ETV Bharat / state

ଆଜି ନନ୍ଦନକାନନ ପ୍ରତିଷ୍ଠା ଦିବସ, ବାଘ ଓ ସିଂହ ଛୁଆର ହେବ ନାମକରଣ

author img

By ETV Bharat Odisha Team

Published : Dec 29, 2023, 10:04 AM IST

Nandankanan Foundation Day
Nandankanan Foundation Day

Nandankanan Foundation Day: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳୁଛି ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆଜି ଉଦଘାଟନ ହେବ ବାଉଁଶ ଉଦ୍ୟାନ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପର୍ଯ୍ୟଟକଙ୍କୁ ନୂଆ ଭେଟି ଦେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ଉଦ୍ଭିଦ ଉଦ୍ୟାନରେ ଉଦଘାଟିତ ହେବ ବାଉଁଶ ଉଦ୍ୟାନ । ଯାହା ୪.୪ ଏକର ଜାଗାରେ ନିର୍ମିତ କରାଯାଇଛି । ଏଠାରେ ପ୍ରାୟ ୭୦ ପ୍ରକାରର ବାଉଁଶ ଗଛ ପର୍ଯ୍ୟଟକ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏହି ବାଉଁଶ ଗଛ ଉପରେ ଜ୍ଞାନ ଆହରଣ କରିପାରିବେ ।

ସେହିପରି ଆଜି ମୋଗଲ ଉଦ୍ୟାନକୁ ମଧ୍ୟ ଉଦଘାଟନ କରାଯିବ । ଯେଉଁଥିରେ ୨୨୫ ପ୍ରଜାତିର ଜଳଜ ଉଦ୍ଭିଦ, ଜଳଜ ଘାସ, ଭାସମାନ ଉଦ୍ଭିଦ ସହିତ ୪୪ ପ୍ରକାରର କଇଁ ଫୁଲ ଆଦି ରହିଛି । ଅନ୍ୟପଟେ ଦୁବାଇ ସଫାରୀରୁ ଆସିଥିବା ୱାଲିବି ପର୍ଯ୍ୟଟକଙ୍କ ଦେଖିବା ପାଇଁ ଛଡ଼ାଯିବ । ଆଜି ବାଘ ଓ ସିଂହ ଛୁଆଙ୍କ ନାମକରଣ ମଧ୍ୟ କରାଯିବ । ସେହିପରି ନୂତନ ଭାବେ ଆସିଥିବା ଓଷ୍ଟ୍ରିସକୁ ଏନକ୍ଲୋଜରରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ । ଏହାସହ ନନ୍ଦନକାନନର ଥିମ୍ ସଙ୍ଗୀତ ରିଲିଜ୍ କରାଯିବ । NIMS (ନନ୍ଦନକାନନ୍ ଇଣ୍ଟିଗ୍ରେଟେଡ୍ ମନିଟରିଂ ସିଷ୍ଟମ୍) ଆପ୍‌ର ମଧ୍ୟ ଶୁଭାରମ୍ଭ ହେବ । ରାଜ୍ୟ ବଟାନିକାଲ୍ ଗାର୍ଡେନର ୱେବସାଇଟ୍ ଲଞ୍ଚ କରାଯିବ । ଅନ୍ୟପକ୍ଷେ ଭଲ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ବଡ଼ଦିନରେ ନନ୍ଦନକାନନରେ ପ୍ରବଳ ଭିଡ଼, ମୁଖ୍ୟ ଆକର୍ଷଣ ରୋପ୍-ୱେ

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ଵସ୍ତରୀୟ କରିବା ପାଇଁ ଉଦ୍ୟମ ହେଉଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅନେକ ଗୁଡ଼ିଏ ଜୀବଜନ୍ତୁଙ୍କୁ ମଧ୍ୟ ଅଣାଯାଉଛି । ଛୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଜୀବଜନ୍ତୁଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଣିବାକୁ ପ୍ରଚେଷ୍ଟା କରାଯାଉଛି । ତେବେ ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି । ସାମିଲ ହେବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ । ଦୁବାଇ ଜୁ ସହ ଏକ୍ସଚେଞ୍ଜ ପ୍ରୋଗ୍ରାମ ଅଧୀନରେ ଜାନୁଆରୀ ମାସରେ ଆସିବେ ଏସବୁ ନୂଆ ଅତିଥି । ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.