ETV Bharat / state

Odisha Assembly: ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଲା ବିଜେଡି, ଘାଣ୍ଟି ଦେଲେ ବିରୋଧୀ ଦଳନେତା

author img

By

Published : Mar 22, 2023, 5:05 PM IST

Etv Bharat
Etv Bharat

ଆଜି ଶୂନ୍ୟକାଳରେ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ କହିଛନ୍ତି, ‘‘1947 ମସିହାରେ ଯେତେବେଳେ ଡା. ଅଯୋଧ୍ୟାନାଥ ଖୋସଲା ସେଣ୍ଟ୍ରାଲ ୱାଟରୱେଜ ନେଭିଗେସନ ଏଜେନ୍ସୀ ଅଥରୀଟିର ଅଧ୍ୟକ୍ଷ ଥିଲେ ଏହି ଅନ୍ତରାଜ୍ୟ ନଦୀର ଜଳ ଆବଣ୍ଟନ ହୋଇଥିଲା । କେଉଁ ରାଜ୍ୟକୁ କେତେ ଜଳ ମିଳିବ ତାର ଆକଳନ କରାଯାଇଥିଲା । ସେତେବେଳେ କରାଯାଉଥିବା ଆକଳନ ଅନୁସାରେ ହୀରାକୁଦ ଉପର ମୁଣ୍ଡରେ ପ୍ରଭାବ 12.47 ମିଲିୟନ ଏକର ଫିଟ ଜଳ ଓଡିଶା ପାଇବ ।" ଅଧିକ ପଢନ୍ତୁ

ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଲା ବିଜେଡି, ଘାଣ୍ଟି ଦେଲେ ବିରୋଧୀ ଦଳନେତା

ଭୁବନେଶ୍ବର: ମହାନଦୀ ଆମର ଏକ ପ୍ରମୁଖ ନଦୀ । ରାଜ୍ୟର 15 ରୁ 16 ଜିଲ୍ଲାର ଜୀବନ ରେଖା । ପ୍ରାୟ ଅଢେଇ କୋଟି ଲୋକ ମହାନୀଦ ଜଳ ଉପରେ ନିର୍ଭରଶୀଳ । କିନ୍ତୁ ଆଜି ବିଶ୍ବ ଜଳ ଦିବସରରେ ମହାନଦୀରେ ପାଣି ନାହିଁ । ଦୀର୍ଘଦିନର ନୀରବତା ପରେ ଆଜି ଚାପରେ ହେଉ ବା ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ପୁଣି ଥରେ ମହାନଦୀ ପ୍ରସଙ୍ଗକୁ ଫେରିଛି । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ଆଜି ଶୂନ୍ୟକାଳରେ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ କହିଛନ୍ତି, ‘‘1947 ମସିହାରେ ଯେତେବେଳେ ଡା. ଅଯୋଧ୍ୟାନାଥ ଖୋସଲା ସେଣ୍ଟ୍ରାଲ ୱାଟରୱେଜ ନେଭିଗେସନ ଏଜେନ୍ସୀ ଅଥରୀଟିର ଅଧ୍ୟକ୍ଷ ଥିଲେ ଏହି ଅନ୍ତରାଜ୍ୟ ନଦୀର ଜଳ ଆବଣ୍ଟନ ହୋଇଥିଲା । କେଉଁ ରାଜ୍ୟକୁ କେତେ ଜଳ ମିଳିବ ତାର ଆକଳନ କରାଯାଇଥିଲା । ସେତେବେଳେ କରାଯାଉଥିବା ଆକଳନ ଅନୁସାରେ ହୀରାକୁଦ ଉପର ମୁଣ୍ଡରେ ପ୍ରଭାବ 12.47 ମିଲିୟନ ଏକର ଫିଟ ଜଳ ଓଡିଶା ପାଇବ । ଅବିଭକ୍ତ ମଧ୍ୟପ୍ରଦେଶ 8.33 ମିଲିୟନ ଏକର ଫିଟ ଜଳ ପାଇବ । ଜଳ ଆବଣ୍ଟନରେ ମହାରାଷ୍ଟ୍ର ଓ ଝାଡଖଣ୍ଡ ମଧ୍ୟ ଥିଲେ । କିନ୍ତୁ ଛତିଶଗଡ ନୂଆ ରାଜ୍ୟ ଗଠନ ହେବା ପରେ ସେଠାକାର ସରକାର ସବୁ ଆଇନ ଉଲ୍ଲଙ୍ଘନ କରି 27.47 ମିଲିୟନ ଏକର ଫିଟ ଜଳର ଏକ ଭୁଲ ଆକଳନ ଦେଇ ନିଜ ଅଞ୍ଚଳରେ ମନ ଇଚ୍ଛା ଡ୍ୟାମ ବ୍ୟାରେଜ ନିର୍ମାଣ କରିଚାଲିଲେ । ପରିବେଶ ମଞ୍ଜୁରୀ ନଥାଇ ମଧ୍ୟ ନିର୍ମାଣ କରିଛନ୍ତି । ଯାହା 2016 ମସିହାରେ ଧରାପଡିଛି ।’’

ଦେବୀ ମିଶ୍ର କହିଛନ୍ତି ପ୍ରସଙ୍ଗ ହେଉଛି ଅଣମୌସୁମୀ ସମୟରେ ମହାନଦୀର ଜଳ ପ୍ରଭାବ ବନ୍ଦ ହୋଇଯାଇଛି । ବର୍ଷା ଦିନେ ତ ବର୍ଷା କାରଣରୁ ପାଣି ଆସୁଛି । ହେଲେ ମହାନଦୀ ଜଳ ବିବାଦକୁ ନେଇ ଗଠିତ ହୋଇଥିବା ଟ୍ରିବ୍ୟୁନାଲରେ ଓଡିଶା ଅଣମୌସୁମୀ ସମୟ ନଭେମ୍ବରରରୁ ମେ’ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ରାୟ ବଳରେ ଅତିକମରେ 2 ମିଲିୟନ ଏକର ଫିଟ ଜଳ ଦେବାକୁ ଦାବି କରାଯାଇଥିଲା । କିନ୍ତୁ ଛତିଶଗଡ ଶୁଣୁନାହିଁ । ସେତେବେଳେ ରମଣ ସିଂ ସରକାର ଥିଲେ । କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଥିଲା । ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥାଇ ଓଡିଶାର ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ । ସିଡବ୍ଲୁସି ମଧ୍ୟ କିଛି କଲା ନାହିଁ । ଛତିଶଗଡରେ ସରକାର ପରିବର୍ତ୍ତନ ହେଲା ପରେ ମଧ୍ୟ କିଛି ଲାଭ ହେଲା ନାହିଁ । ଯଦ୍ବାରା ଅଣ ମୌସୁମୀ ସମୟରେ ମହାନଦୀରେ ପାଣିନଥିବା କାରଣରୁ ଓଡିଶାର 15 ଜିଲ୍ଲାର ପାଖାପାଖି ଅଢେଇ କୋଟି ଲୋକ ପ୍ରଭାବିତ ହେବା ସହ କୃଷି କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ । ଯାହାକୁ ନେଇ ବିଧାନସଭାରେ ଦାବି କରିଛି । ବାଚସ୍ପତି ଅନ୍ୟ ଫୋରମରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ବିଭାଗୀୟ ମନ୍ତ୍ରୀଙ୍କୁ ଏସମ୍ପର୍କରେ ବିବୃତ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେବୀ ମିଶ୍ରଙ୍କୁ ସମର୍ଥନ କରି ଶାସକ ଦଳ ସଦସ୍ୟ ମାନେ ଗୃହରେ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ ।

ଅନ୍ୟପଟେ ଶୂନ୍ୟକାଳରେ ଶାସକ ଦଳର ମହାନଦୀ ଚିନ୍ତା ଦେଖି, କଡା ଆକ୍ରମଣ କରିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ଜୟ କହିଛନ୍ତି ଯେ ଆଜି ଶାସକ ଦଳ ହୋଇ ବିଜେଡି ଦଳ ବିରୋଧୀଙ୍କ ଭଳି ଆଭିମୁଖ୍ୟ ଆପଣାଇଛି । ଆମେ ଦାବି କରିଥିଲୁ ବିଜେଡି ଯଦି ଆଲୋଚନା ଚାହୁଁଛି ଏଥିପାଇଁ ଗୋଟିଏ ସ୍ବତନ୍ତ୍ର ମୋସନ ଆଣନ୍ତୁ । ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । ବିଜେଡି ସବୁବେଳେ କୁହେ ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ଆଜି ତାହାର ଓଲଟା ହେଲା । ଜୟ କହିଛନ୍ତି ରାଜ୍ୟର ନଦୀ, ଝରଣା ଯୋର ଗୁଡିକରେ ପାଣି ବୋହିଯାଉଛି । ଓଡିଶା ସରକାରଙ୍କର କଣ କୌଣସି ଦାୟିତ୍ବ ନାହିଁ? ବୋହି ଯାଉଥିବା ପାଣି ଅଟକାଇବାକୁ । କାହିଁକି ଜଳନୀତି ଆଣୁନାହାଁନ୍ତି? ମହାନଦୀ ପାଇଁ କୌଣସି ଚିନ୍ତା ନାହିଁ କେବଳ ସରକାର ଓ ବିଜେଡି ଡ୍ରାମା କରୁଛି ବୋଲି ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.