୋଦି ସରକାରର ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.