ସଡ଼କ ଦୁର୍ଘଟଣା ନେଲା ଡାକ୍ତରଙ୍କ ଜୀବନ, ତିନିମାସ ତଳେ ହୋଇଥିଲା ବିବାହ

author img

By

Published : May 28, 2023, 8:38 PM IST

ସଡ଼କ ଦୁର୍ଘଟଣା ନେଲା ଡାକ୍ତରଙ୍କ ଜୀବନ

ଗତ 3 ମାସ ତଳେ ହୋଇଥିଲା ଡାକ୍ତରଙ୍କ ବିବାହ । ହେଲେ ସଡ଼କ ଦୁର୍ଘଟଣାରେ ଯୁବ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ପରିବାରଠୁ ଆରମ୍ଭ କରି ପଡ଼ୋଶୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ

ସଡ଼କ ଦୁର୍ଘଟଣା ନେଲା ଡାକ୍ତରଙ୍କ ଜୀବନ

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ନେଲା ଯୁବ ଡାକ୍ତରଙ୍କ ଜୀବନ । ଭୁବନେଶ୍ବରର ନୟାପଲ୍ଲୀ ଥାନା ବରମୁଣ୍ଡା ହାଉସିଂ ବୋର୍ଡ ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଘଟିଯାଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ପାଖରେ ଥିବା ଏକ ହମ୍ପ୍ସ ଓ ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଯୁବ ଡାକ୍ତର । ଦୁର୍ଘଟଣା ଘଟିବା ପରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ସ୍ଥାନୀୟଲୋକେ । ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ହେଉଛନ୍ତି ସମ୍ ହସ୍ପିଟାଲରେ କାର୍ଯ୍ୟରତ ମେଡିସିନ Oncology ବା କ୍ୟାନ୍ସର ରୋଗ ବିଭାଗର ଡ଼ାକ୍ତର ମନୋଜ କୁମାର ଓଙ୍କାର।

ବିଡ଼ମ୍ବନାର କଥା ହେଉଛି, ମାତ୍ର ତିନିମାସ ତଳେ ମନୋଜଙ୍କ ବିବାହ ହୋଇଥିଲା । ଖବର ପାଇବା ପରେ କ୍ୟାପିଟାଲ୍‌ ହସ୍ପିଟାଲରେ ଡାକ୍ତରଙ୍କ ପରିବାର ଓ ସମ୍ପର୍କୀୟଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତାଙ୍କର ଏଭଳି ଅକାଳ ବିୟୋଗ ପରେ ପରିବାରରେ ଖେଳିଯାଇଛି ଶୋକର ଛାୟା । ଅପରପକ୍ଷେ ମୃତ୍ୟୁ ଖବର ପାଇବା ପରେ ନବ ବିବାହିତା ପତ୍ନୀଙ୍କ ଚେତା ରହୁନି । ସୂଚନା ମୁତାବକ, ବ୍ରହ୍ମପୁର ମେଡିକାଲ ପାଖରେ ଥିବା ବ୍ୟାଙ୍କ କଲୋନିରେ ମନୋଜ କୁମାର ଓଙ୍କାରଙ୍କ ଘର । ଡାକ୍ତରୀ ପାଠପଢା ପରେ ଭୁବନେଶ୍ୱରରେ ସମ୍ ହସ୍ପିଟାଲରେ ସେ ମେଡିସିନ୍‌ Oncology ବିଭାଗରେ କାର୍ଯ୍ୟ କରୁଥିଲେ।

ଗତ 3 ମାସ ତଳେ ଫେଵୃଆରୀ ମାସ 28ତାରିଖରେ କଟକରେ ହୋଇଥିଲା ଡକ୍ଟର ମନୋଜଙ୍କ ବିବାହ। ମନୋଜଙ୍କ ପତ୍ନୀ କଟକରେ ସ୍ଥିତ ଏକ ହସ୍ପିଟାଲରେ କାର୍ଯ୍ୟରତ ଥିବାରୁ ସେ କଟକର ରୁହନ୍ତି । ତେଣୁ ଶନିବାର ବିଳମ୍ବିତ ରାତିରେ ନିଜ‌ ଡ୍ୟୁଟି ସାରି ମନୋଜ କଟକ ଫେରୁଥିଲେ । ୨୮ତାରିଖକୁ ନିଜ ବିବାହର ତିନିମାସ ପୁରଣ ହେଉଥିବାରୁ ପତ୍ନୀଙ୍କ ସହ ସମୟ କାଟିବାକୁ ବାହାରିଥିଲେ ହେଲେ ଦଇବ ଦାଉ ସାଧିଲା ଭଳି ତାଙ୍କର ସବୁ ଆଶା ଅଧାରେ ରହିଯାଇଛି ।

ତିନି ମାସ ତଳେ ଧୁମଧାମରେ ବିବାହ କରିଥିବା ପୁଅର ଏପରି ଅବସ୍ଥା ଦେଖିବାକୁ ମିଳିବ ବୋଲି ସ୍ବପ୍ନର ସୁଧା ଭାବି ନଥିଲେ ବୋଲି କହି ଭାଙ୍ଗିପଡିଛନ୍ତି ଯୁବ ଡାକ୍ତରଙ୍କ ପରିବାର । ବାପା ମାଆଙ୍କର ବଡ଼ ପୁଅ ମନୋଜ ସ୍ବଭାବରେ ବହୁତ ଭଲ ଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ସମ୍ପର୍କୀୟ । ଏହାସହ ତିନିମାସ ତଳେ ଆମେ ବାହାଘରରେ ବରଯାତ୍ରୀ ଯାଇ ବେଶ ଧୁମଧାମରେ ନାଚିଥିଲୁ ହେଲେ ଆଜି ଏମିତି ହେବ ବିଶ୍ବାସ ହେଉନି ଏବଂ ଭାଇଙ୍କ କଥା ବହୁତ ମନେ ପଡ଼ିବ ବୋଲି କହିଛନ୍ତି ମନୋଜଙ୍କ ପଡ଼ୋଶୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.