ETV Bharat / state

ଆୟର 500% ଅଧିକ ସମ୍ପତ୍ତି ଠୁଳ କରିଥିଲେ ଅତିରିକ୍ତ ଉପଜିଲ୍ଲାପାଳ, ବେନାମୀ ଆକାଉଣ୍ଟ ନେଇ ତନାଘନା

author img

By

Published : Jun 24, 2023, 4:47 PM IST

Updated : Jun 24, 2023, 8:52 PM IST

ବେନାମୀ ଆକାଉଣ୍ଟ ନେଇ ହେଉଛି ତନାଘନା
ବେନାମୀ ଆକାଉଣ୍ଟ ନେଇ ହେଉଛି ତନାଘନା

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ୫ କୋଟି ୨୧ ଲକ୍ଷ ୯ ହଜାର ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିବା ବେଳେ ଏବେ ବେନାମୀ ଆକାଉଣ୍ଟ ନେଇ ହେଉଛି ତନାଘନା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଚତୁର ବୁଦ୍ଧିରେ ତିଆର ହୋଇଥିଲା ସମ୍ପତ୍ତିର ପାହାଡ । ବେନାମୀ ଆକାଉଣ୍ଟରେ ଦୁର୍ନୀତି ଟଙ୍କା କାରବାର । ପେଟିରେ ସଞ୍ଚିଥିଲେ ନଗଦ ଟଙ୍କା ଓ ଗହଣା । ନିରିହ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ବାଲି ମାଫିଆ, ଡିଲର୍ସ ଓ ମିଲର୍ସଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ । ଯାହାର ସତ ଭିଜିଲାନ୍ସ ରେଡ୍ ପରେ ସାମ୍ନାକୁ ଆସିଛି । ତାଙ୍କ ବାସଭବନରୁ ଠାବ ହୋଇଛି ବିଡ଼ା ବିଡ଼ା ଟଙ୍କା ଭର୍ତ୍ତି ପେଟି ସମେତ ଗହଣା ଭର୍ତ୍ତି କାର୍ଟୁନ । ଯାହକୁ ଠାବ କରିବା ପରେ ଅଭିଯୁକ୍ତ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ନିଜ ଆୟଠାରୁ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସାମ୍ନାକୁ ଆସିଛି ।

ଏହାପରେ ରାଉଲକେଲା ଭିଜିଲାନ୍ସ କେସ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ସେଲ ଏସ୍‌ପି ଏମ୍‌ ରାଧାକ୍ରିଷ୍ଣନନ୍‌ । ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଯାଇଛି । ସେଠାରେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ଅତିରିକ୍ତ ଉପଜିଲ୍ଲାପାଳ ନ୍ୟାୟିକ ହାଜତରେ ରହିବେ । ଏସ୍‌ପିଙ୍କ ସୂଚନା ଅନୁସାରେ ଏଯାବତ ଅତିରିକ୍ତ ଉପଜିଲ୍ଲାପାଳଙ୍କର ୫ କୋଟି ୨୧ ଲକ୍ଷ ୯ ହଜାର ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହେଲାଣି । ଯେଉଁଥିରେ ୩ କୋଟି ୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଭୁବନେଶ୍ବରରେ ଦୁଇମହଲା ଘର ଥିବାବେଳେ କଟକ, ଭୁବନେଶ୍ବର ଓ ଉମରକୋଟରେ ୫ଟି ପ୍ଲଟ, ବ୍ୟାଙ୍କ ଓ ବୀମା ୯୨.୩୪ ଲକ୍ଷ ଡିପୋଜିଟ ହୋଇଛି । ୨ଟି କାର ମଧ୍ୟ ଠାବ ହୋଇଛି । ୨୭ ଲକ୍ଷ ଟଙ୍କାର ଗହଣା ମଧ୍ୟ ଜବତ ହୋଇଛି । ତେବେ ଭିଜିଲାନ୍ସ ରେଡ୍ ବେଳେ ପାଇଥିବା ବେନାମୀ ଆକାଉଣ୍ଟକୁ ନେଇ ଅଧିକ ତନାଘନା କରାଯାଉଛି । କାରଣ ବେନାମୀ ଟଙ୍କାର କାରବାର ଆହୁରି ଅନେକ ଲୋକଙ୍କ ନାଁରେ କରିଥାଇ ପାରନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢ଼ନ୍ତୁ...ବନ୍ଧା ହେଲେ କୁବେର ଅତିରିକ୍ତ ଉପଜିଲ୍ଲାପାଳ, ଘରୁ ମିଳିଥିଲା ପେଟି ପେଟି ଟଙ୍କା

ତଦନ୍ତ ବେଳେ ସାମ୍ନାକୁ ଆସିଛି ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରକୁ ଆସୁଥିବା ଛୋଟ ପିଲାଙ୍କ ସ୍କୁଲ ଗାଡ଼ିର ଡ୍ରାଇଭର ନାଁରେ ଡକ୍ୟୁମେଣ୍ଟ । ତାଙ୍କ ନାଁରେ ଇଣ୍ଡସିଣ୍ଡ ବ୍ୟାଙ୍କ ଡମଣା ବ୍ରାଞ୍ଚରେ ଆକାଉଣ୍ଟ ଖୋଲି ସେଥିରେ ବେନାମୀ ଅର୍ଥାତ୍ ଆୟ ବର୍ହିଭୂତ କାରବାର କରୁଥିଲେ । ସେହିପରି କେନ୍ଦ୍ରାପଡ଼ା ରାଜକନିକାରେ ବିଡିଓ ରହିବା ସମୟରେ ମଧ୍ୟ ଜଣେ ମହିଳା ତିଳୋତ୍ତମା ଜେନା ଓ ତାଙ୍କ ଝିଅ ନିବେଦିତା ଜେନା ରାସନ୍ କାର୍ଡ ପାଇଁ ତାଙ୍କୁ ଭେଟି ଆଧାର କାର୍ଡ ଓ ଫଟୋ ଦେଇଥିଲେ । ଏହାକୁ ବ୍ୟବହାର କରି ମଧ୍ୟ ସେ ଚନ୍ଦ୍ରଶେଖରପୁର ଆକ୍ସିସ୍‌ ବ୍ୟାଙ୍କରେ‌ ଦୁଇଟି ଆକାଉଣ୍ଟ ଖୋଲି ତାଙ୍କ ଆକାଉଣ୍ଟ ଜରିଆରେ ବେନାମୀ ଅର୍ଥାତ୍ ଦୁର୍ନୀତିରେ ହେଉଥିବା ଟଙ୍କା କାରବାର କରୁଥିଲେ ଅତିରିକ୍ତ ଉପଜିଲ୍ଲାପାଳ । ଏନେଇ ଏହିସବୁ ବେନାମୀ ଆକାଉଣ୍ଟ ଥିବା ଲୋକଙ୍କୁ ଗୋଟି ଗୋଟି କରି ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ । ତେବେ କିଛି ବ୍ୟାଙ୍କ ଅଧିକାରୀଙ୍କୁ ହାତ କରି ଏପରି ବେନାମୀ ଆକାଉଣ୍ଟ ଖୋଲି ଏପରି କାରବାର କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ବ୍ୟାଙ୍କ କର୍ତ୍ତୃପକକ୍ଷଙ୍କୁ କେବେ ତଦନ୍ତ ପରିସରକୁ ଆଣିବ ଭିଜିଲାନ୍ସ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ନହେଲେ ଭବିଷ୍ୟତରେ ମଧ୍ୟ ଏପରି ଡକ୍ୟୁମେଣ୍ଟ ବ୍ୟବହାର କରି ଫାଇଦା ଉଠାଇପାରନ୍ତି ଖଳ ଲୋକ । ଏହିଦିଗ ପ୍ରତି ରିଜର୍ଭ ବ୍ୟାଙ୍କ ମଧ୍ୟ ଧ୍ୟାନ ଦେବା ଜରୁରୀ ହୋଇଛି । ତେବେ ୨୦୧୮ ମସିହାରେ ସୁନ୍ଦରଗଡ଼ ବିସ୍ରା ବ୍ଲକର ବିଡିଓ ଥିବା ସମୟରେ ମଧ୍ୟ ଲାଞ୍ଚ ନେଇ ଧରାପଡ଼ି ନିଲମ୍ବିତ ହୋଇଥିଲେ ଏହି ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 24, 2023, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.