ETV Bharat / state

Assembly Monsoon Session: ଦିନକ ଆଗରୁ ସରିଲା ଅଧିବେଶନ, 28200 କୋଟିର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ପାରିତ

author img

By ETV Bharat Odisha Team

Published : Oct 3, 2023, 10:21 PM IST

Updated : Oct 3, 2023, 10:40 PM IST

Odisha Assembly Monsoon Session
Odisha Assembly Monsoon Session

ଦିନକ ପୂର୍ବରୁ ଆଜି ଶେଷ ହୋଇଛି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ଶେଷ ଦିନରେ 28,200 କୋଟିର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ପାରିତ । ଅଧିକ ପଢ଼ନ୍ତୁ

ଦିନକ ଆଗରୁ ସରିଲା ଅଧିବେଶନ

ଭୁବନେଶ୍ବର: ଦିନକ ପୂର୍ବରୁ ଆଜି ଶେଷ ହୋଇଛି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ବିରୋଧୀଙ୍କ ହୋହଲ୍ଲା ଭିତରେ ଗୋଟିଏ ଦିନ ପୂର୍ବରୁ ସରିଛି ଅଧିବେଶନ । ଶେଷ ଦିନରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ । 28 ହଜାର 200 କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ବିଧାନସଭାର ସିକୃତି ଲାଭ କରିଛି । ଚଳିତ ଅଧିବେଶନରେ 12ଟି ବିଲ ପାରିତ ହୋଇଛି ।

ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଓ ଶାସକଙ୍କ ହଟ୍ଟଗୋଳ ଯୋଗୁଁ ଗୋଟିଏ ବି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନାହିଁ । ଅନେକ ଜନସ୍ବାର୍ଥ୍ୟ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହୋଇଥିବାରୁ ବାଚସ୍ପତି, ଉପବାଚସ୍ପତି ଓ ଅନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଅଧିବେଶନରେ 12ଟି ବିଲ ପାରିତ ହୋଇଛି । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ, ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ବିଲ, ନିଷ୍ଟ ଓ ସିଲିକନ ଏକକ ବିଶ୍ବବିଦ୍ୟାଳୟ ବିଲ, ଏସସି ଏସଟି ସଂଶୋଧନ ବିଲ, ଓଡ଼ିଶା ଜିଏସଟି ସଂଶୋଧନ ବିଲ, ଭୂଅର୍ଜନ ପୁର୍ନବାସ ଓ ଥଇଥାନ ସଂଶୋଧନ ବିଲ, ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ ପାରିତ ହୋଇଛି ।

ଏହା ବି ପଢନ୍ତୁ- ଶ୍ରଦ୍ଧା କିଏ ଚର୍ଚ୍ଚାର ଅବସାନ ! ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ଗଣତନ୍ତ୍ର ବିରୋଧୀ ସରକାର । ଜାଣିଶୁଣି ବିଧାନସଭା ବନ୍ଦ କରିଦେଲେ । ବିଧାନସଭାରେ ଯାହା ଆଲୋଚନା ହେବା କଥା ଆଲୋଚନା ହୋଇପାରିଲା ନାହିଁ । ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ଅଗଣତାନ୍ତ୍ରିକ ଭାବେ ଦୁଇ ଜଣ ବିଧାୟକଙ୍କୁ ସସପେଣ୍ଡ କରାଗଲା । ଆମେ 5ଟି ସମ୍ବନ୍ଧିତ ଅନେକ ପ୍ରଶ୍ନ ଉଠାଇଥିଲୁ ତାହାକୁ ପ୍ରତ୍ୟାଖ୍ୟାନ କରିଦିଆଗଲା । ହଜାର ହଜାର ଲୋକ ବିଧାନସଭା ବାହାରେ ଆନ୍ଦୋଳନ କରୁଛନ୍ତି, ସେ ବାବଦରେ ଆଲୋଚନା ହୋଇପାରିଲା ନାହିଁ । ସର୍ବଦଳୀୟ ବୈଠକ ପରେ ଶାସକ ଦଳ ବିଧାନସଭାକୁ ଅଚଳ କରିଦିଅନ୍ତି । ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟରେ ଶାସକ ଦଳ ସମ୍ପୃକ୍ତ ହୋଇଛି ।"

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "କାହା ମନରେ ଖୁସି ନାହିଁ । କାରଣ ହଜାର ହଜାର ଲୋକ ରାଜରାସ୍ତାରେ ଶୋଇଛନ୍ତି । ଶିକ୍ଷକ, ଡାକ୍ତର, ଆଶା, ଅଙ୍ଗନବାଡ଼ି, ଅଧ୍ୟାପକ, ଗାଁ ସାଥୀ, ସରପଞ୍ଚ ଓ ସମିତିସଭ୍ୟ ରାଜରାସ୍ତାରେ ଶୋଇଛନ୍ତି । ଏହା ଉପରେ ଥରେ ବି ଆଲୋଚନା ହୋଇପାରିଲା ନାହିଁ । କାଳେ ଆଲୋଚନା ହୋଇଯିବ ସେଥିପାଇଁ ଉଭୟ ବିଜେଡି ଓ ବିଜେପି ଜାଣିଶୁଣି ଗୃହକୁ ବନ୍ଦ କରିଦେଲେ । ଉଭୟ ଡ୍ରାମା କରୁଛନ୍ତି । ଜାତୀୟ ରାଜପଥ, କେନ୍ଦୁପତ୍ର କଥା ଉଠେଇଲେ । ଆଗରୁ ଏମାନଙ୍କର ମନେ ନଥିଲା । ନିର୍ବାଚନ ଆସିଲା ବୋଲି ଏହି 8 ଦିନ ହେଲା ମନେ ପଡିଲା । ବିଜେପି ଯେତେବେଳେ ସଂସଦରେ କଂଗ୍ରେସ ଦଳର ସସପେଣ୍ଡ କଲେ ସେତେବେଳେ କିଛି କହିଲେ ନାହିଁ । ଏଠି ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ । ଜନ ସାଧାରଣଙ୍କୁ ଅନୁରୋଧ ଉଭୟ ଦଳଙ୍କୁ ବିଶ୍ଵାସ କରନ୍ତୁ ନାହିଁ । ଲୋକଙ୍କ ଟଙ୍କା ଖାଇ ଲୋକଙ୍କ କଥା କହିବା ବଦଳରେ ବନ୍ଦ କଲେ ।"

ଏହା ବି ପଢନ୍ତୁ- ବାଚସ୍ପତିଙ୍କୁ ଡାଲିମାଡ଼ ପ୍ରସଙ୍ଗ: କ'ଣ କହିଲେ ସାଂସଦ ଭର୍ତ୍ତୃହରି? ଶୁଣନ୍ତୁ...

ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଚଳିତ ମୌସୁମୀ ଅଧିବେଶନର 8ଟି କାର୍ଯ୍ୟ ଦିବସ ଥିଲା । ଆଜି ସପ୍ତମ ଦିନ । ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପରିତ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ହୋଇଛି । ସେଥିପାଇଁ ଗୃହର ସଭ୍ୟ ଓ ସଭ୍ୟାଙ୍କୁ ଧନ୍ୟବାଦ ଜଣାଇବି । ଆଉ କୌଣସି ସରକାରୀ କାର୍ଯ୍ୟ କାଲି ନଥିଲା । ଏବଂ ବିରୋଧୀ ଦଳ ପକ୍ଷରୁ ଯେଉଁ ବାତାବରଣ ଗୃହରେ ଥିଲା ଏହାକୁ ଦୃଷ୍ଟିରେ ରଖି ଗୃହ ମୁଲତବୀ ପାଇଁ ପ୍ରସ୍ତାବ ଦେଇଥିଲୁ । ବାଚସ୍ପତି ତାହାକୁ ଘୋଷଣା କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 3, 2023, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.